ମଦ ଦୋକାନୀଙ୍କ ଠାରୁ ଲାଞ୍ଚ ନେଉଥିଲେ : ଭିଜିଲାନ୍ସ ଜାଲରେ ଅବକାରୀ ଅଧିକ୍ଷକ
ଧରାପଡ଼ିଲେ ସୁପରିଟେଣ୍ଡେଣ୍ଟ ସୀତାରାଣୀ ଓ ଏଏସଆଇ ବିଜୟ
କେନ୍ଦୁଝର : ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ଅବକାରୀ ବିଭାଗର ଦୁଇ ବରିଷ୍ଠ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଲାଞ୍ଚ ନେଉଥିବାବେଳେ କେନ୍ଦୁଝର ଅବକାରୀ ସୁପରିଟେଣ୍ଡେଣ୍ଟ ସୀତାରାଣୀ ପଟ୍ଟାୟତ ଓ ଚମ୍ପୁଆ ଅବକାରୀ ଷ୍ଟେସନର ଏଏସଆଇ-ଓଆଇସି ବିଜୟ କୁମାର ମହାନ୍ତଙ୍କୁ ଭିଜିଲାନ୍ସ ଧରିବା ସହ ବିଭିନ୍ନ ସ୍ଥାନରେ ରେଡ଼ କରୁଥିବା ଜାଣିବାକୁ ମିଳିଛି ।
୪ ମାସ ତଳେ କେନ୍ଦୁଝର ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ନେଇଥିଲେ ସୀତାରାଣୀ । ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଠାରୁ ସେ ନିୟମିତ ଭାବେ ଟଙ୍କା ମାଗୁଥିଲେ । ତେଣୁ ବାଧ୍ୟହୋଇ ଜଣେ ମଦ ଭେଣ୍ଡର ଏନେଇ ଭିଜିଲାନ୍ସଙ୍କୁ ଅବଗତ କରିଥିଲା । ଏନେଇ ସୂଚନା ପାଇବା ପରେ ସେମାନଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା । ସୀତାରାଣଙ୍କ ଠାରୁ ଫୋନ୍ରେ ନିର୍ଦ୍ଦେଶ ପାଇ ଏଏସଆଇ ମହନ୍ତ ଉକ୍ତ ମଦ ଭେଣ୍ଡରଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଶ୍ରୀମତୀ ପଟ୍ଟନାୟକ ଓ ଏଏସଆଇ ମହନ୍ତଙ୍କ ନାମରେ ମାମଲା ରୁଜୁ ହେବା ସହ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିଥିବା ଜାଣିବାକୁ ମିଳିଛି । ସେମାନେ ଚମ୍ପୁଆ ବ୍ଲକ ସରେଇ ଗ୍ରାମର ବିଧୂଭୂଷଣ ପତି ନାମକ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ତାଙ୍କ ବ୍ୟବସାୟ ସୁରୁଖୁରୁରେ ଚଳାଇବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି । କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀଙ୍କ ସରକାରୀ ବାସଗୃହ, ଅଫିସ ସମେତ ତିନୋଟି ସ୍ଥାନରେ ଏବଂ ଚମ୍ପୁଆ ଅବକାରୀ ଷ୍ଟେସନର ବିଜୟ କୁମାରଙ୍କ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି ବୋଲି କେନ୍ଦୁଝର ଡିଏସ୍ପି ସୁଧାଂଶୁ ପୂଜାରୀ କହିଛନ୍ତି । ଦୁର୍ନୀତି ନିବାରଣ ଆଇନ, ୨୦୧୮ ଧାରା ୭ ଅନୁଯାୟୀ ମାମଲା ପଞ୍ଜୀକରଣ କରି ବିଭାଗ ଅଭିଯୁକ୍ତ ଦୁହିଁଙ୍କ ବିଷୟରେ ଅଧିକ ତଦନ୍ତ କରୁଛି । ତଦନ୍ତ ପରେ ଆୟ ବର୍ହିଭୂତ ସମ୍ପତ୍ତି ଓ ଅନ୍ୟ ବେଆଇନ କାମ କାର୍ଯ୍ୟ ବିଷୟରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଇଛି ।