ରାଜନୀତି, ବୈଦ୍ୟୁତିକ ଗଣମାଧ୍ୟମ ଓ ଯୁବଗୋଷ୍ଠୀ
ଡ଼.ମନୋଜ କୁମାର ମହାନ୍ତି : ପରାଧୀନତାର ଅନ୍ଧକାରରୁ ମୁକ୍ତିପରେ ଭାରତ ଗଣତନ୍ତ୍ର ପ୍ରତିଷ୍ଠା କରି ଦେଶକୁ ସୁଶାସନ ଦେବା ଲକ୍ଷ୍ୟରେ ଲାଗିପଡିଲା । ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଚାରିଗୋଟି ସ୍ତମ୍ଭ ମାଧ୍ୟମରେ ସାଧାରଣ ଜନତାଙ୍କୁ ନ୍ୟାୟ ଦେବାକୁ ସ୍ଥିରକଲା । ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଗଣମାଧ୍ୟମ; ପ୍ରମୁଖ ଗଣତାନ୍ତ୍ରିକ ସ୍ତମ୍ଭକୁ ଦେଶର ସମସ୍ତ ନିୟମ ଯୋଜନା, ସାମାଜିକ ସମସ୍ୟା ଓ ସମାଧାନର ପନ୍ଥାଭାବେ ଗ୍ରହଣ କରାଗଲା । ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏହି ଚାରିସ୍ତମ୍ଭ ମାଧ୍ୟମରେ ଉପସ୍ଥାପନ କରାଯିବାର ଆବଶ୍ୟକତାକୁ ଅନୁଭବ କରି ତାହାକୁ ଅମଳକ୍ଷମ କରାଇବା ଲକ୍ଷ୍ୟରେ ଗଣତନ୍ତ୍ର ଲାଗିପଡିଲା । ଦେଶରେ ସୁଶାସନ ପ୍ରତିଷ୍ଠା ପାଇଁ ଏହି ଚାରିସ୍ତମ୍ଭ ନିଜନିଜର ଗୁରୁଦାୟିତ୍ୱ ବହନକରି ପ୍ରତ୍ୟେକ ପରିସ୍ଥିତିରେ ନିଜସ୍ୱ ଆଭିମୁଖ୍ୟକୁ ବଜାଇ ରଖିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେଲେ । ଏହାସହ ସ୍ୱଚ୍ଛ, ନିର୍ମଳ, ନିରପେକ୍ଷତା, ଓ ନିର୍ଭୀକତାର ପ୍ରତୀକଭାବେ ଦେଶର ନାଗରିକଙ୍କୁ ଉଚିତ୍ ନ୍ୟାୟଦେବା ଲକ୍ଷ୍ୟରେ ଚାରିସ୍ତମ୍ଭ କାର୍ଯ୍ୟ କରିବ । ବ୍ୟବସ୍ଥାପିକାର ସମସ୍ତ ଆଇନକାନୁନକୁ ଉତ୍ତରଦାୟିତ୍ୱଭାବେ କାର୍ଯ୍ୟପାଳିକା ଗ୍ରହଣ କରି ତାକୁ ସଠିକରୂପେ ରୂପାୟନ ସହ ଆଇନକୁ ବ୍ୟବସ୍ଥାପିକା ଓ ସର୍ବସାଧାରଣ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ନୀତିକୁ କାର୍ଯ୍ୟକ୍ଷମ କରିଥାଏ ।
କାର୍ଯ୍ୟପାଳିକାର ନୀତି ଓ କର୍ମପଦ୍ଧତିକୁ ତର୍ଜମା ସହ ନ୍ୟାୟିକ ଦୃଷ୍ଟିରୁ ରାଷ୍ଟ୍ର ତଥା ନାଗରିକମାନଙ୍କ ପାଇଁ କେତେଦୂର ଯଥାର୍ଥ ଓ ସ୍ୱାଗତଯୋଗ୍ୟ ତାହା ନିର୍ଦ୍ଧାରଣ କେବଳ ନ୍ୟାୟପାଳିକା ହାତରେ ନ୍ୟସ୍ତ । ଏସବୁ ସତ୍ତେ୍ୱ ଚତୁର୍ଥନେତ୍ର ହୋଇ ସଦାସର୍ବଦା ଜାଗ୍ରତପ୍ରହରୀ ଭାବେ ରାଜଧାନୀରୁ ଗାଁ ଗଳିରୁ ତଥ୍ୟ ସଂଗ୍ରହରେ ଲାଗିରହିଥାଏ ଗଣମାଧ୍ୟମ । ଖବରକାଗଜ, ପତ୍ରପତ୍ରିକା, ବେତାର ଓ ବୈଦ୍ୟୁତିକ ଗଣମାଧ୍ୟମ ଯାହା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ବିଶ୍ୱସନୀୟତାର ସେତୁ ସ୍ଥାପନ କରିଥାଏ । ଗଣମାଧ୍ୟମକୁ ସମାଜର ପ୍ରତିଛବି ଓ ଦର୍ପଣଭାବେ ଗ୍ରହଣ କରାଯାଇଛି । ଦେଶର ନାଗରିକ ହିସାବରେ ଦେଶର ସ୍ଥିତି, ଅର୍ଥନୀତି, ସୁରକ୍ଷା, ପ୍ରଗତି ସରକାରଙ୍କ କାର୍ଯ୍ୟକଳାପ, ସାଧାରଣ ଜନତାଙ୍କ ସମସ୍ୟାକୁ ବିନା ପକ୍ଷପାତରେ ନିର୍ଭୀକ ଭାବରେ ଉପସ୍ଥାପନ କରିବା ଗଣମାଧ୍ୟମର କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ।ସମାଜରୁ ସୂଚନା ସଂଗ୍ରହକରି ପୁନଃଶ୍ଚ ସମାଜକୁ ପ୍ରେରଣ କରିବା ଗଣମାଧ୍ୟମର ପ୍ରମୁଖ କାର୍ଯ୍ୟ । ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ମନୋରଞ୍ଜନ, ଶିକ୍ଷା, ଭାଷାସାହିତ୍ୟ, କୃଷିବିଜ୍ଞାନ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଓ କ୍ରୀଡା ଆଦିକୁ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରାଗଲା । ପ୍ରକୃତିର ପରିବର୍ତ୍ତନ ସହ ମଣିଷର ପରିବର୍ତ୍ତିନ ହେବା ସ୍ୱାଭାବିକ କଥା । ଯେଉଁ ଗଣମାଧ୍ୟମକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା ସେଇ ଗଣମାଧ୍ୟମ ସମୟଚକ୍ରରେ ନିଜରୂପ ବଦଳେଇବାରେ ଲାଗିଲା । ତାର ପୃଷ୍ଠପୋଷାକ ସାଜିଲେ କିଛି ରାଜନୈତିକ ନେତୃବୃନ୍ଦଗଣ । ଭାରତରେ ଭିନ୍ନଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳର ଉତ୍ପତ୍ତି ସହ ନେତା ନିର୍ବାଚନର ପର୍ବ ଆରମ୍ଭ ହେଲା ।
ପ୍ରତ୍ୟେକ ରାଜନୈତିକ ଦଳ ସେମାନଙ୍କର ରାଜନୈତିକ ପ୍ରଚାରପ୍ରସାର ପାଇଁ ଗଣମାଧ୍ୟମକୁ କଲେ ଶ୍ରେଷ୍ଠମାଧ୍ୟମ । ନିଜର ଜୟଗାନ ସହ ପ୍ରତିଦ୍ୱନ୍ଦ୍ୱୀ ତଥା ବିରୋଧୀ ଦଳର ଦୋଷଦୂର୍ବଳତାକୁ ସମାଲୋଚନା । ନିର୍ବାଚନ ପୂର୍ବରୁ ଆରମ୍ଭ ହୁଏ ରାଜନୀତିରେ ଖୁବ୍ ପ୍ରଚାରପ୍ରସାର ସହ ବିରୋଧୀ ଦଳର ଦୁଷ୍ପ୍ରଚାର । ଶାସନଗାଦିରୁ ହଟେଇ ନିଜେ ଅଧିଷ୍ଠିତ ହେବା ସହ ବିପକ୍ଷକୁ ପରାଜୟର ସ୍ୱାଦ ଚଖେଇବାକୁ ସେମାନେ ପ୍ରାଣପ୍ରଣେ ଲାଗିପଡ଼ନ୍ତି । ବିରୋଧୀଦଳର ସଦାସର୍ବଦା ଚେଷ୍ଟା ଶାସକଦଳର କାର୍ଯ୍ୟକଳାପକୁ ତଦାରଖ କରିବା ସହିତ ତାହାର ଦୋଷଦୁର୍ବଳତାକୁ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆଣିବା, ଯାହାଦ୍ୱାରା ଶାସକଦଳର ଆଧିପତ୍ୟକୁ ସମ୍ପୂର୍ଣ୍ଣରୂପେ ଧରାଶାୟୀ କରି ନିଜ ରାଜନୈତିକ କାର୍ଯ୍ୟଦକ୍ଷତାର ପ୍ରଶଂସା ସହ ପ୍ରିତିଷ୍ଠା ଅର୍ଜନ କରିବା । ଶିକ୍ଷ୍ୟା-ସ୍ୱାସ୍ଥ୍ୟ-ବାସଗୃହ, ଆତ୍ମନିଯୁକ୍ତି,ନାରୀ ସୁରକ୍ଷା, ଶିଶୁ ଓ ମାତୃ କଲ୍ୟାଣ, ଖାଦ୍ୟାଭାବ, ପରିବେଶ ସୁରକ୍ଷା, ସୁଶାସନ,ନିୟମକାନୁନ୍ ବନ୍ଦୋବସ୍ତ, କଳାସଂସ୍କୃତି, ପ୍ରାକୃତିକ ଦୁର୍ବିପାକ,ଖଣିଜ ପଦାର୍ଥର ସୁବିନିଯୋଗ, ରାସ୍ତାଘାଟ ଉନ୍ନତିକରଣ, ବିଦ୍ୟୁତ ପ୍ରକଳ୍ପ, ପଞ୍ଚାୟତରାଜ, ମୂର୍ତ୍ତିକା ଓ ଜଙ୍ଗଲ ସଂରକ୍ଷଣ, ପ୍ରାଚୀନ ଜୀର୍ଣ୍ଣଶୀର୍ଣ୍ଣ ଐତିହାସିକ ସ୍ଥାନର ନବୀକରଣ ଏ ସବୁ ଶାସକଦଳର ମୁଖ୍ୟକାର୍ଯ୍ୟ । ସାମାଜିକ ସମସ୍ୟାର ସମାଧାନ କେତେଦୂର କାର୍ଯକାରୀ ଓ ଫଳପ୍ରଦ ହେଉଛି ତାର ତଦାରଖ କରିବା ବିରୋଧୀ ଦଳର ଗୁରୁଦାୟିତ୍ୱ । ଅନ୍ୟପକ୍ଷରେ ଗଣତାନ୍ତ୍ରିକ ସରକାରର କାର୍ଯ୍ୟକଳାପକୁ ସର୍ବସାଧାରଣଙ୍କ ନିକଟରେ ସଠିକ୍ ତଥ୍ୟ ଓ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବା ଗଣମାଧ୍ୟମରେ ନୈତିକ ଦାୟିତ୍ୱ । ଉଭୟ ରାଜନୈତିକ ଦଳ ଓ ଗଣମାଧ୍ୟମକୁ ନେଇ ଯେଉଁ ଆଶାପୋଷଣ କରାଯାଉଥିଲା ପରବର୍ତ୍ତୀ ସମୟରେ ତାହା ଧୀରେଧୀରେ ବିପରୀତ ଅଭିମୁଖୀ ହେବାରେ ଲାଗିଛି । ଏବେ ମାଳମାଳ ଖବରକାଗଜ ଓ ବୈଦ୍ୟୁତିକ ଟିଭି ଚ୍ୟାନେଲ୍ । ଗୋଟିଏ ମୁଖ୍ୟ ଖବରକୁ ଖଣ୍ଡଖଣ୍ଡ କରି ପାଞ୍ଚଗୋଟି ସୁପରଫାଷ୍ଟ ଖବର ଭାବେ ପ୍ରସ୍ତୁତି କରିବାରେ ଚ୍ୟାନେଲସମୂହ ସିଦ୍ଧହସ୍ତ । ଭାରତ ବର୍ଷରେ ଖବରକାଗଜ ଓ ପତ୍ରପତ୍ରିକା ସହ ବୈଦ୍ୟୁତିକ ଗଣମାଧ୍ୟମର ଚାହିଦା ବୃଦ୍ଧି ହେବାରେ ଲାଗିଛି । ଏବେ ଗଳିଗଳିରେ ଖବର ଚ୍ୟାନେଲ ପ୍ରତିଷ୍ଠା କରି କୌଣସି ନା କୌଣସି ଖବରକୁ ପ୍ରସାର କରାଯାଉଛି । ଅଧିକାଂଶ ବୈଦ୍ୟୁତିକ ଗଣମାଧ୍ୟମ ଖଣ୍ଡେ ଖଣ୍ଡେ ମାଇକ୍ରୋଫୋନ ଧରି ମୋବାଇଲ ମାଧ୍ୟମରେ ତଥ୍ୟ ଓ ବାର୍ତ୍ତା ଗୋଟେଇବାରେ ବ୍ୟସ୍ଥ । ଖବର ପୁଣି କାହା ସ୍ତ୍ରୀର କେଉଁ ପରପୁରୁଷ ସହ ପରକୀୟା ପ୍ରୀତି ତ କା ଝିଅ ଅପ୍ରାପ୍ତ ବୟସରୁ ମାତୃତ୍ୱପ୍ରାପ୍ତି । କେଉଁ ଚଳଚିତ୍ରର ନାୟିକା କେଉଁ ଅନ୍ତଃବସ୍ତ୍ର କେତେ ଆକୃତିର ପିନ୍ଧନ୍ତି ତାହା ହିଁ ଆଜିର ବୈଦ୍ୟୁତିକ ଗଣମାଧ୍ୟମର ଖବର ।
ପାଣିରେ ବୁଡିଯାଉଥିବା ଲୋକଟିକୁ ଉଦ୍ଧାର କରିବା ପରିବର୍ତ୍ତେ ତା ମୁହିଁରେ ମାଇକ୍ରୋଫୋନ ଗେଞ୍ଜି ପ୍ରଶ୍ନ ପଚରା ଯାଉଛି ଓ ରେକର୍ଡିଂ କରାଯାଉଛି, ଏବେ ଆପଣଙ୍କୁ କେମିତି ଲାଗୁଛି ? ସରକାର ଓ ସାଧାରଣ ଲୋକଙ୍କୁ କଣ କହିବେ ? ସରକାରଙ୍କୁ କିପ୍ରକାର ସହାୟତା ନିବେଦନ କରିବେ ବୋଲି ଭାବୁଛନ୍ତି ? ଖାଲି ସେତିକି ନୁହେଁ ନିଆଁରେ ପୋଡ଼ିଯାଉଥିବା ଲୋକଟିକୁ ମଧ୍ୟ ପଚରା ଯାଉଛି ଆପଣଙ୍କ ଦେହରେ କିପରି ନିଆଁ ଲାଗିଲା ? ନିଆଁ ଲାଗିଲାପରେ ଆପଣ କଣ ଅନୁଭବ କରୁଛନ୍ତି ? ଏହା ଖବର ସଂଗ୍ରହର ଶ୍ରେଷ୍ଠ ମାଧ୍ୟମ ପାଲଟି ଯାଇଛି । ମାନବିକତା ଓ ନୈତିକ ଦାୟିତ୍ୱ ବା ସାଧାରଣ କାଣ୍ଡଜ୍ଞାନ ବଦଳରେ ନିଜ ଚ୍ୟାନେଲର ଶସ୍ତା ଲୋକପ୍ରିୟତା ହାସଲ କରିବାରେ ପ୍ରାୟ ସବୁ ବୈଦ୍ୟୁତିକ ଗଣମାଧ୍ୟମ ବ୍ୟସ୍ତ ।
