ଶିକ୍ଷକ ବଦଳି ପ୍ରତିବାଦ, ରାସ୍ତାରେ ହେଲା ରୋଷେଇ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ସାତଶୋଳା ପ୍ରାଥମିକ ବିଦ୍ୟାଳୟ ଫାଟକରେ ଶିକ୍ଷକ ବଦଳି ପ୍ରତିବାଦରେ ଶନିବାର ତାଲା ପଡିଥିଲା । ଏହି ବିଦ୍ୟାଳୟ ସମ୍ମୁଖ ରାସ୍ତା ଉପରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ । ରାସ୍ତା ଉପରେ ମଧ୍ୟାନ୍ନ ଭୋଜନ ରୋଷେଇ କରାଯାଇଥିଲା । ବିଦ୍ୟାଳୟ ଫାଟକରେ ତାଲା ଝୁଲୁଥିବା ବେଳେ ମଧ୍ୟାନ୍ନ ଭୋଜନ ସାମଗ୍ରୀ କିପରି ଓ କେଉଁଠୁ ଆସିଲା ତାହା ଏବେ ଆଲୋଚନାର ବିଷୟ ହୋଇଛି । ପୁନଶ୍ଚ ରାସ୍ତା ଉପରେ ରୋଷେଇ ଓ ସହ ପିଲାଙ୍କୁ ଭୋଜନ ପରିବେଷଣ କରାଯିବାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି । ସାମ୍ପ୍ରତିକ ଝାଡାବାନ୍ତି ପରିସ୍ଥିତିରେ ଏଭଳି ନକରାତ୍ମକ କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଉଭୟ ରୋଷେଇ ଓ ଭୋଜନ ସମୟରେ ବଦଳି ହୋଇଥିବା ଶିକ୍ଷକ ପିତାମ୍ବର ନାୟକଙ୍କ ଉପସ୍ଥିତି ଘଟଣାର ଭିନ୍ନ ଦିଗକୁ ସୂତୀଚ କରୁଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ସାତଶୋଳା ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସଂଖ୍ୟା ୮୪ ରହିଛି । ଛାତ୍ରଛାତ୍ରୀ ଓ ଶିକ୍ଷକ ଅନୁପାତ ଦୃଷ୍ଟିରୁ ୩ ଜଣ ଶିକ୍ଷକ ନିୟୋଜିତ ହେବା କଥା । ୪ଜଣ ଶିକ୍ଷକ ନିୟୋଜିତ ଥିଲେ । ରାସନାଲାଇଜେନସ ଦୃଷ୍ଟିକୋଣରୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପିତାମ୍ବର ନାୟକଙ୍କୁ ମଢିଆଳି ଉପ୍ରା (ଶିକ୍ଷକ ଆବଶ୍ୟକ) ବିଦ୍ୟାଳୟକୁ ବଦଳି କରାଯାଇଛି । ଜଣେ ଶିକ୍ଷକ ବଦଳି ପରେ ସାତଶୋଳା ବିଦ୍ୟାଳୟରେ ୩ ଜଣ ଶିକ୍ଷୟତ୍ରୀ କେବଳ ନିୟୋଜିତ ରହିଛନ୍ତି । ମଢିଆଳି ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ ପିଲା ଶିକ୍ଷାଗ୍ରହଣ କରୁଛନ୍ତି । ସେଠାରେ ୫ ଜଣ ଶିକ୍ଷକ ଆବଶ୍ୟକ ଓ ଅଛନ୍ତି ୪ଜଣ । ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଶିକ୍ଷାସଂଯୋଜକ ଭାବେ କୁଲଣା ସାଧନକେନ୍ଦ୍ରରେ ନିୟୋଜିତ ଅଛନ୍ତି । ଶିକ୍ଷକ ଅଭାବ ପୂରଣ ପାଇଁ ସାତଶୋଳା ବିଦ୍ୟାଳୟରୁ ପିତାମ୍ବର ନାୟକଙ୍କୁ ରାସନାଲାଇଜେସନ ଆଧାରରେ ମଢିଆଳି ବିଦ୍ୟାଳୟକୁ ବଦଳି କରାଯାଇଛି । ଜଣେମାତ୍ର ଶିକ୍ଷକଙ୍କୁ ବଦଳି କରାନଯାଇ ଜଣେ ଶିକ୍ଷୟତ୍ରୀଙ୍କୁ ବଦଳି କରାଯିବା ଉଚିତ ବୋଲି ଯୁକ୍ତିବାଢି ଅଭିଭାବକ କମିଟି ବିଦ୍ୟାଳୟରେ ତାଲା ପକାଇବା ସହ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ । ବଦଳି ହୋଇଥିବା ପିତାମ୍ବର ନାୟକଙ୍କ ବଦଳରେ ଜଣେ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଉ ବୋଲି ସେମାନେ ଦାବି କରିଥିଲେ । ଶନିବାର ସରକାରୀ ଛୁଟି ଦିବସ ଥିବାରୁ ଶିକ୍ଷା ବିଭାଗର କୌଣସି ଅଧିକାରୀ ଧାରଣାସ୍ଥଳକୁ ଯାଇନଥିଲେ । ରୋଷେଇ ଓ ମଧ୍ୟାନ୍ନ ଭୋଜନ ପରିବେଷଣ ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ବିଇଓ ଅଧିର ରଞ୍ଜନ ତରାଇ ମତ ରଖିଛନ୍ତି ।