ରାଜ୍ୟପାଳଙ୍କୁ ଅପମାନ


ନିକଟରେ ତାମିଲନାଡୁ ରାଜଧାନୀ ଚେନ୍ନାଇ ଠାରେ ଏକ ଅପ୍ରୀତିକର ପରିସ୍ଥିତି ଘଟିଯାଇଛି । ମନୋନମନିୟମ ସୁନ୍ଦରନ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏଇ ୨/୪ ଦିନ ତଳେ ଅନୁଷ୍ଠିତ ହୋଇଥିଲା । ଯେକୌଣସି ଏକ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବରେ ରାଜ୍ୟପାଳଙ୍କ ଉପସ୍ଥିତି କୌଣସି ଏକ ସମାବର୍ତ୍ତନ ଉତ୍ସବରେ ଏକ ଉଲ୍ଲେଖନୀୟ ଅଙ୍ଗ । ରାଜ୍ୟପାଳ ନ ଆସିବା ପର୍ଯ୍ୟନ୍ତ କୌଣସି ସମାବର୍ତ୍ତନ ଉତ୍ସବର ଆରମ୍ଭ ମଧ୍ୟ ହୁଏ ନାହିଁ । ବିଶ୍ୱବିଦ୍ୟାୟର ଛାତ୍ରଛାତ୍ରୀମାନେ ରାଜ୍ୟପାଳଙ୍କ ହାତରୁ ସେମାନଙ୍କର ଡ଼ିଗ୍ରୀ ନେବା ପାଇଁ ଗାଉନ୍ ପିନ୍ଧି ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି । ଏଭଳି ଏକ ମହାର୍ଘ ମୁହୂର୍ତ୍ତର ଫଟୋକୁ ରଖିବା ପାଇଁ ସମସ୍ତ ପ୍ରକାରର ଯତ୍ନ କରାଯାଏ । ତେବେ ଏହି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଜଣେ ପିଏଚ୍ଡ଼ି ଛାତ୍ରୀ ରାଜ୍ୟପାଳ ଆର.ଏନ୍. ରବିଙ୍କ ହାତରୁ ପିଏଚ୍ଡ଼ି ଡ଼ିଗ୍ରୀ ଗ୍ରହଣ କରିବା ପାଇଁ ମନା କରିଦେଲେ । ଏକ ଦୀକ୍ଷାନ୍ତ ସମାରୋହରେ ଏଭଳି ଏକ ଘଟଣା ଘଟିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ରାଜ୍ୟପାଳ ମଧ୍ୟ ଏ ପ୍ରକାର ଘଟଣାରେ ଅପ୍ରତିଭ ହୋଇ ପଡ଼ିଲେ । ବିଶ୍ୱବିଦ୍ୟାଳୟକୁ ଅତିଥି ଭାବରେ ଆସିଥିବା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ସମାବର୍ତ୍ତନ ମଞ୍ଚ ଉପରେ ଜଣେ ଛାତ୍ରୀଙ୍କ ମୁହଁରୁ ଏଭଳି ଶୁଣିବେ ବୋଲି କେବେ ହେଲେ କେହି କଳ୍ପନା ମଧ୍ୟ କରିପାରିବ ନାହିଁ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ତାମିଲ୍ନାଡୁ ସରକାର ଏବଂ ରାଜ୍ୟପାଳ ଆର.ଏନ୍. ରବିଙ୍କ ମଧ୍ୟରେ ଦୀର୍ଘଦିନ ହେଲା ମତଭେଦ ତଥା ବିବାଦ ଲାଗି ରହିଛି । ଏଭଳି ଏକ ବିବାଦକୁ ଏହି ଛାତ୍ରୀ ଜଣକ ତାମିଲ୍ନାଡୁର ସ୍ୱାର୍ଥ ବିରୋଧୀ କାମ କରୁଥିବା ଦର୍ଶାଇଛନ୍ତି । ଅବଶ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ସମ୍ପର୍କ ସମ୍ପୂର୍ଣ୍ଣ ରାଜନୀତିକ ଏବଂ ରାଜ୍ୟପାଳଙ୍କ ନିଯୁକ୍ତି ମଧ୍ୟ ଏକ ରାଜନୀତିକ ପ୍ରକ୍ରିୟା । ତେଣୁ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ରହିଥିବା ସମ୍ପର୍କ ଭିତରେ ସାଧାରଣ ଜନତାଙ୍କର କୌଣସି ପ୍ରତ୍ୟକ୍ଷ ଭୂମିକା ନାହିଁ । 
ତାମିଲନାଡୁ ବିଧାନସଭାରେ ଲୋକଙ୍କ ସ୍ୱାର୍ଥ ଉଦେ୍ଦଶ୍ୟରେ ଗୃହୀତ ହୋଇଥିବା ଅନେକ ବିଲ୍ ଗୃହ ଅନୁମୋଦନ ପରେ ରାଜ୍ୟପାଳଙ୍କ ନିକଟକୁ ଅନୁମୋଦନ ପାଇଁ ଯାଇଥାଏ । ହେଲେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଏହି ବିଲ୍ଗୁଡ଼ିକ ଆଶାତୀତ ଭାବରେ ବିଳମ୍ବ କରାଯାଇ ପକାଇ ରଖାଯାଇଥିବାର ଅଭିଯୋଗ ଆସିଛି । ଏଭଳି ଏକ ଘଟଣାକୁ ଏହି ଛାତ୍ରୀଜଣକ ତାମିଲ୍ନାଡୁର ଜନସାଧାରଣଙ୍କ ସ୍ୱାର୍ଥ ବିରୋଧୀ ବୋଲି ମତ ଦେଇଛନ୍ତି । ଅବଶ୍ୟ ଏହି ଛାତ୍ରୀଜଣକ ହେଉଛନ୍ତି ଜଣେ ଡ଼ିଏମ୍କେ ନେତାଙ୍କର ପତ୍ନୀ । ସେ ଯାହାବି ହେଉ ତାଙ୍କର ଏହି ଉକ୍ତିକୁ ତାମିଲ୍ ରାଜ୍ୟର ବାସିନ୍ଦା ଭାବରେ ଜଣେ ସ୍ୱାଭିମାନୀ ନାଗରିକର ଉକ୍ତି ବୋଲି କୁହାଯାଇପାରେ । ପରେ ଅବଶ୍ୟ ସେ କୁଳପତିଙ୍କ ଠାରୁ ଏହି ଡ଼ିଗ୍ରୀ ଗ୍ରହଣ କରିଛନ୍ତି । ତେବେ ଏଭଳି ଏକ ଘଟଣାକୁ ନେଇ ଏହି ଛାତ୍ରୀଙ୍କ ଆଚରଣକୁ କୌଣସି ଏକ ଅପରାଧ ଭାବରେ ପରିଗଣିତ କରାଯିବ କି ନାହିଁ ତାହା ଉପରେ ବର୍ତ୍ତମାନ ଅନେକ ଯୁକ୍ତିତର୍କ ଚାଲିଛି । ଯଦିଓ ଏ ପ୍ରକାରର କୌଣସି ଆଇନ୍ ନାହିିଁ ତଥାପି ସୌଜନ୍ୟ ଦୃଷ୍ଟିରୁ ରାଜ୍ୟପାଳଙ୍କୁ ସମାବର୍ତ୍ତନ ଉତ୍ସବରେ ଅପ୍ରୀତିକର ପରିସ୍ଥିତିରେ ପକାଇ ଦେବା ଶୋଭନୀୟ ନୁହେଁ । ତାମିଲ୍ ସ୍ୱାଭିମାନ ଏବଂ ଅତିଥି ସୌଜନ୍ୟ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲା ଭଳି ଏହି କାମଟି ଘଟିଗଲା । ତେବେ ଏକଥା ମଧ୍ୟ ଆଲୋଚନା ହେଉଛି ଯେ ତାମିଲନାଡୁ ବିଧାନସଭାର ବିଲ୍ଗୁଡ଼ିକ ଇଚ୍ଛାକୃତ ଭାବରେ ରାଜ୍ୟପାଳଙ୍କ ଦପ୍ତରରେ ପଡ଼ିରହୁଛି । କଥା ସୁପି୍ରମକୋର୍ଟ୍ ଯାଏଁ ଗଲାଣି । ସାଧାରଣ ଜନତାଙ୍କର ସ୍ୱାଭିମାନ ଉପରେ ଯେତେବେଳେ କୌଣସି ଆଞ୍ଚ୍ ଆସେ ସେତେବେଳେ ଏହିଭଳି ଅପ୍ରୀତିକର ପରିସ୍ଥିତି ଘଟିବା ଅସମ୍ଭବ ନୁହେଁ । ଏହା ଏକ  ରାଜନୀତିକ ମଞ୍ଚ ନଥିଲା । ଏକ ଶିକ୍ଷାର ବାତାବରଣ ଭିତରେ ସମାବର୍ତ୍ତନ ଉତ୍ସବର ମଞ୍ଚରେ ରାଜନୀତିର ପ୍ରଭାବ ଠିକ୍ କିମ୍ବା ଭୁଲ୍ ତାର ତର୍ଜମା ଆବଶ୍ୟକ ।