ଶ୍ରୀଜଗନ୍ନାଥଙ୍କ ଦୈନିକ ନୀତି
କିଶୋର କୁମାର ଜେନା: ଯୁଗ ଯୁଗ ଧରି ପ୍ରଚଳିତ ବିଭିନ୍ନ ଧର୍ମ ଓ ଉପାସନାର ଧାରା ଶ୍ରୀଜଗନ୍ନାଥଙ୍କ ପୂଜା ପଦ୍ଧତିରେ ପ୍ରତିଫଳିତ ହୋଇ ଏହାକୁ ଏକ ଜୀବନ୍ତ ଓ ଶାଶ୍ୱତ ମାନବୀୟ ଧର୍ମରେ ପରିଣତ କରିଛି । ମାନବଜାତିର ଆଧ୍ୟାତ୍ମିକ ଇତିହାସ ସୃଷ୍ଟି ନିମନ୍ତେ ଶ୍ରୀମନ୍ଦିରର ଦ୍ୱାର ସମସ୍ତଙ୍କ ପାଇଁ ସଦାସର୍ବଦା ଉନ୍ମୁକ୍ତ । ଏଥିରେ ରାମଭକ୍ତ, କୃଷ୍ଣ ଭକ୍ତ, ଶିବୋପାସକ, ଶକ୍ତି ସାଧକ, ହନୁମାନ ଭକ୍ତ, ଗଣେଶୋପାସକ, ବୁଦ୍ଧ, ଜୈନ, ଅଲେଖ, ବ୍ରହ୍ମବାଦୀ ଆଦି ଗୋଷ୍ଠୀ ଭେଦର ସ୍ଥାନ ନାହିଁ । ଜଗନ୍ନାଥ ଏକ ଅନିର୍ବଚନୀୟ ଭାବାତୀତ ବାସ୍ତବତାର ପ୍ରତୀକ, କ୍ଷୟ, ଅକ୍ଷୟ, ସ୍ଥିର ଓ ପରିବର୍ତ୍ତନଶୀଳ ଚେତନାର ବହୁ ଊଦ୍ଧ୍ୱର୍ରେ । ସେ ଜଳ, ସ୍ଥଳ, ବନ, ଅଗ୍ନି, ବିରାଜିତ, ଋଗବେଦୀୟ "ତଦ୍ ଏକଂ' ବା "ତଦେକଂ' ଭାବର ପ୍ରତିରୂପ । ସେହି ଆଦି "ଏକ'ର ଉତ୍ପତ୍ତି ସମ୍ବନ୍ଧରେ ଋଗବେଦ କହେ - "ନ ମୃତୁ୍ୟରାସୀଦମୃତଂ ନ ତର୍ହିନ ରାତ୍ୟାଅହ୍ନ ଆସୀତ ପ୍ରକେତଃ ।ଆନୀଦବାତଂ ସ୍ୱଧୟାତଦେବଂ ତସ୍ମାଧାନ୍ୟନ୍ନପରଃ କିଂ ଚନାସ । ତମ ଆସୀତ୍ ତମସା ଗୁଢ଼ମଗ୍ରେଦ୍ଧପ୍ରକେତଂ ସଲିଳଂ ସର୍ବମାଇଦଂ । ତୁଚ୍ଛ ଯେ ନାଭ୍ୱ ପିହିତଂ ଯଦାସୀତ୍ତପସସ୍ତନ୍ନହିନା ଜାୟତୈଜମ୍ ।'ଅର୍ଥାତ୍ ଯେତେବେଳେ ଜଗତ, ମୃତୁ୍ୟ, ଦିବାରାତ୍ରି, ବାୟୁ, ଆକାଶାଦି କିଛି ନଥିଲା, ସର୍ବତ୍ର ଅନ୍ଧକାର ପରିବ୍ୟାପ୍ତ ଥିଲା, ସେତେବେଳେ ସେହି ମହାଶୂନ୍ୟ ମଧ୍ୟରେ ତେଜର ମହାଶକ୍ତିରୁ "ଏକ'ର ଉତ୍ପତ୍ତି ହେଲା । ଗବେଷକ ଡକ୍ଟର ସୂର୍ଯ୍ୟନାରାୟଣ ଦାସଙ୍କ ତଥ୍ୟ ଅନୁଯାୟୀ ଜଗନ୍ନାଥଙ୍କ ପୂଜାବିଧି, ଦୈନିକ ନୀତି ଓ ଭୋଗରାଗ ଆଦିରୁ ଜଣାଯାଏ ଯେ ତାଙ୍କୁ କେବଳ ଜଗତର ନାଥ ରୂପରେ ନୁହେଁ, ଏହି ମାଟି ଓ ମଣିଷର ସର୍ବୋଚ୍ଚ କର୍ତ୍ତା ରୂପରେ ଗ୍ରହଣ କରାଯାଇଛି । ଏ ଦେଶର ଗଜପତି ତାଙ୍କର ପରମ ସେବକ ତଥା ଏ ରାଜ୍ୟ ଓଡ଼ିଶା ମଧ୍ୟ ଜଗନ୍ନାଥ ଦେଶ ନାମରେ ବିଖ୍ୟାତ । ଡକ୍ଟର ସତ୍ୟବାଦୀ ମିଶ୍ରଙ୍କ ଭାଷାରେ - “ ଐର ସଗ୍ଦ ଗ୍ଦକ୍ଟ ଜ୍ଞଙ୍କମଷ ଷଙ୍କଜ୍ଞବଦ୍ଭ, ଗ୍ଦକ୍ଟ ଜ୍ଞଙ୍କମଷ ୟସଙ୍ଖସଦ୍ଭର ବଦ୍ଭୟ ଗ୍ଦକ୍ଟ ଜ୍ଞଙ୍କମଷ ରଙ୍ଖରକ୍ସ ଜ୍ଞକ୍ଟକ୍ସର ବଭକ୍ଟଙ୍କଗ୍ଧ ଗ୍ଧକ୍ଟ ଭର ଗ୍ଧଷବଗ୍ଧ ଷର ଭବଗ୍ଧଗ୍ଧକ୍ଷରଗ୍ଦ ବକ୍ଷକ୍ଷ କ୍ଟଙ୍କକ୍ସ ଙ୍କଦ୍ଭୟରକ୍ସଗ୍ଦଗ୍ଧବଦ୍ଭୟସଦ୍ଭଶ, ଗ୍ଦଙ୍କକ୍ସକ୍ଟ୍ରବଗ୍ଦଗ୍ଦରଗ୍ଦଗ୍ଦ ବକ୍ଷକ୍ଷ କ୍ଟଙ୍କକ୍ସ କ୍ଷକ୍ଟଶସମ ବଦ୍ଭୟ କ୍ଷବଦ୍ଭଶଙ୍କବଶର”.( ସେ ମାନବ, ସେ ଈଶ୍ୱର ଏବଂ ତା’ଠାରୁ ମଧ୍ୟ ଆହୁରି ଅନେକ କିଛି ଯାହା ଆମ ବୋଧଶକ୍ତି, ଯୁକ୍ତି ଓ ଭାଷାର ବହୁ ଊଦ୍ଧ୍ୱର୍ରେ ।) ।
ମହାପ୍ରଭୁ ଲୀଳାମୟ ଶ୍ରୀଜଗନ୍ନାଥ ହେଉଛନ୍ତି ଏପରି ଚଳନ୍ତି ପ୍ରତିମା ଯିଏ କି ଆମ ସହିତ ନିତ୍ୟ ଚଳପ୍ରଚଳ ହୁଅନ୍ତି, ସେ ଆମ ଅତିପ୍ରିୟ ଅତି ଆପଣାର । ତାଙ୍କର ନିତିଦିନିଆ ନୀତି ବାସ୍ତବିକ ଅବର୍ଣ୍ଣନୀୟ । ଶ୍ରୀମନ୍ଦିରର ନିତିଦିନିଆ ନୀତିକାନ୍ତି ସମ୍ପର୍କରେ ସ୍ପଷ୍ଟ ଭାବେ ସ୍ୱତ୍ତ୍ୱଲିପିରେ ଲିପିବଦ୍ଧ ରହିଛି । ଶ୍ରୀଜୀଉଙ୍କ ସର୍ବପ୍ରଥମ ପ୍ରତୁ୍ୟଷରୁ ଯେଉଁ ପ୍ରଥମ ନୀତିଟି ଆରମ୍ଭ ହୋଇଥାଏ ତାହା ହେଉଛି ଦ୍ୱାରଫିଟା ନୀତି । ଏଥିପାଇଁ ଭିତରଚ୍ଛ ମହାପାତ୍ର, ପ୍ରତିହାରୀ, ମୁଦୁଲି, ଅଖଣ୍ଡ ମେକାପ ଓ ପାଳିଆ ମେକାପ ସେବାୟତଙ୍କ ଉପସ୍ଥିତି ଲୋଡ଼ା ପଡ଼ିଥାଏ । ଏହାପରେ ସକାଳ ଛଅଟା ବେଳକୁ ଅର୍ଥାତ୍ ମଙ୍ଗଳ ଆଳତି ଶେଷ ହେବା ପରେ ମଇଲମ ହୋଇଥାଏ ।
