ଯାଜପୁର-ବିଞ୍ଝାରପୁର ରାସ୍ତା ଦୁରବସ୍ଥା ନେଇ ଜିଲାପାଳଙ୍କୁ ଅଭିଯୋଗ
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ଯାଜପୁର-ବିଞ୍ଝାରପୁର ମୁଖ୍ୟ ରାସ୍ତା (ଯାଉଁଳିବନ୍ଧ-ବିଜିପୁର) ପର୍ଯ୍ୟନ୍ତ ଦୂରାବସ୍ଥାକୁ ନେଇ ସୋମବାର ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ରାସ୍ତାର ନିର୍ମାଣ ଦାୟୀତ୍ତ୍ୱ ନେଇଥିବା ଠିକାଦାର ମନମୁଖି ଭାବେ କାର୍ଯ୍ୟ କରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଯାଜପୁର-ବିଞ୍ଜାରପୁର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଯାଉଁଳିବନ୍ଧ ଠାରୁ ବିଜିପୁର ପର୍ଯ୍ୟନ୍ତ ଚାଲିଛି । ଆଜକୁ ଦେଢ ବର୍ଷ ଧରି ଆରମ୍ଭ ହୋଇଥିବା ଉକ୍ତ ରାସ୍ତା କାର୍ଯ୍ୟ ସେଭଳି ଆଗେଇ ପାରୁନାହିଁ । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତ ୨୦୨୪ ମସିହା ଜାନୁଆରୀ ମାସରୁ ଅଦ୍ୟାବଧି ଉକ୍ତ ରାସ୍ତାର ନିର୍ମାଣ କାର୍ଯ ନାମକୁ ମାତ୍ର କରାଯାଇଛି । ସେହିପରି ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଗୋଟିଏ ଇଞ୍ଚ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଆଜକୁ ଦେଢ ବର୍ଷ ତଳୁ ଆରମ୍ଭ ହୋଇଥିଲେ ମଧ୍ୟ ସେଠାରେ ସୂଚନା ଫଳକ ଲଗାଯାଇନାହିଁ । ଫଳରେ ଏହି ରାସ୍ତା ପାଇଁ କେତେ ଟଙ୍କା ଅଟକଳ କରାଯାଇଛି, ଏହାର ସମୟ ଅବିଧି କେଉଁ ତାରିଖ ପର୍ଯ୍ୟନ୍ତ ଅଛି ଏବଂ କେଉଁ ଠିକା ସଂସ୍ଥା ଉକ୍ତ କାର୍ଯ୍ୟକୁ କରୁଛି ତାକୁ ନେଇ ଲୋକେ ଦ୍ୱନ୍ଦରେ ପଡିଛନ୍ତି । ଅନ୍ୟପକ୍ଷରେ ସାମାନ୍ୟ ବର୍ଷରେ ଏହି ରାସ୍ତାରେ ଥିବା ଖାଲ ଗୁଡିକରେ ପାଣି ଜମି ଯାଉଥିବାରୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି । ଏସବୁ ସତ୍ୱେ ବିଭାଗୀୟ ଅଧିକାରୀ କିମ୍ୱା ଠିକାଦାର ଦୃଷ୍ଟି ନଦେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଲାଗି ରହିଛି । ତେଣୁ ଏଦିଗରେ ଅବିଳମ୍ବେ ଦୃଷ୍ଟି ଦେଇ ଏହି କାର୍ଯ୍ୟ ଶେଷ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।