ମୁକ୍ତିଗ୍ରନ୍ଥ ଭାଗବତ
ପ୍ରଦୀପ୍ତ କୁମାର ବିଶ୍ୱାଳ :
ଅତିବଡୀ ଜଗନ୍ନାଥ ଦାସଙ୍କ ଭାଗବତ ଗ୍ରନ୍ଥରୁ ଗୋଟିଏ ପଦ ‘ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବ ନିତ୍ୟ’ । ଭାଗବତ ଶବ୍ଦର ଅର୍ଥ ହେଲା ଭା-ଭାବ, ଗ-ଜ୍ଞାନ, ବ-ବ୍ରହ୍ମାଣ୍ଡ ଓ ତ- ତତ୍ତ୍ୱ୍ୱ ଅର୍ଥାତ୍ ବ୍ରହ୍ମାଣ୍ଡର ଭାବଗତ ତତ୍ତ୍ୱ୍ୱ ବା ବ୍ରହ୍ମ ଜ୍ଞାନ ସଂପର୍କରେ ଆଲୋଚନା । ଯାହାକୁ ଶ୍ରବଣକଲେ ମଣିଷ ବ୍ରହ୍ମଜ୍ଞାନ ପ୍ରାପ୍ତ ହୋଇ ଜୀବନମୁକ୍ତି ବା ମୋକ୍ଷପ୍ରାପ୍ତ ହୋଇଥାଏ ।
ଉକ୍ରଳରେ ଭାଦ୍ରବ ମାସ ପୂର୍ଣ୍ଣିମାରେ ଗାଁ ଗାଁରେ ଭାଗବତ ଟୁଙ୍ଗିରେ ବା ଘରେ ଘରେ ଭାଗବତ ଗାଦି ଉପରେ ପୂଜା ପାଉଥିବା ଅତିବଡୀ ଜଗନ୍ନାଥ ଦାସଙ୍କ ତାଳପତ୍ରର ‘ଭାଗବତ ପୋଥି’ଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ଭାଗବତ ପୋଥିକୁ ସ୍ୱୟଂ ବାସୁଦେବ ଭାବେ ପୁଜାର୍ଚ୍ଚନା କରି ଖିରି ପୁରି ଆଦି ଭୋଜିର ଆୟୋଜନ ହୋଇଥାଏ । ଜନମାନସରେ ଏହା ଭଗବାନ ବିଷ୍ଣୁଙ୍କ ଜୀବନ୍ତ ମୂର୍ତ୍ତିମନ୍ତ ପ୍ରତୀକ । ମହାପୁରୁଷ ଓ ଦେବୀଦେବତା ମାନଙ୍କର ଜନ୍ମଦିନ ପାଳନ କରାଯାଇଥାଏ ମାତ୍ର ପୃଥବୀରେ କୌଣସି ଜାତି ଗୋଟିଏ ଗ୍ରନ୍ଥର ଜନ୍ମଦିନ ପାଳନ କରିବା ପ୍ରାୟତଃ କୌଣସିଠାରେ ଦେଖାଯାଏ ନାହିଁ ।
ଏକଦା ଭଗବାନ ବ୍ୟାସଦେବ ଅଷ୍ଟାଦ୍ଦଶ ପୁରାଣ ରଚନା କରିବା ସତ୍ତ୍ୱେ୍ୱ୍ୱ ବିରଷ ବଦନରେ ବସି ଥାଆନ୍ତି । ଏହି ସମୟରେ ମହର୍ଷି ନାରଦ ଉପସ୍ଥିତ ହୋଇ ବ୍ୟାସଦେବଙ୍କ ଦୁଃଖର କାରଣ ବିଷୟରେ ଜାଣିବାକୁ ଚାହିଁବାରୁ, ବ୍ୟାସଦେବ କହିଲେ ମୁଁ ଅଷ୍ଟାଦ୍ଦଶ ପୁରାଣ ରଚନା କଲି ମାତ୍ର ମୋ ମନରେ ଶାନ୍ତି ନାହିଁ । ମହର୍ଷି କହିଲେ ଆପଣ ମହାଭାରତ ଭଳି ଯେଉଁ ଅଷ୍ଟାଦ୍ଦଶ ପୁରାଣ ରଚନା କରିଛନ୍ତି