ପ୍ରତ୍ୟେକ ରାଜନୈତିକ ଦଳ ନିଜର ପ୍ରଚାରପ୍ରସାର ନିମନ୍ତେ ଖବକାଗଜ କିମ୍ୱା ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ କିଛି ନିର୍ଦ୍ଦିଷ୍ଟ ଘଟଣାକୁ ରାଜନୈତିକ ରୂପଦେଇ ଅପପ୍ରଚାର କରିବାରେ ମାହିର । ଆଜିର ଗଣମାଧ୍ୟମ ବାସ୍ତବତା ଅପେକ୍ଷା କୃତ୍ରିମତାକୁ ଅଧିକ ଧ୍ୟାନ ଦେଉଛନ୍ତି । ଟିଆରପି ପାଇବା ଆଶାରେ ସେଇ ଛୋଟିଆ ଖବରକୁ ସକାଳରୁ ମଧ୍ୟରାତି ଯାଏ ବାରମ୍ବାର ଉପସ୍ଥାପନ କରାଯାଇଥାଏ । କିଛି ଘଟଣାକୁ ଗୋଟେ ପାର୍ଶ୍ୱରୁ ମନ୍ତବ୍ୟକୁ ନେଇ ପ୍ରସ୍ତୁତ ଖବର ଓ ତାକୁ ବିକୃତକରି ଉପସ୍ଥାପନ କରିବା ସାମାଜିକ ଗଣମାଧ୍ୟମ ଓ ରାଜନୈତିକ ପରିଭାଷା । ବୈଦ୍ୟୁତିକ ଗଣମାଧ୍ୟମରେ ସେମାନଙ୍କର ପ୍ରମୁଖ ଖବର ‘ଶୋ’ ମାଧ୍ୟମରେ ରାଜନୈତିକ ନେତାମାନଙ୍କ ଉପସ୍ଥିତିରେ ଦେଶର ଯେଉଁ ଗମ୍ଭୀର ବିଷୟକୁ ଆଲୋଚନା କରିବା କଥା ସେ ବିଷୟରୁ ଓହରି ବିଭିନ୍ନ ବେକାର ଚର୍ଚ୍ଚାରେ ଲାଗିପଡ଼ନ୍ତି । ଯେଉଁ ବ୍ୟକ୍ତିକୁ ୟୁସିସିର ଫୁଲ୍-ଫର୍ମ ବିଷୟରେ ଧ୍ୟାନଧାରଣା ନାହିଁ, ସେମାନଙ୍କୁ ତର୍କବିତର୍କ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରି ଆଭ୍ୟନ୍ତରୀଣ ସୁରକ୍ଷା ଭଳି ସଂବେଦନାମୂଳକ ବିଷୟର ଚର୍ଚ୍ଚା କରିବା ଏକ ହାସ୍ୟାସ୍ପଦ ବିଷୟ ।
ରାଜନୈତିକ ଦଳର ଚାପରେ ବୈଦ୍ୟୁତିକ ଗଣମାଧ୍ୟମ କିଛି ଘଟଣାକୁ ଏପରି ଉପସ୍ଥାପନ କରିଥାନ୍ତି, ତାହା ବାସ୍ତବିକତାଠାରୁ ଢେର ଦୂରରେ । ରାଜନୈତିକ ଉଷ୍ମତାରେ ଉତ୍କ୍ଷିପ୍ତ ହୋଇ ଯୁବଗୋଷ୍ଠୀମାନେ ବୈଦ୍ୟୁତିକ ଗଣମାଧ୍ୟମ ସମ୍ମୁଖରେ ଯେଉଁଭଳି ବିକ୍ଷୋଭ ପ୍ରଦର୍ଶନ କରନ୍ତି, ତାହା ସ୍ପଷ୍ଟଭାବେ ରାଜନୈତିକ ଦଳର ସୁନିୟୋଜିତ ଯୋଜନା । ଆମ ଦେଶର ଅଧିକାଂଶ ଯୁବଗୋଷ୍ଠୀ ରାଜନୀତି ଓ ସମାଜିକ ଗଣମାଧ୍ୟମ ସହ ଏତେ ମାତ୍ରାରେ ଜଡ଼ିତ ଯେ କୌଣସି ଘଟଣାର ସତ୍ୟତାକୁ ସଠିକ୍ ଭାବେ ନବୁଝି ନଜାଣି କିଛି ଘଟଣାକୁ କିମ୍ବୁତାକାର କରି ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବା ସ୍ୱାଧୀନ ମତବ୍ୟକ୍ତ ନୁହେଁ ବରଂ ତିଳକୁ ତାଳ କରିବା ସଦୃଶ । ଭାରତ ସହ ବିଶ୍ୱରେ ଯୌନନିର୍ଯାତନା ଓ ଯୌନଶୋଷଣ ଘଟଣା କିଛି ନୂଆକଥା ନୁହେଁ । କିନ୍ତୁ ତାର ଉପଯୁକ୍ତ ତଦନ୍ତ ନକରି ତାକୁ ବିକୃତ ଓ ବିସ୍ତୃତଭାବେ ଉପସ୍ଥାପନା କରିବା କଣ ବୈଦ୍ୟୁତିକ ଗଣମାଧ୍ୟମର ଦାୟିତ୍ୱ କି? ଏମିତି ଶହଶହ ଘଟଣା ଘଟୁଛି ଏବଂ ତାକୁ ରାଜନୈତିକ ରୂପଦେଇ ଗଣମାଧ୍ୟମରେ କିଛିଦିନ ଖୁବ୍ ପ୍ରଚାରପ୍ରସାର ସହ ନେତାମନ୍ତ୍ରୀ ଓ ପୋଲିସଙ୍କ ଧାଆଁଧପଡ଼, କିଛି ରାଜନୈତିକ ଛାତ୍ର ସଂଗଠନର ଧର୍ମଘଟ, ଉତ୍ତେଜନା, ଓ ପୋଡ଼ାଜଳା ପୁଣି କିଛିଦିନ ପରେ ସବୁକିଛି ସ୍ୱାଭାବିକ ଅବସ୍ଥାକୁ ଫେରିଆସେ । ଗଣମାଧ୍ୟମ କେବେ ଶାସକ ଦଳର ପ୍ରଶଂସାରେ ଲିପ୍ତ ରହୁଥିବା ବେଳେ ଆଉ କିଛି ବିରୋଧୀ ଦଳକୁ ମୋହରା କରି ଶାସକଦଳର ବିରୋଧାଭାସର ସ୍ୱର ଉତ୍ତୋଳନ କରନ୍ତି । ପ୍ରତ୍ୟେକ ଖବରକୁ ରାଜନୈତିକ ରୂପଦେବା ଗଣମାଧ୍ୟମରେ ଏକପ୍ରକାର ସ୍ୱଭାବ ପାଲଟିଗଲାଣି । ରାଜନୈତିକ ଦଳ, ଯୁବଗୋଷ୍ଠୀଙ୍କୁ ସାମନାରେ ରଖି ଯାହାସବୁ କରୁଛି ତାହା ଯୁବସମାଜ ପାଇଁ ଉଚିତ୍ ମାର୍ଗ ନୁହେଁ । ପୁନଶ୍ଚ ଗଣମାଧ୍ୟମ ଯାହା ପ୍ରତିଫଳିତ କରୁଛି ତାହା ଲୋକମାନଙ୍କର ଆଶାବିଶ୍ୱାସକୁ ହ୍ରାସ କରିବାରେ ଲାଗିଛି ।
ବିଭାଗୀୟ ମୁଖ୍ୟ, ଦର୍ଶନ ବିଭାଗ, ବି. ଏନ. ଏମ. ଏ ମହାବିଦ୍ୟାଳୟ
ମୋ:୮୮୯୫୩୪୧୦୩୩