ଶିକ୍ଷା ଓ କୌଳିକ ବୃତ୍ତି

ଅଜୟ କୁମାର ବେହେରା : ସବୁ ପଶୁ ଆଉ ପକ୍ଷୀ ବଞ୍ଚିବା ପାଇଁ ଆହାର ନିହାତି ଆବଶ୍ୟକ । ଏଥିପାଇଁ ଛୋଟ ଶାବକ ମାନଙ୍କୁ ତାଙ୍କର ବାପମାଆ କିଛି ଦିନ ଖାଦ୍ୟ ଆଧାର ଦିଅନ୍ତି, ମାତ୍ର ଟିକେ ବଡ଼ ହୋଇଗଲେ ତାଙ୍କୁ ତାଙ୍କର ଶିକାର କରି ଖାଦ୍ୟ ସଂଗ୍ରହ ପାଇଁ ବଂଶାନୁକ୍ରମିକ କୌଶଳ ଶିକ୍ଷା ଦିଅନ୍ତି । ଏପରିକି ନିଜର ଆତ୍ମରକ୍ଷା ପାଇଁ ଶତ୍ରୁକୁ ଆକ୍ରମଣର ଶିକ୍ଷା ଦିଅନ୍ତି । ଏଥିରୁ ମନୁଷ୍ୟ ବାଦ ଯାଏନାହିଁ । ମନୁଷ୍ୟ ସବୁ ପଶୁପକ୍ଷୀଙ୍କର ଠାରୁ ଅଧିକ ଚାଲାକ ବୁଦ୍ଧିମାନ କୁହାଯାଏ । ସେ ପଶୁପକ୍ଷୀ ମାନଙ୍କର ଶିକ୍ଷା କୌଳିକ ବା ବଂଶାନୁକ୍ରମିକ । ମନୁଷ୍ୟର ସେପରି ଜ୍ଞାନ ଆହରଣ କୌଳିକ ଓ ବଂଶାନୁକ୍ରମିକ ଥିଲା ମାତ୍ର ଯେତେବେଳେ ଅଧିକ ଶିକ୍ଷା ପାଇଁ ମନୁଷ୍ୟ ଚେଷ୍ଟାଶୀଳ ହେଲେ ସେତେବେଳେ ସ୍ୱକୁଳର ବୃତ୍ତିକୁ ନ ପସନ୍ଦ କରି ଅନ୍ୟ ବୃତ୍ତିକୁ ଖୋଜିବାରେ ଲାଗିଲେ ଓ ଏମିତି କାନୁନ ସରକାର କଲେ ଯହିଁରେ ବୃତ୍ତି ସବୁ ଅପହରଣ ବା ବିଲୋପ ହେଲା । କର୍ମକୁଣ୍ଠ ଲୋକେ ହେଲେ ସରଳରେ ରୋଜଗାର କରି ପଇସା ବିନିମୟରେ ଖାଦ୍ୟ ସଂଗ୍ରହ ଚିନ୍ତାରେ ଆସିଲେ, ପଇସା ପାଇଁ ବହୁ କପଟ  ପଥ ଧରିଲେ । ଜନସଂଖ୍ୟା ବୃଦ୍ଧି ହେବାରୁ ଅଭାବ ଆସିଲା ସତ୍ୟ ମାତ୍ର ସ୍ୱବୃତ୍ତିରେ ନୂଆ ନୂଆ କୌଶଳ ଶିକ୍ଷା ଦିଆ ନଯିବା ଓ ସ୍ୱବୃତ୍ତିର କଞ୍ଚାମାଲକୁ ଅଭାବ ଅନୁଭବ କରି ଅନେକ ପଥ ଛାଡ଼ିଲେ ।

   

    ଅନେକଙ୍କର ବୃତ୍ତି ଧନ୍ଦା ଅନ୍ୟମାନେ କଲେ ଯଥା - ଯୋତାର ଦୋକାନ ଧନାଢ଼୍ୟ ମାନଙ୍କର ଧନ୍ଦା, ମଦ ଦୋକାନ ସରକାର ପଟ୍ଟା ଦେଲେ, ଡଙ୍ଗାଘାଟ ରଦ୍ଧ, ଚୁଡ଼ା ମେସିନରେ କୁଟା ହେଲା, ମାଛ ବାହାର ରାଜ୍ୟରୁ ବିକ୍ରି