ଏଥିରେ ଆପଣ ମଣିଷର ସାଂସାରିକ, ସାମାଜିକ କଥା, ସମସ୍ୟା ଓ ସମାଧାନ ବର୍ଣ୍ଣନା କରିଛନ୍ତି, ଏଥିରେ ମାନସିକ ଶାନ୍ତି ପ୍ରାପ୍ତ ହେବ ନାହିଁ, ମାନସିକ ଶାନ୍ତି ପାଇଁ ଆପଣଙ୍କ ଭଗବତ୍ ବିଷୟରେ ରଚନା କଲେ ନିଶ୍ଚୟ ଶାନ୍ତି ପ୍ରାପ୍ତ ହେବ । ମହର୍ଷି ନାରଦଙ୍କ ଉକ୍ତି ଶୁଣି ବ୍ୟାସଦେବ ସରସ୍ୱତୀ ନଦୀ କୁଳରେ ଭାଦ୍ରବମାସ ପୂର୍ଣ୍ଣିମା ଦିନ ଏହି ଭାଗବତ ମହାପୁରାଣ ଗ୍ରନ୍ଥ ରଚନା କରିଥିଲେ । ଏଥିରେ ଥିବା ସୃଷ୍ଟି ଓ ସ୍ରଷ୍ଟାଙ୍କ ଅମୃତ ବାଣୀ ପରବର୍ତ୍ତୀକାଳରେ ସନାତନ ଧର୍ମର ସର୍ବଶ୍ରେଷ୍ଠ ମୂଲ୍ୟବାନ ସଂପଦ ହୋଇଯାଏ । ବିଷ୍ଣୁପୁରାଣରୁ ଜଣାଯାଏ ଶ୍ରୀହରି ପୃଥିବୀ ତ୍ୟାଗକରି ଦିବ୍ୟଧାମକୁ ଗମନ କରିବାପରେ ‘କଳିଯୁଗ’ ପୃଥିବୀରେ ତାର ପ୍ରଭୁତ୍ୱ ବିସ୍ତାର କରିବାକୁ ଲାଗିଲା । ଦିନେ ରାଜା ପରୀକ୍ଷିତଙ୍କୁ ‘କଳି’ ଅନୁରୋଧ କରି କହିଲେ ସମୟର ଚକ୍ର ଅନୁସାରେ ସତ୍ୟ, ତ୍ରେତୟା ଓ ଦ୍ୱାପରେ ପରେ ବର୍ତ୍ତମାନ ‘କଳି’ ପୃଥିବୀ ପୃଷ୍ଠରେ ପ୍ରବେଶ କରିସାରିଲେଣି ଏବଂ ତାଙ୍କ ରାଜ୍ୟରେ ମଧ୍ୟ ପ୍ରବେଶ କରିବା ଉଚିତ୍ । କୁହାଯାଏ ସତ୍ୟଯୁଗରେ ୪ଭାଗ ସତ୍ୟ, ତ୍ରେୟାଯୁଗରେ ୩ ଭାଗ ସତ୍ୟ ୧ଭାଗ ମିଥ୍ୟା, ଦ୍ୱାପର ଯୁଗରେ ୨ଭାଗ ସତ୍ୟ ୨ଭାଗ ମିଥ୍ୟା ଓ କଳିଯୁଗରେ ୧ଭାଗ ସତ୍ୟ ଓ ୩ଭାଗ ମିଥ୍ୟା । ପରିକ୍ଷିତ ଜଣେ କ୍ଷମାଶୀଳ ଓ ନ୍ୟାୟବାନ ଓ ନୀତିନିଷ୍ଠ ରାଜା ହୋଇଥିବାରୁ ‘କଳି’ ତାଙ୍କ ରାଜ୍ୟରେ ପ୍ରବେଶ କରିପାରୁ ନ ଥିଲେ । ରାଜା ପରୀକ୍ଷିତ ଏକ ସର୍ତ୍ତରଖିଲେ ଯେ ‘କଳି’ ସମସ୍ତ ସ୍ଥାନକୁ ପ୍ରବେଶ କରି ସାଧାରଣ ଓ ସରଳ ବ୍ୟକ୍ତିମାନଙ୍କୁ ଆଘାତ କରିିବେ ନାହିଁ । ଯେଉଁଠି ଜୁଆଖେଳ, ପାନଶାଳା, ହିଂସା ଓ ବେଶ୍ୟାଳୟ ଭଳି ୪ଟି ସ୍ଥାନ ସେଠି ‘କଳି’ ପ୍ରବେଶ କରି ସେମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବା ପାଇଁ ରାଜା ପରୀକ୍ଷିତ ଅନୁମତି ଦେଲେ । ‘କଳି’ କହିଲେ ସେ ସବୁସ୍ଥାନ ତ ଗନ୍ଧିଆ ସ୍ଥାନ ଏ ସ୍ଥାନକୁ ସର୍ବଦା ଗନ୍ଧିଆ ଲୋକମାନେ ଆସନ୍ତି, ମୋତେ ଆଉ ଗୋଟିଏ ଭଲ ସ୍ଥାନ ଦିଅନ୍ତୁ ଯେଉଁଥିରେ ମୁଁ ଅବସ୍ଥାନ କରିବି । ତା’ପରେ ରାଜା ପରୀକ୍ଷିତ ‘କଳି’କୁ ‘ସୁବର୍ଣ୍ଣ’ ମଧ୍ୟରେ ରହିବାପାଇଁ ଅନୁମତି ଦେଲେ । ଯୁଗବାଦରେ ବର୍ତ୍ତମାନ କଳିଯୁଗର ୫୧୨୬ତମ ବର୍ଷ ଚାଲିଛି । ‘କଳି’ ମାୟାରେ ପଡି ମଣିଷ ତ୍ୟାଗ ଅପେକ୍ଷା ଭୋଗବିଳାସରେ ଜୀବନ ଧାରଣ କରିବାକୁ ଶ୍ରେୟ ମନେକରୁଛି । ଏଥିପାଇଁ ତାକୁ ମିଥ୍ୟାର ଆଶ୍ରୟ ନେବାକୁ ପଡୁଛି, ଲୋଭ ମୋହରେ ପଡି ଅନ୍ୟାୟ ଅନୀତି ଉପାୟରେ ଅର୍ଥ ଉପାର୍ଜନ କରୁଛି, ଫଳରେ ଶାରୀରିକ ଅସୁସ୍ଥତା ଓ ମାନସିକ ଅଶାନ୍ତିରେ ସମୟ ଅତିବାହିତ କରୁଛି । ‘ସତ୍ୟ’ ଅନୁସରଣରେ ଜୀବନ ଧାରଣ କରିବା ଭୌତିକ ଜଗତରେ ବହୁତ କଷ୍ଟ ହୋଇପାରେ ମାତ୍ର ଆଧ୍ୟାତ୍ମିକ ଜଗତରେ ମୁକ୍ତି ବା ଶାନ୍ତି ପ୍ରାପ୍ତି କରାଇଥାଏ ।
ଦିନେ ରାଜା ପରୀକ୍ଷିତ କୌତୁହଳ ବଶତଃ ତାଙ୍କ ପିତାମହ (ପାଣ୍ଡବ) ଛାଡିଯାଇଥିବା ଗୋଟିଏ ବାକ୍ସରେ ଗୋଟିଏ ସୁବର୍ଣ୍ଣ ମୁକୁଟ ରଖିଥିବାର ଦେଖି ଭଲମନ୍ଦ ବିଚାର ନ କରି ତାକୁ ଆଣି ମସ୍ତକରେ ପରିଧାନ କରିଦେଲେ । ସେ ମୁକୁଟ ଟି ପ୍ରବଳ ପ୍ରତାପୀ ଜରାସନ୍ଧର ଥିଲା । ଜରାସନ୍ଧର ପୁତ୍ର ପିତାଙ୍କର ମୁକୁଟଟିକୁ ଫେରାଇଦେବାକୁ ଅନୁରୋଧ କରିବାରୁ ଭୀମ ଏହାକୁ ବଳପୂର୍ବକ ଜରାସନ୍ଧଠାରୁ ଛଡାଇ ଆଣିଥିବାରୁ ସେ ଏହାକୁ ଫେରାଇବାକୁ ଅରାଜି ହେଲେ । ତେଣୁ ଏହି ମୁକୁଟଟି ଅନୈତିକତାର ସହ ଅଣାଯାଇଥିଲା । ଅର୍ଥ ଓ ସୁବର୍ଣ୍ଣ ଅନୈତିକତାର ସହ ଆହରଣ କଲେ ତାହା ‘କଳି’କୁ ନିମନ୍ତ୍ରଣ କରିଥାଏ । ଯେତେବେଳେ ରାଜା ପରୀକ୍ଷିତ ସେହି ମୁକୁଟ ପରିଧାନ କଲେ ତତ୍କ୍ଷଣାତ୍ ‘କଳି’ ରାଜାଙ୍କ ମୁଣ୍ଡରେ ପ୍ରବେଶ କରିଥିଲା । କିଛିଦିନ ପରେ ରାଜା ପରୀକ୍ଷିତ ସେହି ମୁକୁଟ ପରିଧାନ କରି ଅରଣ୍ୟକୁ ଶିକାର କରିବାକୁ ଯିବାରୁ ସୁବର୍ଣ୍ଣ ମୁକୁଟ ମଧ୍ୟରେ ରହି ‘କଳି’ ରାଜାଙ୍କ ବିବେକକୁ ଭ୍ରଷ୍ଟକରି ଶମୀକ ଋଷିଙ୍କ ଗଳାରେ ମଲା ସାପକୁ ପକାଇବାକୁ ପ୍ରବର୍ତ୍ତାଇ ଥିଲେ । ଋଷିପୁତ୍ର ଶୃଙ୍ଗି ଅଭିଷାପ ଦେଲେ ଯେ ଅଭିଯୁକ୍ତ ବ୍ୟକ୍ତି ୭ଦିନ ମଧ୍ୟରେ ତକ୍ଷକ ଦଂଶନରେ ପ୍ରାଣତ୍ୟାଗ କରିବେ । ଯେତେବେଳେ ରାଜା ପରୀକ୍ଷିତ ଋଷିପୁତ୍ର ଶୃଙ୍ଗିଙ୍କ ଶାପ ବିଷୟରେ ଜାଣିବାକୁ ପାଇଲେ, ସଙ୍ଗେ ସଙ୍ଗେ ସିଂହାସନ ତ୍ୟାଗକରି ପୁତ୍ର ଜନ୍ମେଜୟଙ୍କୁ ଅବସ୍ଥାପିତ କରି ଗଙ୍ଗାକୁଳରେ ଯାଇ ଖାଦ୍ୟ, ଜଳ ଓ ପାର୍ଥôବସୁଖ ତ୍ୟାଗ କରିଦେଲେ । ପରିକ୍ଷିତ ଭାବିଲେ ଋଷିପୁତ୍ର ଶୃଙ୍ଗି ତାଙ୍କୁୁ ପ୍ରକାରାନ୍ତରେ ଶାପ ନୁହେଁ ବରଂ ଆଶିର୍ବାଦ କରିଛନ୍ତି ନଚେତ୍ ସେ ରାଜସିକ ସୁଖ ଛାଡିି ବୈରାଗ୍ୟ ନେଇ ପାରି ନ ଥାଆନ୍ତେ ।
ବହୁ ସନ୍ଥ ତାଙ୍କ ପାଖକୁ ଆସିଲେ ମାତ୍ର କେହି ତାଙ୍କୁ ଏହି ୭ଦିନ ମଧ୍ୟରେ ମୋକ୍ଷ ବା ମୁକ୍ତି ପ୍ରଦାନ କରିବାକୁ ସମର୍ଥ ହେଲେ ନାହିଁ । ଶେଷରେ ଶୁକଦେବ ଭରସା ଦେଇ କହିଲେ ‘ଚିନ୍ତା କର ନାହିଁ, ମୁଁ ତୁମକୁ ମୋକ୍ଷ ପ୍ରଦାନ କରିବି ଯାହା ମୁଁ ମୋ ସାଧନା ବଳରେ ପ୍ରାପ୍ତ ହୋଇଛି । ମୋକ୍ଷ ପ୍ରାପ୍ତି ପାଇଁ ୭ଦିନ ପର୍ଯ୍ୟାପ୍ତ । ବର୍ତ୍ତମାନରେ ବଂଚ ଏବଂ ସର୍ବଶକ୍ତିମାନ ଭଗବାନଙ୍କର ଆରାଧନା କର ।’ ରାଜା ୭ଦିନ ପର୍ଯ୍ୟନ୍ତ ଶୁକଦେବଙ୍କଠାରୁ ‘ଭାଗବତ’ ମହାପୁରାଣ ଶ୍ରବଣ କରି ମୃତୁ୍ୟ ଭୟରୁ ମୁକ୍ତି ପାଇଲେ । ସେ ଜନ୍ମ ମୃତୁ୍ୟର ରହସ୍ୟକୁ ଉପଲବ୍ଧô କରି ମୋକ୍ଷ ପ୍ରାପ୍ତ ହୋଇ ଶରୀର ତ୍ୟାଗ କରିଥିଲେ । ତକ୍ଷକ ୭ଦିନପରେ ଆସି ପରୀକ୍ଷିତଙ୍କର କେବଳ ଶରୀରକୁ ଦଂଶନ କରିଥିଲା ।
