ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷାସ୍ଥିତି : ନାମଲେଖା ଅନୁପାତ କମିଛି
ଭୁବନେଶ୍ୱର : ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ୨୦୧୮-୧୯ରୁ ୨୦୨୨-୨୩ ଆର୍ଥିକ ଅବଧି ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ପର୍କିତ ‘ରାଜ୍ୟରେ ବିଦ୍ୟାଳୟ ଶିକ୍ଷା’ ଉପରେ ସମ୍ପାଦନ ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଗୁଣାତ୍ମକ ଶିକ୍ଷାର ସାର୍ବଜନୀନ ପହଁଞ୍ଚକୁ ସୁନିଶ୍ଚିତ କରିବା, ଆନୁଷ୍ଠାନିକ ଭିତ୍ତିଭୂମି ସହିତ ଶିକ୍ଷଣ ପରିବେଶର ମୂଲ୍ୟାଙ୍କନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଅନୁଧ୍ୟାନ ଏବଂ ମୂଲ୍ୟାଙ୍କନର ପ୍ରଭାବଶୀଳତା ଦିଗରେ ପଦକ୍ଷେପ ସହିତ ଯୋଜନା ଏବଂ କାର୍ଯ୍ୟକ୍ରମକୁ ବିଶ୍ଲେଷଣ କରିବାର ବ୍ୟାପକ ଉଦ୍ଦେଶ୍ୟ ସହିତ ରାଜ୍ୟ ବିଦ୍ୟାଳୟ ଶିକ୍ଷା ଉପରେ ସମୀକ୍ଷା କରାଯାଇଥିଲା । ଅଡିଟ ପର୍ଯ୍ୟବେକ୍ଷଣ ଗୁଡିକ ୨୦୧୮-୨୩ ଆର୍ଥିକ ଅବଧି ସହିତ ଜଡିତ ଛଅଟି ନମୁନା ଜିଲ୍ଲା, ୧୨ଟି ନମୁନା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଏବଂ ୧୦୮ଟି ନମୁନା ବିଦ୍ୟାଳୟର ରେକର୍ଡ ଯାଞ୍ଚ ଉପରେ ଆଧାରିତ । ସମଗ୍ର ଶିକ୍ଷା କାର୍ଯ୍ୟାନ୍ୱୟର ଢାଞ୍ଚା (ଏସ୍ଏସ୍ଆଇଏଫ) ସ୍ଥାନୀୟ ନିର୍ଦ୍ଦିଷ୍ଟତା, ଶିକ୍ଷାଗତ ଆବଶ୍ୟକତା ଏବଂ ଲୋକଙ୍କ ଆକାଂକ୍ଷାକୁ ପ୍ରତିିଫଳିତ କରିବା ପାଇଁ ଅଂଶଗ୍ରହଣକାରୀ ଏବଂ ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରିବାର ପରିକଳ୍ପନା କରିଛନ୍ତି । ନମୁନାଭୁକ୍ତ କୌଣସି ଜିଲ୍ଲାର ଜିଲ୍ଲାସ୍ତରୀୟ ଯୋଜନା ଟିମ୍ ଗଠନ ହୋଇନଥିବାବେଳେ, ନମୁନାଭୁକ୍ତ ବ୍ଲକରେ ବ୍ଲକସ୍ତରୀୟ ଯୋଜନା ଟିମ୍ ଗଠନ କରାଯାଇନାହିଁ ।
ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ମୋଟ ନାମଲେଖା ଅନୁପାତ ୨୦୧୮-୧୯ ତୁଳନାରେ ୨୦୨୨-୨୩ରେ ଜାତୀୟ ସ୍ତରରେ ବୃଦ୍ଧି ଘଟିଥିବା ବେଳେ ରାଜ୍ୟରେ ହ୍ରାସ ପାଇଛି । ଜାତୀୟ ସ୍ତର ତୁଳନାରେ ହାର ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଜାତୀୟ ସ୍ତରରେ ବୃଦ୍ଧି ତୁଳନାରେ ରାଜ୍ୟରେ ହ୍ରାସ ପାଇଛି । ୨୦୧୮-୨୩ ମଧ୍ୟରେ ଡାକ୍ତରୀ ମୂଲ୍ୟାୟନ ଶିବିର ମାଧ୍ୟମରେ ୧୦ ନମୁନାଭୁକ୍ତ ବିଇଓ ୧,୪୫୮ ସିଡବ୍ଲ୍ୟୁଏସ୍ଏନ୍ ଚିହ୍ନଟ କରିଥିଲେ, ଯେଉଁମାନଙ୍କୁ ସହାୟତା ଏବଂ ଉପକରଣ ଆବଶ୍ୟକ ଥିଲା । ତେବେ, ୨୦୧୮-୨୩ ମଧ୍ୟରେ ଚିହ୍ନଟ ହୋଇଥିବା ୩୧୧ଟି (୨୧ ପ୍ରତିଶତ) ସିଡବ୍ଲ୍ୟୁଏସ୍ଏନ୍କୁ ଏଭଳି ଉପକରଣ ଯୋଗାଇ ଦିଆଯାଇନାହିଁ । ସୀମିତ ଢଙ୍ଗରେ ଧନ୍ଦାମୂଳକ ଶିକ୍ଷା (ଭିଇ) ପ୍ରଚଳନ କରାଯାଇଥିଲା । ୨୦୧୮-୨୩ ମଧ୍ୟରେ ୮୭୭ଟି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଧନ୍ଦାମୂଳକ ଶିକ୍ଷା ପାଇଁ ଅନ୍ତର୍ଭୁକ୍ତ କରିବାକୁ ଳକ୍ଷ୍ୟ ରଖାଯାଇଥିବା ବେଳେ ବିଭାଗ ୬୪୬ଟି ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ଲାଗୁ କରିଥିଲା । ଏତଦ୍ବ୍ୟତୀତ ଧନ୍ଦାମୂଳକ ଶିକ୍ଷା ପରିଚାଳନା କରୁଥିବା ୧୧୩ଟି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟକ୍ଷମ ପରୀକ୍ଷାଗାର ସୁବିଧା ନାହିଁ । ରାଜ୍ୟରେ ୧.୭୩ ଲକ୍ଷ (ଛଅ ପ୍ରତିଶତ) ଛାତ୍ରଛାତ୍ରୀ ସାଇକେଲ ପ୍ରୋତ୍ସାହନରୁ ବଞ୍ôଚତ ହୋଇଥିଲେ । ନମୁନା ଯାଞ୍ଚ କରାଯାଇଥିବା ୪୨ଟି ବିଦ୍ୟାଳୟରେ ୨୦୧୮-୨୩ ମଧ୍ୟରେ ୧,୬୭୧ ଜଣ ଛାତ୍ରଛାତ୍ରୀ (୧୧ ପ୍ରତିଶତ) ଏହି ସୁବିଧାରୁ ବଞ୍ôଚତ ହୋଇଥିଲେ । ୭୭ଟି ନମୁନାଭୁକ୍ତ ବିଦ୍ୟାଳୟ ମଧ୍ୟରୁ ୧୪ଟିରେ ବିଦ୍ୟାଳୟ ପରିଚାଳନା କମିଟି ୧୯ ଜଣ ସଦସ୍ୟଙ୍କ ଆବଶ୍ୟକତା ଥିବାବେଳେ ୧୦ରୁ ୧୮ ଜଣ ସଦସ୍ୟଙ୍କୁ ନେଇ କାର୍ଯ୍ୟ କରୁଥିଲେ।