ଯଖପୁରା ଷ୍ଟେସନରେ ରେଳ ଚାଳକ ସଂଘ ଅନଶନ
ଯଖପୁରା: ଅଖିଳ ଭାରତୀୟ ରେଳ ଚାଳକ ସଙ୍ଘ କେନ୍ଦ୍ରୀୟ କାର୍ଯାକାରିଣୀ ସମିତିର ଆହ୍ୱାନ କ୍ରମେ ୮ଦଫା ଦାବି ନେଇ ସର୍ବ ଭାରତୀୟ ସ୍ତରରେ ସମସ୍ତ ଚାଳକ ନିୟନ୍ତ୍ରକଙ୍କ କାର୍ଯାଳୟ ସମ୍ମୁଖରେ ସଙ୍ଘ ତରଫରୁ ୩୬ ଘଣ୍ଟିଆ ଅନଶନ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କ୍ରମରେ ଯଖପୁରା ରେଳ ଷ୍ଟେସନ ଠାରେ ଶତାଧିକ ଚାଳକ ଓ ସହ ଚାଳକ ଅନଶନ କରିଥିବାର ଦେଖିବାକୁ ମିଳିଛି । ଅନେକ ଦିନ ଧରି ରେଳ ଚାଳକଙ୍କ ବିଭିନ୍ନ ଦାବି ରହିଆସିଛି । ମୁଖ୍ୟତଃ ଦାବି ଗୁଡ଼ିକ ମଧ୍ୟରୁ ମାଲଗାଡି ଚାଳକଙ୍କ କାର୍ଯ୍ୟ ସମୟ ୮ ଘଣ୍ଟା ଓ ଯାତ୍ରୀବାହି ଗାଡି ଚାଳକଙ୍କ କାର୍ଯ୍ୟ ୬ ଘଣ୍ଟା ନିର୍ଦ୍ଧାରଣ କରିବା, ଲଗାତାର ଦୁଇ ରାତ୍ରି କାର୍ଯ୍ୟ ପରେ ଗୋଟିଏ ରାତ୍ରି ବିଶ୍ରାମ ଦେବା, ସାପ୍ତାହିକ ବିଶ୍ରାମ ୪୬ ଘଣ୍ଟା ପ୍ରଦାନ କରିବା, ୩୬ ଘଣ୍ଟା ଭିତରେ ରେଳ ଚାଳକଙ୍କୁ ମୁଖ୍ୟାଳୟ ଫେରେଇ ଆଣିବା, ଜାନୁଆରୀ ୨୦୨୪ ରୁ ୨୫ ପ୍ରତିଶତ ମାଇଲେଜ ଭତ୍ତା ବୃଦ୍ଧି କରିବା, ନିୟମ ଅନୁସାରେ ମାଇଲେଜ ଭତାରେ ୭୦ପ୍ରତିଶତ ଆୟକର ଛାଡ଼ କରିବା, ଖାଲିଥିବା ପଦବୀ ପୂରଣ, ନୂତନ ଓ ଏକିକୃତ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା ଆଦି ରହିଛି । ବହୁ ଦିନୁର ଏହି ବାବଦରେ ଦାବି ହେଉଥିଲେ ମଧ୍ୟ ରେଳ କର୍ତୃପକ୍ଷ ଏହାକୁ କର୍ଣ୍ଣପାତ କରୁନାହାନ୍ତି । ଲୋକ ପାଇଲଟ ସହ ଲୋକ ପାଇଲଟ ଓ ଷ୍ଟେସନ ମ୍ୟାନେଜରଙ୍କ ପ୍ରତି ରେଳ ବିଭାଗ ବୈମାତୃକ ମନୋଭାବ ଦେଖାଇ ଆସୁଛନ୍ତି । ରେଳ ଚାଳକଙ୍କ ପକ୍ଷରୁ ଏହାର ପ୍ରତିବାଦ ଅନେକ ଦିନରୁ ହୋଇଆସୁଛି । ଫଳରେ ରେଳ ଗାଡ଼ି ଚାଲକଙ୍କ ଦ୍ୱାରା ସର୍ବଭାରତୀୟ ସ୍ତରରେ ଏହି ଅନଶନ ଜାରି ରହିଛି । ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଭଦ୍ରଖ, ଯାଜପୁର କେନ୍ଦୁଝର ରୋଡ, ପୁରୀ, କଟକ, କେନ୍ଦୁଝର, ପାରାଦୀପ, ଅନୁଗୁଳ, ପାଲାସା ଆଦି ରେଳ ଡିଭିଜନରେ ଅନଶନ ଜାରି ରହିଛି । ଅନଶନ ରାତ୍ରୀ ୮ଘଟିକା ପର୍ଯ୍ୟନ୍ତ ଜାରି ରହିବାର ସୂଚନା ମିଳିଛି । ଫଳରେ ଅନେକ ମାଲ ଗାଡ଼ି ଓ ଯାତ୍ରୀ ଗାଡ଼ି ଯିବା ଆସିବାରେ ବ୍ୟାଘାତ ଘଟିଛି । ଯାତ୍ରୀମାନେ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ସମସ୍ତ ଚାଳକ ନିୟନ୍ତ୍ରକ କାର୍ଯ୍ୟାଳୟ ସମ୍ମୁଖରେ ଚାଳକ ଓ ସହଚାଳକ ମାନେ ଭାଗ ନେଇଥିବା ବେଳେ, ଯଖପୁରାଠାରେ ଶାଖାର ସଭାପତି ବିଷ୍ଣୁ ଚରଣ ଦତ, ସମ୍ପାଦକ ଉମେଶ ଚନ୍ଦ୍ର ମହାରଣାଙ୍କ ସହ ସଭାପତି ରାଜୀବ ଚରଣ ପରିଡ଼ା, ତ୍ରିଲୋଚନ ଦାସ, ବିଶିକେଶନ ଦଳେଇ ନେତୃତ୍ୱ ନେଇଥିବାର ଦେଖିବାକୁ ମିଳିଛି ।