ଶିକ୍ଷକ ଅଭାବକୁ ନେଇ ତାତିଲେ ଗ୍ରାମବାସୀ

 ନୁଆପଡ଼ା: ନୁଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ଜଟଗଡ ୟୁପିସ୍କୁଲରେ ଶିକ୍ଷକ ଅଭାବ ସମସ୍ୟା ନେଇ ଆଜି ଲୋକେ ସ୍କୁଲ୍ ଗେଟ୍?ରେ ତାଲା ପକାଇ ଧାରଣା ଦେଇଛନ୍ତି । ବ୍ଳକ ଶିକ୍ଷାଧିକାରୀଙ୍କ ହସ୍ତକ୍ଷେପ, ଶିକ୍ଷକ ନିଯୁକ୍ତିର ପ୍ରତିଶ୍ରୁତି ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ । ସୂଚନା ମତେ, କୋମନା ବ୍ଳକ ଜଟଗଡ ୟୁ ପିସ୍କୁଲରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ଶିଶୁବାଟିକାରେ ୨୫ଜଣ ଛାତ୍ରଛାତ୍ରୀଙ୍କୁ ମିଶାଇ ସ୍କୁଲରେ ୧୭୩ ଛାତ୍ରଛାତ୍ରୀ ପାଠପଢୁଛନ୍ତି । ପୂର୍ବରୁ ୭ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିଲେ । କିଛିଦିନ ତଳେ ୩ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଫଳରେ ଶିଶୁବାଟିକା ସହ ୯ଟି ଶ୍ରେଣୀର ୧୭୦ରୁ ଅଧୂକ ପିଲାଙ୍କ ପାଇଁ ୪ଜଣ ଶିକ୍ଷକ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା । ଶିକ୍ଷକ ବଦଳିର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଖାଲି ପଡିଥିବା ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତ ନହେବାରୁ ଲୋକେ ନିରାଶ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ । ସ୍କୁଲ୍ ପରିଚାଳନା କମିଟି ସଭାପତି ପ୍ରମୋଦ ପ୍ରଧାନ, ଅନନ୍ତ ସାହୁ, ଜ୍ୟୋସ୍ନା ପ୍ରଧାନ, ମାଧବ ରଣା, କରୁଣାକର ବାଗ, କାର୍ତିକ ହଂସ, ସୁନିଲ ହଂସ, ବିବେକ ବାଗ ପ୍ରମୁଖଙ୍କ ସହ ଗ୍ରାମବାସୀ ସ୍କୁଲ୍ ଗେଟ୍ ରେ ତାଲା ପକାଇ ଧାରଣାରେ ବସିଥିଲେ  । ଖବର ପାଇ କୋମନା ବିଇଓ ଅନୀତା ପଣ୍ଡା, ଏବିଇଓ ବଲମତ ମାଝି  ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ହେଲେ ନୂତନ ଶିକ୍ଷକ ଯୋଗ ନଦେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରିରହିବ ବୋଲି ଲୋକେ ଅଡି ବସିଥିଲେ । ଜରୁରୀକାଳିନ ଭିଭିରେ ଜଣେ ଶିକ୍ଷକଙ୍କ ଡେପୁଟେସନ ପରେ ଲୋକେ ଧାରଣାରୁ ଉଠିଛନ୍ତି । ଖାଲିପଡିଥିବା ଅନ୍ୟଶିକ୍ଷକଙ୍କ ସ୍ଥାନ ଶିଘ୍ର ପୂରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।