ରାସ୍ତାରେ ଭାସୁଛି ପାଣି

ତାଳଚେର ପୌରପରିଷଦ କାର୍ଯ୍ୟାଳୟକୁ ଲାଗି ରହିଥିବା ବାପୁଜୀନଗର ୱାର୍ଡ଼ ନଂ ୧୧ ଓ ୪ନମ୍ବର ୱାର୍ଡ଼ର ମଧ୍ୟ ଭାଗରେ ଅର୍ଥାତ୍ ପୌର ପରିଷଦ କାର୍ଯ୍ୟାଳୟଠାରୁ ମାତ୍ର ୫୦ପାହୁଣ୍ଡ ଦୂରତାରେ ରହିଥିବା ପୋଖରୀରୁ ଅନବରତ ପାଣି ଛୁଟି ପରିବହନ ବିଭାଗ କାର୍ଯ୍ୟାଳୟ ଓ ତାଳଚେର ରାଣୀପାର୍କ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଜଳାର୍ଣ୍ଣବ ହେଉଛି । ଯାହାଫଳରେ ବାଟୋଇ, ଦାଣ୍ଡୋଇ ନାହିଁ ନ ଥିବା ହଇରାଣ ହରକତ ହେଉଥିବା ସହ ସେହି ବସ୍ତିବାସୀଙ୍କ ଘର ସମ୍ମୁଖରେ ପାଣି ସୁଅ ଛୁଟି ଚାଲିଥିବାରୁ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି । ବାଟୋଇ ଓ ବସ୍ତିବାସୀନ୍ଦାଙ୍କୁ ଜଳଜଳ କରି ଦେଖାଯାଉଥିଲେ ମଧ୍ୟ କିପରି ପୌର କାର୍ଯ୍ୟାଳୟକୁ ଦେଖାଯାଉନଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ପାଣି ଟୋପେ ପାଇଁ ତାଳଚେର ଅଂଚଳରେ ହାହାକାର ପଡ଼ୁଥିବା ବେଳେ ଏଠାରେ ରାସ୍ତା ଉପରେ ପାଣି ସୁଅ ଛୁଟିବା ପରିତାପର ବିଷୟ ହୋଇଛି । ଏହି ରାସ୍ତା ଦେଇ କଲେଜ ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି, ତାଳଚେର ବସ୍ଷ୍ଟାଣ୍ଡ ଏବଂ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟକୁ ଲୋକେ ଯାତାୟତ କରିଥାନ୍ତି । ଫଳରେ ଏପରି ସମସ୍ୟା ଯୋଗୁଁ ଲୋକେ ଦହଗଞ୍ଜ ହେଉଥିବା ଓ ଅଂଚଳବାସୀ ବାରମ୍ବାର ଅଭିଯୋଗ କରୁଥିଲେ ହେଁ କୌଣସି ଅଧିକାରୀ ଏହାକୁ କର୍ଣ୍ଣପାତ କରୁନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ତେଣୁ ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ତୁରନ୍ତ ପୌରପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି ।