ଶିଳ୍ପାନୁଷ୍ଠାନ ସ୍ଥାପନ କରିବାକୁ ଦାବି
ନୂଆପଡା : ଭାରତୀୟ ମଜଦୁର ସଂଘ ନୂଆପଡା ଜିଲ୍ଲା ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଳ୍ପାନୁଷ୍ଠାନ ସ୍ଥାପନ ନିମନ୍ତେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିରେ ଜିଲ୍ଲାରୁ ପ୍ରତିବର୍ଷ ଶ୍ରମିକ ମାନେ ରାଜ୍ୟ ବାହାରକୁ ନିୟମିତ ଭାବରେ ଦାଦନ ଖଟିବା ପାଇଁ ଯିବା ଏକ ସାଧାରଣ ସମସ୍ୟା ହୋଇ ରହିଆସିଛି । ଏହି ଜିଲ୍ଲାରେ ଶ୍ରମ ନିଯୋଜନ ଭିତ୍ତିକ କୌଣସି ପ୍ରକାର ଶିଳ୍ପାନୁଷ୍ଠାନ କିମ୍ୱା ଅନ୍ୟକୌଣସି ବିକଳ୍ପ ପ୍ରତିଷ୍ଠାନ ନାହି । ଫଳରେ ହଜାର ହଜାର ଶ୍ରମିକ ସୁଦୂର ଆନ୍ଧ୍ର ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ଓ ଛତିଶଗଡକୁ ଦାଦନ ଖଟିବାକୁ ଯାଇ ଶାରୀରିକ, ମାନସିକ ଓ ଆର୍ଥିକ ଶୋଷଣର ଶିକାର ହୋଇ ଜୀବନ ହରାଉଥିବା ଦୃଷ୍ଟାନ୍ତମାନ ରହିଛି । ଏହି ଜିଲ୍ଲାରେ ଉଭୟ ଖଣିଜ ଓ କୃଷିଭିତ୍ତିକ ଶିଳ୍ପ ସ୍ଥାପନର ପର୍ଯ୍ୟାପ୍ତ ସୁଯୋଗ ଥିବା ସୱେ ମଧ୍ୟ କୌଣସି ପ୍ରକାର ସରକାରୀ ଉଦ୍ୟମ କରାଯାଇନାହିଁ । ବିପୁଳ ପରିମାଣରେ ଚୂନ ପଥର, ଗ୍ରାଫାଇଟ ଓ ଗ୍ରାନାଇଟ ଏହି ଜିଲ୍ଲାର ଖଣିରୁ ଉତ୍ତୋଳିତ ହୋଇ ଅନ୍ୟତ୍ର ସ୍ଥାନାନ୍ତର ହୋଇ ପ୍ରକ୍ରିୟାକରଣ ହେଉଅଛି । ଏହି ଠାରେ କୃଷି ଶିଳ୍ପର ବିକାଶ ପାଇଁ ମଧ୍ୟ କଞ୍ଚାମାଲର ଅଭାବ ନାହି । ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଳ୍ପାନୁଷ୍ଠାନ ଗୁଡିକ ସ୍ଥାପନ ଭାରତୀୟ ମଜଦର ସଂଘ ଦାବୀ କରିଛନ୍ତି । ଦାବି ସମୟରେ ସଂଘ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦଣ୍ଡସେନା, ଜିଲ୍ଲା ସମ୍ପାଦକ ବାବୁଲାଲ ମାଝୀ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।