ଶୌଚାଳୟରୁ ଲୁହା ଗ୍ରୀଲ ତାଡ଼ିନେଲେ ଦୁର୍ବୃତ୍ତ
ତାଳଚେର: ତାଳଚେର ସହରରେ ବ୍ୟାପକ ଭାବେ ବୃଦ୍ଧି ପାଇଛି ଚୋରି ଓ ରାହାଯାନୀ, ତାହା ପୁଣି ସ୍ପଷ୍ଟ ଦିବାଲୋକରେ । କେତେ ବେଳେ ଦୁର୍ବୃତ୍ତମାନେ ବାଟୋଇ, ବାଇକ୍ ଆରୋହୀଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ଘରେ ପଶି ଲୁଟପାଟ କରୁଛନ୍ତି । ହେଲେ ଏମାନଙ୍କର ଟେର୍ ପାଉନି ତାଳଚେର ପୁଲିସ୍ । ଏହି ଚୋରି ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ଏବେ କିନ୍ତୁ ଘରର ଲୁହା ସାମଗ୍ରୀ ଉପରେ ଚୋରଙ୍କର ପଡ଼ିଛି ଲୋଲୁପ ଦୃଷ୍ଟି । ସେମାନଙ୍କ ପାଇଁ ପୁଲିସର ରାତ୍ରି ପାଟ୍ରୋଲିଂ ଦେଉନି କାମ, ଗୋଟାଏ ପରେ ଗୋଟାଏ ଘଟଣା ଘଟାଉଛନ୍ତି ଚୋରମାନେ । ଏପରି ଏକ ଘଟଣା ଘଟିଛି ଖୋଦ୍ ଥାନା ଠାରୁ ଅଧା କିମି ଦୂର ରାମଚନ୍ଦ୍ର ବଜାରେ । ସେଠାରେ ଥିବା ପୌରପରିଷଦ ପକ୍ଷରୁ ଏକ ଶୌଚାଳୟ ନିର୍ମିତ କରାଯାଇଥିଲା । ମାତ୍ର ସେହି ଶୌଚାଳୟ ସମ୍ମୁଖରେ ଲାଗିଥିବା ମୂଲ୍ୟବାନ୍ ବିରାଟକାୟ ଲୁହାଗ୍ରୀଲକୁ ତାଡ଼ିନେଇ ଚୋରମାନେ ପଳାଯାଇଥିବା ଜଣାପଡ଼ିଛି । ଯାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।