ମାନବିକତାର ଆଲୋକ

ବର୍ଷାରାଣୀ ଜେନା : ସୁଫୀବାଦର ଏକ ସୁନ୍ଦର ଚିନ୍ତାଧାରା ହେଉଛି ଭଲ ପାଇବାର ଶିକ୍ଷା ଯାହା ଦୁନିୟା ପ୍ରତି ବ୍ୟକ୍ତିର ଦୃଷ୍ଟିକୋଣକୁ ପରିବର୍ତ୍ତନ କରିଥାଏ । ଏହି ପ୍ରେମ ସଂକୀର୍ଣ୍ଣ କିମ୍ବା ଚୟନାତ୍ମକ ନୁହେଁ କାରଣ ଏହା ନିଜକୁ କୋଣସି ନିର୍ଦ୍ଦିଷ୍ଟ ସମୁଦାୟ କିମ୍ବା ଧର୍ମ ମଧ୍ୟରେ ସୀମିତ ନ ରଖି ପ୍ରତ୍ୟେକ ମଣିଷର ହୃଦୟକୁ ଆଲୋକିତ କରିଥାଏ । ଯେତେବେଳେ ଜଣେ ମଣିଷ ଏହିପରି ଦୃଷ୍ଟିକୋଣକୁ ଆପଣେଇ ନେଇଥାଏ ସେତେବେଳେ ଅସହିଷ୍ଣତା ଜନ୍ମ ନେବା ଅସମ୍ଭବ । ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟ ସୋନ୍ଦର୍ଯ୍ୟକୁ ଚିହ୍ନିପାରୁଥିବା ହୃଦୟ କେବେହେଲେ ଧର୍ମବିଶ୍ୱାସକୁ ଅସ୍ତ୍ର ରୂପରେ ବ୍ୟବହାର କରିପାରିବ ନାହିଁ । ଆଧ୍ୟାତ୍ମିକ ପ୍ରେମକୁ ଅନୁଭବ କରିଥିବା ବ୍ୟକ୍ତି କେବେହେଲେ ବିଶ୍ୱାସ କରିପାରିବନି ଯେ ହିଂସା ସମ୍ମାନ ଆଣିଥାଏ । ସୁଫୀବାଦ ଧୈର୍ଯ୍ୟ ଶିଖାଏ ଯାହା ନିଷ୍କ୍ରିୟ ହେବା ବଦଳରେ ଉଦ୍ଦେଶ୍ୟ ସାପେକ୍ଷ ହୋଇଥାଏ ।

   ଯେତେବେଳେ ଲୋକେ ସାମାନ୍ୟ ମତଭେଦରେ ଉତ୍ତେଜିତ ହୋଇ ଉଠୁଛନ୍ତି, ସୁଫୀବାଦ ଧୈର୍ଯ୍ୟର ଏକ ପ୍ରତୀକ ଭାବରେ ଛିଡା ହୋଇ ରହିଛି । ଘୃଣା ଦ୍ୱାରା ଟାର୍ଗେଟ କରାଯାଉଥିବା ସମ୍ପ୍ରଦାୟଙ୍କ ପାଇଁ ଏହି ଧୈର୍ଯ୍ୟ ଏକ ଢାଲ ସଦୃଶ  କାର୍ଯ୍ୟ କରିଥାଏ। ସାମାଜିକ ଗଣମାଧ୍ୟମର ଯୁଗରେ ଯେତେବେଳେ ଭୁଲ ସୂଚନା ଦ୍ରୁତ ଗତିରେ ବ୍ୟାପୀ ସମାଜରେ ଦ୍ୱେଷ ସୃଷ୍ଟି କରୁଛି ସେତେବେଳେ ସୁଫୀବାଦର ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୁଫୀବାଦର ଅନ୍ୟ ଏକ ପକ୍ଷ ହେଲା ଏହା ସମାବେଶୀତାକୁ ପାଳନ କରିଥାଏ । ଅତୀତ କାଳରୁ ସୁଫୀ ପ୍ରାର୍ଥନା ସ୍ଥଳ ଗୁଡିକ ପୃଷ୍ଠଭୂମି ଓ ଧର୍ମବିଶ୍ୱାସ ନିର୍ବିଶେଷରେ ଲୋକଙ୍କୁ ଆକର୍ଷିତ କରିଆସିଛି । ସୁଫୀବାଦର ଏହି ଉଦାରତା ଆଧ୍ୟାତ୍ମିକ ହେବା ସହିତ ସାମାଜିକ ପରିବର୍ତ୍ତନରେ ସହାୟକ ହୋଇଥାଏ । ସୁଫୀବାଦ ଦର୍ଶାଏ ଯେ ବିବିଧତାକୁ ଗ୍ରହଣ କରିବା ବିଶ୍ୱାସ  ସହ ସାଲିସ୍‌ କରିବା ନୁହେଁ ବରଂ ଏହା ହେଉଛି ସମ୍ପୂର୍ଣ୍ଣତାର ପଥ । ଏହା କେବଳ ଏକ ଆଧ୍ୟାତ୍ମିକ ଆଦର୍ଶ ନୁହେଁ ବରଂ ଆମ ସମାଜକୁ ସୁସ୍ଥ ରଖିବା ପାଇଁ ଏକ ବ୍ୟବହାରିକ ଉପକରଣ ଅଟେ । ଏହା ଆମକୁ ମନେ ପକାଇ ଦେଇଥାଏ ଯେ ବିଶ୍ୱାସର ପ୍ରକୃତ ମାପକାଠି ହେଉଛି ଏହାକୁ ଉଚ୍ଚସ୍ୱରରେ ରକ୍ଷା କରିବା ଅପେକ୍ଷା ନମ୍ର ଭାବରେ ଏହାର ପାଳନ କରିବା । ଅସହିଷ୍ଣୁତା ଯେତେବେଳେ ସମଗ୍ର ସମ୍ପ୍ରଦାୟକୁ ଆତଙ୍କିତ କରୁଛି ସେତେବେଳେ ସୁଫୀବାଦ ଏକ ସ୍ଥିର ଆଲୋକ ସଦୃଶ ଆମକୁ ସଠିକ୍‌ ପଥକୁ ଫେରାଇ ଆଣିବାରେ ସାହାଯ୍ୟ କରିଥାଏ । ସମଗ୍ର ବିଶ୍ୱରେ ଶାନ୍ତିରକ୍ଷା ସକାଶେ ବର୍ତ୍ତମାନ ସମୟରେ ପରସ୍ପର ସହିତ ଯୁକ୍ତି ବଦଳରେ ମାନବିକତାର ଅଧିକ ମହତ୍ୱ ରହିଛି ।