ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସବୁ ଏକାଠି

କେନ୍ଦ୍ରାପଡା : ଜିଲ୍ଲାରେ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା ନେଇ ସରକାର ଦିନ ଗଡେଇ ଚାଲିଥିବାବେଳେ ଏଥିଲାଗି ଦୀର୍ଘ ବର୍ଷ ହେବ ଦାବି କରି ଆସୁଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ଆନେ୍ଦାଳନକୁ ଜୋରଦାର କରିଛି । ସହରର ବଡହାଟ ସ୍ଥିତ ମିଶନ ଶକ୍ତି ସଭାଗୃହରେ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ଆୟୋଜିତ ଗଣ କନଭେସନ୍ରେ ବିଭିନ୍ନ ଗଣ ସଂଗଠନ ସମେତ କଂଗ୍ରେସ, ସିପିଆଇ, ସପିଏମ୍, ଆମ୍ ଆଦମୀ ପାର୍ଟି, ଏସୟୁସିଆଇ ସହ ପ୍ରାୟ ସମସ୍ତ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦ ଗୋଟିଏ ମଂଚରେ ଏକତ୍ରିତ ହୋଇଛନ୍ତି । ପୂର୍ବରୁ ଏହି ଦାବିରେ ହୋଇଥିବା ଆନେ୍ଦାଳନ ସହ ଏବେର ସରକାରୀ ଦଳ ବିଜେପି ସଂପୃକ୍ତ ଥିଲେ ମଧ୍ୟ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟ ସେମାନକୁ ଅଡୁଆରେ ପକାଇଛି । ରାଜ୍ୟରେ ଅର୍ଦ୍ଧାଧିକ ଜିଲ୍ଲାରେ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହେବା ପରେ ମଧ୍ୟ ଏତେ ଦାବି ସତ୍ତ୍ୱେ କେନ୍ଦ୍ରାପଡା ପରି ଏକ ଅର୍ଥନୈତିକ ପଛୁଆ ଜିଲ୍ଲାରେ ଏଥିଲାଗି ସରକାରୀ ନିଷ୍ପତି ହୋଇନ ପାରିବା ସମସ୍ତଙ୍କୁ ବ୍ୟଥିତ କରୁଛି । ଆସନ୍ତା ମୈାସୁମୀ ଅଧିବେଶନ କାଳରେ କେନ୍ଦ୍ରାପଡାରେ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା ନେଇ ସରକାର ଘୋଷଣା କରିବା ଦାବିରେ ଆସନ୍ତା ଜୁଲାଇ ୨୪ ତାରିଖ ଦିନ ଗୁରୁବାର ଦିନ ଜିଲ୍ଲା ହେଡକ୍ୱାର୍ଟରକୁ ଅଚଳ କରିଦେବା ନେଇ ଘୋଷଣା କରି ଏଥିଲାଗି ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଛି । କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ଅଧ୍ୟକ୍ଷତାରେ ହୋଇଥିବା କନ୍ଭେନସନ୍ରେ ଜାତୀୟ କଂଗ୍ରେସ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବିଜୁ ଜନତା ଦଳ ରାଜନେତା ରବି ସାମଲ, ପୂର୍ବତନ ନଗରପାଳ ଧୀରେନ୍ ସାହୁ, ସିପିଆଇ ଜିଲ୍ଲା ସଂପାଦକ ବିକାଶ ଚନ୍ଦ୍ର ବେହୁରା, ସିପିଏମ୍ ନେତା ନରୋତମ ପାର୍ଥ ସାରଥି, ଆମ୍ ଆଦମୀ ପାର୍ଟର ରାଜନେତା ସନ୍ଦିପ୍ତ ଦାସ, ଜିଲ୍ଲା ସଂପାଦକ ସୂର୍ଯ୍ୟକାନ୍ତ ପରିଡା, ନେତ୍ରୀ ଏଲିନା ସାମନ୍ତରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମୁକ୍ତାର ଖାଁ ଧନ୍ୟବାଦ ଦେଇଥିଲେ ।