ଯାଜପୁର ଜିଲ୍ଲାର ବରପୁତ୍ରମାନଙ୍କୁ ଅଣଦେଖାର ପ୍ରତିବାଦ 

 ବ୍ୟାସନଗର : କ୍ରୀଷ୍ଣ ଇଣ୍ଟରନେଶନାଲ ସ୍କୁଲ ବ୍ୟାସନଗର ସଭା ଗୃହରେ ବ୍ୟାସନଗର ସ୍ୱୟଂଶାସିତ କାଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ରଙ୍ଗଭୂମିର ସଭାପତି ଡ଼. କୁଶଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି  । ବ୍ୟାସନଗରର ନାଟ୍ୟ ସଂସ୍ଥା ରଙ୍ଗଭୂମି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ  "ସାମ୍ପ୍ରତିକ ସମାଜରେ ନାଟକର ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ର ହୋଇଥିଲା  । ସଂସ୍ଥାର ସମ୍ପାଦକ ପ୍ରଦୀପ୍ତ ସାମଲ ବିବରଣୀ ପାଠ କରିଥିବା ବେଳେ ନିଖିଳ ଉକ୍ରଳ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ଡ଼. ଦୁଷ୍ମନ୍ତ ନାୟକ, ପ୍ରାକ୍ତନ ଅଧ୍ୟକ୍ଷ ସୌରଭମୟ ଦାସ, ନାଟ୍ୟକାର ସୁକାନ୍ତ ରାଉତ, ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ରାଉତ, ବରିଷ୍ଠ ସାହିତି୍ୟକ ମଧୁସୂଦନ ମହାପାତ୍ର, ବେଲାଳସେନ ପତି, ନିତ୍ୟାନନ୍ଦ ଦାଶ, ଆଇନଜୀବୀ ଶରତ ଖଣ୍ଡେଇ, ନାଟ୍ୟକାର ଗୌରାଙ୍ଗ ପ୍ରଧାନ, ଅଶୋକ ଖିଲାର, ଅରୁଣ ପରିଡ଼ା, ଅଭିମନୁ୍ୟ ବିଶ୍ୱାଳ ପ୍ରମୁଖ ନାଟକର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସ୍ଥିତି ଉପରେ ବିଷଦ ଆଲୋକପାତ କରିଥିଲେ  । ବ୍ୟାସନଗରରେ ଏକ ନାଟକ ମହୋତ୍ସବ ପାଇଁ ସଙ୍ଗୀତ ନାଟକ ଏକାଡେମୀକୁ ପ୍ରସ୍ତାବ ଦେବା ପାଇଁ ସ୍ଥିର ହୋଇଥିଲା  । ଓଡ଼ିଶା ସରକାରଙ୍କର ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ବରପୁତ୍ରମାନଙ୍କର ୭୫ଟି ପ୍ରତିମୂର୍ତ୍ତି ବିଭିନ୍ନ ଜିଲ୍ଲାର ମୁଖ୍ୟ ସ୍ଥାନମାନଙ୍କରେ ସ୍ଥାପନା କରାଯିବା ପାଇଁ ସ୍ଥିର ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ଗୋଟିଏ ମାତ୍ର ବି ଭାଗ ପଡ଼ିଲାନି  । ଏହାକୁ ନେଇ ଉପସ୍ଥିତ ସାହିତି୍ୟକ, ବୁଦ୍ଧିଜୀବୀ, ଆଇନୀଜୀବୀ, ଶିକ୍ଷାବିତ୍ ଓ ଅବସରପ୍ରାପ୍ତ କର୍ମଚାରୀ ସମୂହ ଯାଜପୁର ଜିଲ୍ଲାକୁ ଅବହେଳା ପାଇଁ କ୍ଷୋଭ ପ୍ରକାଶ କରିଥିଲେ  । ଜିଲ୍ଲାରେ ବରପୁତ୍ରମାନଙ୍କ ସଂଖ୍ୟା ବହୁତ ଥିବାବେଳେ ସରକାରଙ୍କ ଏଭଳି ପକ୍ଷପାତିତା ସମସ୍ତଙ୍କୁ ବ୍ୟଥିତ କରିଛି  । ଯାଜପୁର ମାଟିରେ ଜନ୍ମିତ ଅନେକ ବରପୁତ୍ର ଯଥା ଅଭିମନୁ୍ୟ ସାମନ୍ତ ସିଂହାର, କୃଷ୍ଣପ୍ରସାଦ ବସୁ, ବ୍ରଜସୁନ୍ଦର ଦାଶ, କାମପାଳ ମିଶ୍ର, ବିଚିତ୍ରାନନ୍ଦ ଦାସ, ବିରୁପାକ୍ଷ କର ପ୍ରଭୃତି ତାଙ୍କ କୃତିତ୍ୱ ପାଇଁ ଓଡ଼ିଶାକୁ ଗର୍ବିତ କରିଥିବା ବେଳେ, ସେମାନଙ୍କୁ ଅଣଦେଖା କରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସମସ୍ତେ ମତ ଦେଇ ସରକାରଙ୍କ ପୁନର୍ବିଚାର ପାଇଁ ଆଶାବ୍ୟକ୍ତ କରିଥିଲେ  । ଏସମ୍ବନ୍ଧରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କର ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ ନେଇ ସ୍ଥିର ହୋଇଥିଲା  । କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ଶିକ୍ଷୟିତ୍ରୀ ପୁଷ୍ପିତା ମହାରଣା, ସ୍ୱାଗତିକା ତ୍ରିପାଠୀ, ଶୁଭସ୍ମିତା ପ୍ରଧାନ ଓ କଳ୍ପନା ମିଶ୍ର ସହଯୋଗ କରିଥିବା ବେଳେ ପ୍ରଦିପ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ  ।