ଭଗବାନ ବ୍ୟାସଦେବଙ୍କ ସଂସ୍କୃତ ଭାଗବତ ରଚନାର ଅନୁକରଣରେ ଓଡିଆଭାଷାରେ ଭାଗବତ ପ୍ରଥମେ ରଚନା କରନ୍ତି ମହାପୁରୁଷ ଅତିବଡୀ ଜଗନ୍ନାଥ ଦାସ । ଏହା ଓଡିଆ ଜାତୀୟଜୀବନକୁ ଈଶ୍ୱର ପ୍ରେମରେ ଭସାଇ ନେଇ ଏ ଜାତିର ପରମଇଷ୍ଟ ମହାପ୍ରଭୁ ମହାବାହୁ ଜଗନ୍ନାଥଙ୍କୁ ଓଡିଆଜାତିର ଶ୍ରେଷ୍ଠ ଏ÷ଶ୍ଚର୍ଯ୍ୟଭାବେ ପ୍ରତିପାଦିତ କରିଛି । ଏ ସଂପର୍କରେ ଏକ ଜନଶ୍ରୁତି ଅଛି । ଜଗନ୍ନାଥ ଦାସଙ୍କ ମାଆ ପଦ୍ମାବତୀ ଶ୍ରୀମନ୍ଦିରରେ ପ୍ରତ୍ୟେହ ପଠିତ ସଂସ୍କୃତ ଭାଗବତ ବୁଝି ନ ପାରି, ନିଜ ମାତୃଭାଷାରେ ଭାଗବତ ରଚନା କରିବାପାଇଁ ପୁତ୍ର ଜଗନ୍ନାଥଙ୍କୁ ଅନୁରୋଧ କରିଥିଲେ । ବ୍ୟାସଦେବଙ୍କ ସଂସ୍କୃତ ଭାଗବତ ମହାପୁରାଣ ଅନୁକରଣରେ ଜଗନ୍ନାଥ ନିଜ ମା’ଆ ଓ ପ୍ରକାରାନ୍ତରେ ସାରା ଓଡିଶାର ମା’ମାନେ ବୁଝି ପାରିଲା ଭଳି ସରଳ ଓ ସାବଲୀଳ କଥିତ ଓଡିଆ ଭାଷାରେ ନବାକ୍ଷରୀ ଛାନ୍ଦରେ ଓଡିଆ ଭାଗବତ ରଚନା କରିଥିଲେ । ଜଗନ୍ନାଥ ଦାସଙ୍କ ଭାଗବତ ଗ୍ରନ୍ଥଟି କୃଷ୍ଣ ଚେତନାର ଏକ ସାମଗ୍ରିକ, ମଧୁର ଅଭିବ୍ୟକ୍ତି କୃÿୃଷ୍ଣଲୀଳା ବର୍ଣ୍ଣନା ଏହାର ମୁଖ୍ୟ ଆକର୍ଷଣ । ଏହି ଗ୍ରନ୍ଥଟି ନୀତିବାଣୀ, ସଦୁକ୍ତି, ଲୋକୋକ୍ତି ଆଦିର ଏକ ଅନନ୍ୟ ଅମୂଲ୍ୟ ଭଣ୍ଡାର ।
ସନାତନ ଧର୍ମର ବିଶେଷତ୍ୱ ଯେ ଏହା ମଣିଷର ଦୁର୍ଯୋଗକୁ ସୁଯୋଗରେ ପରିବର୍ତ୍ତନ କରିବାର ମାର୍ଗଦର୍ଶନ କରାଇଥାଏ । ତ୍ରେତୟା ଯୁଗରେ ରାମାୟଣରେ ମାତା କୈକେୟୀ ପୁତ୍ର ରାମଚନ୍ଦ୍ରଙ୍କ ୧୪ବର୍ଷ ବନବାସ ବର ନ ମାଗିଥିଲେ ରାମଚନ୍ଦ୍ର ରବାଣକୁ ମାରି ମର୍ଯ୍ୟାଦାପୁରୁଷ ହୋଇପାରିନଥାନ୍ତେ, ଦ୍ୱାପରେ ଯୁଗରେ ମହାଭାରତ ଯୁଦ୍ଧ ନ ହୋଇଥିଲେ ‘ଶ୍ରୀମଦ୍ ଭାଗବତ୍ ଗୀତା’ ଭଳି ମହାନ ଜୀବନ ବେଦ ଓ କଳିଯୁଗରେ ରାଜା ପରୀକ୍ଷିତ, ଋଷିପୁତ୍ର ଶୃଙ୍ଗିଙ୍କର ଶାପଗ୍ରସ୍ତ ନ ହୋଇଥିଲେ ‘ଶ୍ରୀମଦ୍ ଭାଗବତ’ ଭଳି ଅମୂଲ୍ୟ ଅଧ୍ୟାତ୍ମିକ ଗ୍ରନ୍ଥ ପାଇପାରିନଥାନ୍ତେ ।
‘ଭାଗବତ’ ଜୀବନ ଦର୍ଶନର ଗ୍ରନ୍ଥ ଅଟେ । ଜୀବନ ଧାରଣର ମାର୍ଗ ଦର୍ଶନ କରାଏ । ବୈରାଗ୍ୟ ଜାଗୃତ କରାଏ । ଜ୍ଞାନ ଓ ବୈରାଗ୍ୟ ମଣିଷ ଭିତରେ ଥାଏ । ଭାଗବତ ବ୍ୟତୀତ ଅନ୍ୟ କୌଣସି ଗନ୍ଥ ନାହିଁ, ଯାହା ୭ଦିନରେ ମଣିଷକୁ ମୁକ୍ତିର ମାର୍ଗ ଦର୍ଶନ କରାଇ ପାରିବ । ମୃତୁ୍ୟର ଭୟରୁ ମୁକ୍ତ କରାଏ ଭାଗବତ । ଆତ୍ମାର ମୁକ୍ତି ମାର୍ଗ ଦେଖାଏ । ‘ଭାଗବତ ପୁରାଣ’କୁ ମୁକ୍ତିଗ୍ରନ୍ଥ କୁହାଯାଏ । ଭାଗବତ ମଣିଷର ନିଜର ବାସ୍ତବିକ ସଂପର୍କକୁ ଜଣାଏ ଆତ୍ମାକୁ ନିଜର ଅନୁଭୁତି ସହ ଯୋଡିଥାଏ । ସାଂସାରିକ ଦୁଃଖ, ଲୋଭ-ମୋହ, କ୍ଷୁଧା ଯେତେ ପ୍ରକାର ଭାବନାର ବନ୍ଧନରୁ ମୁକ୍ତ କରି ନଶ୍ୱର ଈଶ୍ୱର ତଥା ତାହାର ଏକ ଅଂଶ ଆତ୍ମା ସହିତ ସାକ୍ଷାତକାର କରାଏ । ଏହାକୁ ଶ୍ରବଣ କଲେ ହଜାର ଅଶ୍ୱମେଧ ଯଜ୍ଞ ଆୟୋଜନର ପୁଣ୍ୟ ପ୍ରାପ୍ତ ହୋଇଥାଏ । ଗଙ୍ଗା, ଗୟା, କାଶୀ, ପୁଷ୍କର ତଥା ପ୍ରୟାଗ ଭଳି ତୀର୍ଥଯାତ୍ରା ଠାରୁ ଅଧିକ ପୁଣ୍ୟକାରୀ ଭାଗବତ ପାଠ । ଏହା ଦ୍ୱାରା ଶ୍ରୋତାଙ୍କର ମୋକ୍ଷପ୍ରାପ୍ତି ହୋଇ ଥାଏ ।
ଏହି ଭାଦ୍ର ପୂର୍ଣ୍ଣିମାକୁ ଇନ୍ଦ୍ର ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଇନ୍ଦ୍ର ଏହି ଦିବସରେ ଜନ୍ମ ହୋଇଥିବାରୁ ଏହାକୁ ଇନ୍ଦ୍ର ପୂର୍ଣ୍ଣିମା କୁହାଯାଏ । ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ଓ ଇନ୍ଦ୍ରହାତୀ ପ୍ରସ୍ତାବ କରାଯାଇ ଥାଏ ।
ଭୁବନେଶ୍ୱର
ମୋ-୯୪୩୮୫ ୫୫୭୭୦