ପାଇଁ ଆସିଲା, କମାର କାମର ଲଙ୍ଗଳର ଲୁହା, ଦାଆର ଆବଶ୍ୟକତା କମିଲା, ନଡ଼ାଛଣ ଆଣି ଘର  ହେଲା, କାଠ ଉପରେ ବିଧି ନିଷେଧ, ସୂତା କାରଖାନା ଯୋଗୁଁ ବହୁ ଦୂରରେ ଥିବା ସୂତା କାରଖାନାରୁ ଲୁଗା ତିଆରି ପାଇଁ ଭାରି ଶିଳ୍ପକୁ ସୂତା ଚାଲିଗଲା, ଷ୍ଟିଲ ଆଲମୁନିୟମ ହାଣ୍ଡି ପ୍ରସ୍ତୁତ ହେଲା, ହଲରରେ ସେଲରରେ ଧାନକୁଟା ହେଲା, ଫଳରେ ଅନେକ ଗ୍ରାମ୍ୟ କାରିଗର ଜାତିଆଣ ବୃତ୍ତି ରଦ୍ଦ ହୋଇଗଲା । କୌଳିକ ବୃତ୍ତି ରଦ୍ଦ ହେଲା, ଏହାପରେ ଆରମ୍ଭ ହୋଇଗଲା ନିରୁପାୟରେ ଉପାୟ ଖୋଜା । ଛୋଟ ଛୋଟ ତେଜରାତି, ମନୋହରୀ ଦୋକାନ ଆରମ୍ଭ ହେଲା ଯାହା ଦ୍ୱାରା ଏକ ସ୍ଥାନରୁ କ୍ରୟ କରି ଅନ୍ୟ ସ୍ଥାନରେ ବିକ୍ରୟ କରିବା ଧନ୍ଦା ଆରମ୍ଭ ହେଲା ଯାହା ପୂର୍ବେ ଅନ୍ୟମାନେ କୌଳିକ ବୃତ୍ତିରେ କରୁଥିଲେ । ଗ୍ରାମ୍ୟ ନାପିତ ସହରିମୁହା ହୋଇ ସେଲୁନ, ଗ୍ରାମ୍ୟ ଲୁଗା ସଫାକାରୀମାନେ ସହରିମୁହାଁ ହୋଇ ଲଣ୍ଡ୍ରୀ ଖୋଲିଲେ । କିଛି ରୋଷେଆ ନନା ହୋଇ ସହରରେ ହୋଟେଲ ଖୋଲିଲେ, ଦରଜୀ କାର୍ଯ୍ୟ ଏକ କୌଳିକ ବୃତ୍ତିଥିଲା । ତାହା ଅପହରଣ ହୋଇ ଯେ କେହି ଦରଜୀ ମେସିନ ସିଲେଇ କାମ କଲେ । ମାଛଧରା, ମାଛବିକ୍ରି କାର୍ଯ୍ୟ, ମାଛୁଆ, କୈବର୍ତ୍ତଙ୍କ କୌଳିକ ବୃତ୍ତି ।ଏଥିରେ ସଦ୍ୟ ପଇସା ମିଳିଯାଉଛି, ଲୋକଙ୍କ ଚାହିଦା ରହିଛି, ଯେ କେହି ବ୍ୟକ୍ତି ଏପରି ବୃତ୍ତି କରିବାକୁ ଦ୍ୱିଧାବୋଧ କଲେନାହିଁ । 


     ଚାହିଦା ଦୃଷ୍ଟେ ଦ୍ରବ୍ୟ କ୍ରୟ ବିକ୍ରୟ ସର୍ବତ୍ର ଦେଖାଯାଉଛି, ବହୁ ବଣିଜ ଦ୍ରବ୍ୟ ଅନ୍ୟ ରାଜ୍ୟରୁ ଅନ୍ୟ ଦେଶରୁ ଆସୁଛି ଗହମ, ଡାଲି, ସୋରିଷ ତେଲ, ଜିରା, ସୋରିଷ, ଲଙ୍କା, ପିଆଜ, ରସୁଣ ପରି ନିତ୍ୟ ଆବଶ୍ୟକ ଦ୍ରବ୍ୟ ଓଡ଼ିଶାରେ ଚାଷ ଦରକାର ଅନୁଯାୟୀ ହେଉନାହିଁ । ସବୁଦିନେ ଆଳୁ ପିଆଜ ଲୋକଙ୍କର ଯାହା ଦରକାର ତାହା ଅନ୍ୟ ରାଜ୍ୟରୁ ଆସୁଛି । ଏପାଇଁ କୃଷିଜମି ଧାନଚାଷ ପରେ ଖାଲି ପକାଯାଉଛି ଏହାକୁ କାହିଁକି ଚାଷ କରାଯାଉନାହିଁ । ଏଥିରେ କିଏ ପ୍ରୋତ୍ସାହନ ଦେବ ? ସରକାର ଆଦେଶନାମା କ'ଣ ଏଥିରେ କାମ କରିବନାହିଁ ? ଏପରି ଚାଷ ଲାଗି ରହିଲେ ଅନେକ ଗ୍ରାମ୍ୟ ଲୋକେ ବିଶେଷ ଧନ୍ଦା ପାଇ ପାରନ୍ତେ ଏ ଚିନ୍ତା କ'ଣ କାହାରି ମନରେ ପଶୁନାହିଁ । ବଡ଼ଶିଳ୍ପ ଖୋଲିବା କେହି ମନା କରୁନାହିଁ । ମାତ୍ର ପେସାଦାର ଶ୍ରମିକ ଶିଳ୍ପ ଅନୁଷ୍ଠାନ ସନ୍ନିକଟ ସ୍ଥାନରୁ ନିଆଯାଉଛିକି ? ଏ ପାଇଁ ଶିଳ୍ପ ତାଲିମ କେନ୍ଦ୍ର ଯାହାଅଛି ଏଥିରୁ ତାଲିମ ପାଇଁ ପାଠପଢ଼ା ବା ତାଲିମ ଶିକ୍ଷା ନିୟମ କିଛି ପରିଦର୍ଶନ କଲେ ଅଧିକ ଶିକ୍ଷାନବିସ ବର୍ଷକୁ ବର୍ଷ ବାହାରି ପାରନ୍ତେ । ବଡ଼ ବଡ଼ ଶିଳ୍ପ ତାଲିମ କେନ୍ଦ୍ର ଖୋଲିବା ପାଇଁ ଆବଶ୍ୟକ ଡିଗ୍ରୀଧାରୀ ଶିକ୍ଷକ ସର୍ବଦା ନଖୋଜି ପେସାଦାର ସେହି ଶିଳ୍ପରେ ବହୁଦିନ କର୍ମରତ ବିନ୍ଧାଣିଙ୍କୁ କାହିଁକି ତାଙ୍କର ଅନୁଭୂତି ଜ୍ଞାନକୁ ଶିକ୍ଷା ଦେବା ପାଇଁ ନିଆଯାଉନାହିଁ । ଉଦାହରଣ ସ୍ୱରୂପ ଲୁଗା ଗାମୁଛା ପ୍ରସ୍ତୁତ ହେଉଛି । ଏଥିରେ କାର୍ଯ୍ୟରତଙ୍କୁ ପୁରୁଣା କାଳିଆ ଢ଼ଙ୍ଗରେ କାମ କରି ଭଲପଇସା ମିଳୁନାହିଁ । ଏହାଙ୍କୁ ବାନ୍ଧ ତାଲିମ ପରି କୌଶଳ ଶିକ୍ଷା ଦେଲେ ସେମାନେ ତାଙ୍କର ଗୁଜୁରାଣ ମେଣ୍ଟାଇ ପାରିବା ପାଇଁ କଷ୍ଟ ହୁଅନ୍ତା ନାହିଁ । ଏଥିପାଇଁ ରାଜ୍ୟରେ ମଠା ପାଟ ଏଣ୍ଡି ସୂତାରୁ କେମକିତି ଉତ୍ତମ ବସ୍ତ୍ର ବୁଣାଯାଇ ପାରିବ ଏପରି ଶିକ୍ଷା ସ୍ୱଳ୍ପ ଶିକ୍ଷିତଙ୍କୁ ଶିକ୍ଷା ଦେବା ବ୍ୟବସ୍ଥା କରାଗଲେ କ'ଣ କ୍ଷତି ହେବ । ତେଲ ବିଶୁଦ୍ଧ ମିଳୁନାହିଁ । ଗ୍ରାମରେ ଛୋଟ ଛୋଟ ତେଲ ପେଡ଼ିବା ଯନ୍ତ୍ର ଲୋକଙ୍କ ଦ୍ୱାର ଚାଲିବା ବ୍ୟବସ୍ଥା କ'ଣ ହୋଇପାରିବ ନାହିଁ ? ସିମେଣ୍ଟ ଜାଲି, କୂଅ ନନ୍ଦ ସିମେଣ୍ଟର ଅନେକ କାର୍ଯ୍ୟ ଗ୍ରାମରେ ପ୍ରସ୍ତୁତ ପାଇଁ କୁମ୍ଭାର ପରିବାରଙ୍କୁ ଶିକ୍ଷା ଦିଆଯାଇ କ'ଣ ପାରିବ ନାହିଁ ? ପିଲାମାନଙ୍କ ପାଇଁ ଖେଳନା କେହି କିଣିଲେ କେତେ ପଇସା ଦେଉଥିବେ । ତାହା ଅନ୍ୟ ଅଞ୍ଚଳରୁ ଆସୁଛି । ଆମ ଅଞ୍ଚଳରେ ଏହା ବି ତିଆରି କରିହେବ । ଏଥିରେ ମନ ଦେଲେ ହେଲା । ଏ ପାଇଁ ତାଲିମ ଆବଶ୍ୟକ ଓ ମୌଳିକ ଯନ୍ତ୍ରପାତି, କଞ୍ଚାମାଲ କାରିଗରଙ୍କୁ ଯୋଗାଇବା ଦରକାର ।

   ସରକାରରେ ଥିବା ବାବୁମାନେ ଅନେକ ଚିନ୍ତା କରି ଗ୍ରାମରୁ ବେକାରୀ ଦୂରପାଇଁ ଭାବି ଏପରି ଛୋଟ ଛୋଟ ଶିଳ୍ପ ତାଲିମ କେନ୍ଦ୍ର ଗ୍ରାମାଞ୍ଚଳରେ କରନ୍ତୁ ଯହିଁରେ ଦେଶର ଦାରିଦ୍ର୍ୟ ଯିବ ଓ ଲୋକେ କାମ ପାଇଗଲେ ଅଶାନ୍ତି ଭୋକରେ ରହିବେ ନାହିଁ । ଚୋରି ହ୍ରାସ ପାଇବ, ହିଂସା କମିବ । ପଶୁପକ୍ଷୀ ଖାଦ୍ୟ ପାଇଁ ନିଜେ ଚେଷ୍ଟା କରନ୍ତି । ଯାହା ମିଳିଲା ସେଥିରୁ ସେଦିନ ସନ୍ତୋଷ ରହନ୍ତି । ପରିଶ୍ରମ ନକଲେ ସେ ବଞ୍ଚି ପାରନ୍ତେ ନାହିଁ । ପଶୁପକ୍ଷୀଠାରୁ ମନୁଷ୍ୟ ଅନେକ ଶିକ୍ଷା କରିଛି । ଏହା କାହିଁକି ଶିଖିବ ନାହିଁ । ଅନେକ ପ୍ରକାର କାମ ବୁଦ୍ଧି ଖୋଲିଗଲେ ଦେଖାଯିବ । ନିର୍ବୁଦ୍ଧିଆ ହେଲେ ସମୟ ବୃଥା,ପରାନ୍ନଭୋଜୀ ହେବା ସାର । ସରକାର କର ଆଦାୟ ଯଦି ଅଧିକ ପାଇବାକୁ ଚାହାଁନ୍ତି ତେବେ ଛୋଟ ଛୋଟ ଶିଳ୍ପ ତାଲିମ କେନ୍ଦ୍ର ତୁରନ୍ତ ଖୋଲନ୍ତୁ । ସ୍ଥାନ ଅନୁସାରେ ଚାହିଦା ଦୃଷ୍ଟେ ବିଚାର କରି ଲୋକଙ୍କୁ ପ୍ରଥମେ ବୟସବାଧକ ନରଖି ତାଲିମ ଦିଅନ୍ତୁ ତାପରେ ବୟସକୁ ପ୍ରାଧାନ୍ୟ ଦେଇପାରିବେ ।

 
ଦୂରଭାଷ : ୯୪୩୭୦୩୧୨୫୩