ଯୁବକଙ୍କ ଅସ୍ୱାଭାବିକ ମୃତୁ୍ୟକୁ ନେଇ ଉତ୍ତେଜନା
ସୁକିନ୍ଦା : ସୁକିନ୍ଦା ଥାନା ଅଞ୍ଚଳର ଜଣେ ଯୁବକଙ୍କ ଅସ୍ୱାଭାବିକ ମୃତୁ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ସୁକିନ୍ଦା ଥାନା ଅନ୍ତର୍ଗତ ହୁଡ଼ିସାହି ଗ୍ରାମ ହରିହର ମହାନ୍ତଙ୍କ ପୁଅ ଜଗନ୍ନାଥ (୩୮) ରବିବାର ଦିନ ସୁକିନ୍ଦା ହାଟରୁ ଫେରୁଥିବା ସମୟରେ ସଂଶାଇଲୋ ଗ୍ରାମର କିଛି ଯୁବକଙ୍କ ସହ ବଚସା ହୋଇଥିଲା । ପରେ ସଂପୃକ୍ତ ଯୁବକ ମାନେ ଜଗନ୍ନାଥକୁ ସଂଘବଧ ଆକ୍ରମଣ କରିଥିଲେ । ଯେଉଁଥିରେ ଜଗନ୍ନାଥଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକେ ପହଞ୍ଚିବାରୁ ଆକ୍ରମଣକାରୀ ମାନେ ଘଟଣାସ୍ଥଳରୁ ପାର ହୋଇଯାଇଥିଲେ । ସେହିଦିନ ଠାରୁ ଆହତ ଜଗନ୍ନାଥଙ୍କ ଚିକିସôାଜାରୀ ରହିଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଜଗନ୍ନାଥକୁ କଟକ ନେଇ ଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତୁ୍ୟ ଘଟିଥିଲା । ପରିବାର ଲୋକେ ଜଗନ୍ନାଥକୁ ଘରକୁ ଫେରାଇ ନେଇ ଆସିବା ସମୟରେ ଗଣ୍ଡଗୋଳ ଘଟିଥିବା ସ୍ଥାନରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜଗନ୍ନାଥର ମୃତୁ୍ୟ ପାଇଁ ସଂପୃକ୍ତ ଆକ୍ରମଣକାରୀଙ୍କୁ ଦାୟୀ କରିଥିଲେ । ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ । ସୂଚନା ପାଇ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ଯଥାଶୀଘ୍ର ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତଜାରୀ ରଖିଛି । ସଂପୃକ୍ତ ଯୁବକ ମାନେ ପୂର୍ବରୁ ଏହିଭଳି ଅନେକ କାଣ୍ଡ ଘଟାଇ ନିର୍ଭୟରେ ବୁଲୁଥିବା ସ୍ଥାନୀୟ ଲୋକେ ଭୟଭୀତ ଥିବା ଅଭିଯୋଗ ହୋଇଛି । ଯଥାଶୀଘ୍ର ଏହି ଘଟଣାର ଆବଶ୍ୟକୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।