ଚିଠିର ଉତ୍ତର ଆସୁନି କି ବକେୟା


ାା ପ୍ରଭାନୁ୍ୟଜ ।ା ଯାଜପୁର,: ଦାନଗଦୀ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଯାଜପୁର ଜିଲା ଶିକ୍ଷା ଅଧିକାରୀଙ୍କ ଦାୟିତ୍ୱ ହିନତାରୁ ୩ ଜଣ ପ୍ରାକ୍ତନ କନିଷ୍ଠ ଶିକ୍ଷକ (ଜେଟି) ସେମାନଙ୍କ ବକେୟା ପ୍ରାପ୍ୟ ପାଇବାରୁ ବଞ୍ଚିତ ରହିଛନ୍ତି । ଏନେଇ ଦାନଗଦୀ ବିଇଓ, ଯାଜପୁର ଜିଲାପାଳ, ଡିଇଓ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିବା ପରେବି ୩ ପ୍ରାକ୍ତନ ଜେଟିଙ୍କୁ ସୁଫଳ ମିଳିପାରି ନାହିଁ । 
ଏପରିକି ଗଣଶିକ୍ଷା ବିଭାଗ ପକ୍ଷରୁ ଉତର ମିଳିଛି ଯେ ଦାନଗଦୀ ବିଇଓ ଚିଠି ନଂ ୯୦୬ ତା ୩୦.୦୫.୨୦୨୪ରେ ଓସେପାର ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଦଶକଙ୍କ ନିକଟରୁ ସ୍ପଷ୍ଟିକରଣ ମାଗିଛନ୍ତି । ସ୍ପଷ୍ଟିକରଣ ମିଳିନଥିବାରୁ ୩ ପ୍ରାକ୍ତନ ଜେଟିଙ୍କୁ ସେମାନଙ୍କ ବକେୟା ଟଙ୍କା ମିଳିନାହିଁ । ଉଲ୍ଲେଖ ଥାଉକି ଚଳିତ ବର୍ଷ ମାର୍ଚ୍ଚ ୧୩ ତାରିଖରେ ରାଜ୍ୟ ସରକାର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କ ମାସିକିଆ ପାଉଣାକୁ ୧୩,୮୦୦ରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରିବା ସହ ଏହାକୁ ପିଛିଲା ଭାବେ ୧ ଜାନୁଆରି ୨୦୨୩ରୁ ଲାଗୁ କରିଥିଲେ । ଏହାଦ୍ୱାରା ରାଜ୍ୟରେ ୧୨,୭୮୪ ଜଣ ଶିକ୍ଷକ ଲାଭବାନ ହେବେ ଓ ଏଥିପାଇଁ ସରକାରଙ୍କୁ ବର୍ଷକୁ ଅତିରିକ୍ତ୯୫ କୋଟି ଟଙ୍କା ବହନ କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ତେବେ ଓଡ଼ିଶାର ବିଭିନ୍ନ ଜିଲାରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନେ ଜାନୁଆରୀଠାରୁ ବର୍ଦ୍ଧିତ ଦରମାର ଏରିଅର ଟଙ୍କା ଚଳିତ ବର୍ଷ ଅପ୍ରେଲ ଏବଂ ମଇ ମାସରେ ପାଇଥିଲେ । ସେହି କ୍ରମରେ ଦାନଗଦୀ ବ୍ଲକ୍ ଅଧୀନ ବିଭିନ୍ନ ସ୍କୁଲରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଏହି ଟଙ୍କା ମଇ ମାସ୧୯ ତାରିଖ ମଧ୍ୟରେ ପାଇଥିଲେ । ତେବେ ଅନ୍ୟତ୍ର