ଏହାପରେ ଶ୍ରୀଜୀଉଙ୍କ ଦନ୍ତମାର୍ଜନ ଓ ସ୍ନାନକୁ ଅବକାଶ ନୀତି ହୋଇଥାଏ । ପୁଷ୍ପାଳକ, ସୁଆର ବଡ଼ୁ, ପାଣିଆପଟ, ଖଟୁଳି ସେବକ, ଦର୍ପଣିଆ, ମୁଖୀ ପଖାଳ, ପଢ଼ିଆରୀ, ଅଁଳା ଘଟୁଆରୀ, ମୁଖ ପଖାଳ, ପୁଷ୍ପାଳକ, ଭଣ୍ଡାର ମେକାପ, ମହାଭୋଇ ଓ ମନ୍ଦିର ଜ୍ୟୋତିଷ ଆଦି ନୀତି ସମ୍ପାଦନ କରିଥାନ୍ତି । ଏହାପରେ ବାରଲାଗି ଖଣ୍ଡୁଆପାଟ ତିନି ଠାକୁରଙ୍କୁ ପୁଷ୍ପାଳକମାନେ ଅର୍ପଣ କରିଥାନ୍ତି । ଏହି ସମୟରୁ ଅଖଣ୍ଡ ବଇଠା ଜଳିଥାଏ ଯାହା ରାତ୍ର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ପ୍ରଜ୍ଜ୍ୱଳିତ ହେବାର ବିଧାନ ରହିଛି । ଏହାପରେ ସାହାଣମେଲା ନୀତି ହୋଇଥାଏ । ଏଥିରେ କେତେକ କ୍ଷେତ୍ରରେ ପରମାଣିକ ଫି ପ୍ରଦାନ କରାଯାଇ ଦର୍ଶନାର୍ଥୀ ସ୍ୱତନ୍ତ୍ର ଧାଡ଼ିରେ ଯାତ୍ରା କରିଥାନ୍ତି ଏବଂ ଏହା ବାଦ ନିଃଶୁଳ୍କରେ ମଧ୍ୟ ଦର୍ଶନର ସୁଯୋଗ ରହିଥାଏ । ଶ୍ରୀଜୀଉଙ୍କ ଭିନ୍ନ ଭିନ୍ନ ଋତୁରେ ଓ ପର୍ବ ଦିନମାନଙ୍କରେ ଭିନ୍ନ ଭିନ୍ନ ବସ୍ତ୍ର ଓ ଅଳଙ୍କାର ବେଶ କରାଯାଏ । ପୁଷ୍ପାଳକମାନେ ସବୁ ବେଶ କରନ୍ତି ।
ପ୍ରତିଦିନ ସକାଳ ଆଠଟା ମଧ୍ୟରେ ରୋଷ ହୋମ ହୋଇଥାଏ । ପୂଜାପଣ୍ଡା ଏହି ବେଶ ଲାଗି ଓ ରୋଷ ହୋମ କରିଥାନ୍ତି । ଏହାପରେ ସୂର୍ଯ୍ୟପୂଜା ନୀତି ପୂଜାପଣ୍ଡା କରିଥାନ୍ତି । ଜୟବିଜୟ ଦ୍ୱାରରେ ଦୁଇ ଦ୍ୱାରପାଳ ଜୟ ଓ ବିଜୟଙ୍କ ପୂଜା ନୀତି ଏହି ପୂଜାପଣ୍ଡା ହିଁ କରିଥାନ୍ତି । ସକାଳ ନଅଟା ବେଳକୁ ଆମ ମାନଙ୍କର ବ୍ରେକଫାଷ୍ଟ ପରି ଶ୍ରୀଜୀଉଙ୍କ ଜଳଖିଆକୁ ଗୋପାଳବଲ୍ଲଭ ଭୋଗ କୁହାଯାଏ, ଏହା ହିଁ ସମ୍ପାଦନ ହୁଏ । ପଞ୍ଚ ଉପଚାର ଅର୍ପଣ ଭୋଗ ନୀତିରେ ପୂଜାପଣ୍ଡା ଶ୍ରୀଜୀଉଙ୍କୁ ନଡ଼ିଆ କୋରା, ପାଗ ଖଇ, ନଡ଼ିଆ, ପାଚିଲା କଦଳୀ ଓ ଖୁଆମଣ୍ଡା ଅର୍ପଣ କରାଯାଏ । ସକାଳ ଧୂପରେ କୋଠଭୋଗ ବା ରାଜଭୋଗ ସମର୍ପଣ ହୁଏ । ଏହାକୁ ସୁପକାରମାନେ ପ୍ରସ୍ତୁତ କରିଥାନ୍ତି । ଶ୍ରୀଜୀଉଙ୍କର ମଇଲମ ନୀତି ସକାଳ ୧୧ଟା ବେଳକୁ ସକାଳ ଧୂପ ପରେ ସମ୍ପାଦନ ହେବାର ବ୍ୟବସ୍ଥା ରହିଛି ।
ଶ୍ରୀଜୀଉଙ୍କ ବସ୍ତ୍ର ବଦଳା ଯାଇଥାଏ । ଶ୍ରୀଜୀଉଙ୍କ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଧାରିତ ସମୟ ରହିଛି ମଧ୍ୟାହ୍ନ ୧୨.୩୦ରୁ ୧ଟା ପର୍ଯ୍ୟନ୍ତ କିନ୍ତୁ ବେଳେ ବେଳେ ନୀତି ବିଳମ୍ବ ପାଇଁ ଏବେ ବିଳମ୍ବରେ ମହାପ୍ରସାଦ ପ୍ରସ୍ତୁତ ହେଉଛି । ସଂଧ୍ୟା ୬ଟା ସମୟକୁ ଶ୍ରୀଜୀଉଙ୍କ ଦ୍ୱାରଫିଟା ପରେ ସଂଧ୍ୟା ଆରତି ହୋଇଥାଏ । ଏହି ସେବାକୁ ତିଳଚ୍ଛ ମହାପାତ୍ର ଓ ବଳଭଦ୍ର ଏବଂ ସୁଭଦ୍ରାଙ୍କର ଆରତି ଅନ୍ୟ ଦୁଇଜଣ ପୁଷ୍ପାଳକ ସିଂହାସନ ତଳେ ଠିଆ ହୋଇ କରିଥାନ୍ତି । ଏହାପରେ ସଂଧ୍ୟାଧୂପ ଆରତି ଯାହାକୁ "ଜୟମଙ୍ଗଳ ଆରତି' କୁହାଯାଇଥାଏ, ପୂଜାପଣ୍ଡାମାନେ ଏହି ନୀତି ସମ୍ପାଦନ କରନ୍ତି । ସଂଧ୍ୟା ଧୂପ ପରେ ସାହାଣମେଲାରେ ଭକ୍ତଜନ ଶ୍ରୀଜୀଉଙ୍କ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ସଂଧ୍ୟାଧୂପରେ ଶ୍ରୀଜୀଉଙ୍କ ମଇଲମ ଓ ଚନ୍ଦନ ଲାଗି ହୋଇଥାଏ । ଖଣ୍ଡୁଆ ଓ ଶାଢ଼ିରେ ଶ୍ରୀଜୀଉ ଅପୂର୍ବ ମନଲୋଭା ଦର୍ଶନ ଦେଇଥାନ୍ତି । ପୁଷ୍ପାଳକମାନେ ଶ୍ରୀଜୀଉଙ୍କୁ ଦିବ୍ୟ ଚନ୍ଦନରେ ସୁସଜ୍ଜିତ କରିଥାନ୍ତି । ଏହାପରେ ଅର୍ଥାତ୍ ରାତ୍ର ସାଢ଼େ ଦଶଟା ସମୟରେ ପୁଷ୍ପାଳକମାନେ ଶ୍ରୀଜୀଉଙ୍କୁ ବାରଲାଗି ପାଟ ପିନ୍ଧାଇ ଯେଉଁ ନୀତି ସମ୍ପାଦନ କରନ୍ତି ତାହାକୁ ବଡ଼ସିଂହାର ବେଶ କୁହାଯାଏ । ଏହାପରେ ପୂଜାପଣ୍ଡା ପଞ୍ଚ ଉପଚାର ନୀତିରେ ଶ୍ରୀଜୀଉଙ୍କ ଶେଷ ଭୋଗ ଭାବେ ପରିଚିତ ବଡ଼ସିଂହାର ଭୋଗ କରିଥାନ୍ତି । ସ୍ୱତ୍ତ୍ୱଲିପିର ତଥ୍ୟ ଅନୁଯାୟୀ ରାତ୍ରି ବାରଟାର ମଧ୍ୟରେ ଶ୍ରୀଜୀଉଙ୍କ ଶୟନ ନୀତି ସମ୍ପାଦନ ହେବା କଥା । ପାଳିଆ ପୁଷ୍ପାଳକ ଓ ଭଣ୍ଡାର ମେକାପ ଏହି ନୀତି ସମ୍ପାଦନା କରନ୍ତି । ଏହାପରେ ଦିଅଁ ମାନଙ୍କର ପଇଡ଼ ଓ ବିଡ଼ିଆ ମଣୋହି ହୁଏ । ପୁଷ୍ପାଳକମାନେ ସିଂହାସନ ତଳେ ଠିଆ ହୋଇ କର୍ପୂର ଆରତି କରନ୍ତି । ଆରତି ସମୟରେ ଦେବଦାସୀ (ଭିତର ଗାଆଣା) କଳାହାଟ ଦ୍ୱାରରେ ରହି ଭଜନ ଗାନ କରିବାର ଯେଉଁ ପରମ୍ପରା ଥିଲା ତାହା ଏବେ ବନ୍ଦ ଅଛି । କହିବାକୁ ଗଲେ ଶ୍ରୀଜୀଉଙ୍କ ନିତିଦିନିଆ ସାଧାରଣ ଦିନଚର୍ଯ୍ୟାର ଏହା ହେଉଛି ସଂକ୍ଷିପ୍ତ ଆଲେଖ୍ୟ । ତେବେ ପର୍ବପର୍ବାଣି ଓ ସ୍ୱତନ୍ତ୍ର ଦିନ ମାନଙ୍କରେ ଏହି ନୀତି ନିର୍ଘଣ୍ଟର କେତେକ କ୍ଷେତ୍ରରେ ବ୍ୟତିକ୍ରମ ହୋଇଥାଏ ଏବଂ ଅନ୍ୟ କେତେକ କ୍ଷେତ୍ରରେ ସ୍ୱତନ୍ତ୍ର ନୀତିକାନ୍ତି ଯୋଡ଼ା ହୋଇଥାଏ । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି, ପୂଜା ବିଧି ପର୍ବ ଓ ପାର୍ବଣ ଭିତରେ ଆମ ମାନଙ୍କର ପଞ୍ଚ ଜ୍ଞାନେନ୍ଦ୍ରିୟକୁ ଚେତାଇ ଦେବା ସହ ନିତିଦିନିଆ ଜୀବନ ନୀତି ଓ ଧର୍ମ ସମ୍ପର୍କରେ ସୂଚୀତ କରିଥାଏ । ଶ୍ରୀଜଗନ୍ନାଥଙ୍କ ସେବା ପୂଜାବିଧିରେ ଓଡ଼ିଶା ଜନଜୀବନର ପ୍ରାତ୍ୟହିକ ଆଚରଣ ବିଧିର ପ୍ରତିଫଳନ ଦେଖାଯାଏ । ଅଲୌକିକ, ଆଧ୍ୟାତ୍ମିକ ଆକର୍ଷଣ ଓ ଶ୍ରୀଜୀଉଙ୍କ ଲୌକିକ ଆଚରଣ ବିଧି ସମଗ୍ର ଜନ ମାନସକୁ ଏକ ବିଶ୍ୱ ଚେତନାରେ ପରିଣତ କରିପାରିଛି । ଆମ ମାନଙ୍କ ଭିତରେ ଯେ କେହି ଏହି ଜୀବନ ଚେତନା ଓ ବିଶ୍ୱବୋଧ ଭାବନାକୁ ବୁଝିବାରେ ସମର୍ଥ ହେବ ସେ ସ୍ୱୟଂ ହୋଇପାରିବେ "ଜଗନ୍ନାଥ' । ତାଙ୍କର ଜୀବନ ମୋକ୍ଷ ହିଁ ଅମୃତ ଉପଲବ୍ଧି ।
ମୋ: ୭୩୨୫୯୦୪୯୨୭