ଚାକିରି ପାଇବା ପରେ୨୦୨୩ ଡିସେମ୍ବରରୁ ୨୦୨୪ ଫେବୃଆରି ମାସ ମଧ୍ୟରେ କନିଷ୍ଠ ଶିକ୍ଷକ ପଦରୁ ଇସ୍ତଫା ଦେଇଥିବା ଦାନଗଦୀ ବ୍ଲକ୍ ଅଧୀନସ୍ଥ ମାଣତିରା ସରକାରୀ ସ୍କୁଲର ସ୍ୱାଗତିକା ପ୍ରିୟଦର୍ଶନୀ ଦାଶ, ରଙ୍ଗାହୁଡି ସରକାରୀ ସ୍କୁଲର ଅଜିତ ମାଝି ଓ ଅରାସାହି ପ୍ରାଥମିକ ବିଦ୍ୟାଳୟର ରତିକାନ୍ତ ଜେନାଙ୍କୁ ଏରିଅର ବାବଦ ଟଙ୍କା ମିଳିନାହିଁ । ଏନେଇ ସେମାନେ ବିଇଓ ସୁଭ୍ରାଂଶୁ ପୁହାଣ, ଡିଇଓ ନିବେଦିତା ପାଣିଙ୍କୁ ଜଣାଇଥିଲେ  ମାତ୍ର ଦାନଗଦୀ ବିଇଓଙ୍କ କହିବାକଥା ଥିଲା ୩ ପ୍ରାକ୍ତନ ଜେଟି ଚାକିରିରୁ ଇସ୍ତଫା ଦେବା ପରେ ଦରମା ବୃଦ୍ଧି ନେଇ ଚିଠି ପ୍ରକାଶ ପାଇଥିଲା । ବର୍ଦ୍ଧିତ ହାରରେ ଦରମା ୨୦୨୩ ଜାନୁଆରୀ ୧ରୁ ଲାଗୁ ହେଉଥିବାରୁ ଏହି ୩ ପ୍ରାକ୍ତନ ଜେଟି ବର୍ଦ୍ଧିତ ହାରରେ ଦରମା ଅନୁଯାୟୀ ବକେୟା ଟଙ୍କା ପାଇବେ କି ନାହିଁ, ତାହା ଆମେ କହିପାରିବୁ ନାହିଁ । ଏନେଇ ଓସେପା ନିକଟରୁ ସ୍ପଷ୍ଟିକରଣ ଲୋଡାଯାଇଛି । ମାସେରୁ ଊର୍ଦ୍ଧ୍ୱ ଦିନ ବିତିଯିବା ସତ୍ତ୍ୱେ ଚିଠିର ଉତର ନଆସିବା ବିଇଓ ଏବଂ ଡିଇଓଙ୍କ ଅପରାଗତାକୁ ପ୍ରଦର୍ଶିର୍ତ କରୁଛି । ଅପରପକ୍ଷରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଭିଯୋଗର ଉତରରେ ବିଇଓ ସ୍ପଷ୍ଟିକରଣ ଲୋଡିଥିବା କଥା କହିବା ବିଭାଗର ଅପରାଗତାକୁ ଦର୍ଶାଉଛି । ୩ ପ୍ରାକ୍ତନ ଜେଟିଙ୍କ ଅଭିଯୋଗ ଅନୁଯାୟୀ ବର୍ଦ୍ଧିତ ହାରରେ ଦରମା ଲାଗୁ ତାରିଖଠାରୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ କରିଛନ୍ତି । ତେଣୁ ବକେୟା ଟଙ୍କା ପାଇବାର ସେମାନେ ହକଦାର । ଏପରିକି ଅନ୍ୟ ଜିଲାମାନଙ୍କରେ ଚାକିରିରୁ ଇସ୍ତଫା ଦେଇଥିବା କନିଷ୍ଠ ଶିକ୍ଷକମାନେ ସେମାନଙ୍କ ବକେୟା ଟଙ୍କା ପାଇଛନ୍ତି । ହେଲେ ଦାନଗଦୀ ବିଇଓ ଏବଂ ଯାଜପୁର ଡିଇଓ ସରକାରୀ ଚିଠିକୁ ବୁଝିନପାରି ସ୍ପଷ୍ଟିକରଣ ଲୋଡିବା ନାମରେ ଅଯଥା ବିଳମ୍ବ କରୁଛନ୍ତି । ବକେୟା ଟଙ୍କା ପ୍ରଦାନରେ ଅଯଥା ବିଳମ୍ବ ହେଲେ ସେମାନେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।