ଶ୍ରୀଜଗନ୍ନାଥ ସଂସ୍କୃତି
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ଜାତିର ଚିନ୍ତା, ଚେତନା, ଭାବ, ଅନୁଭବ, ମୂଲ୍ୟବୋଧ, ମହତଲକ୍ଷ୍ୟ, କାର୍ଯ୍ୟଧାରା, ବୃତ୍ତି, ପ୍ରବୃତ୍ତି, ସାଫଲ୍ୟ ଓ ବିକାଶର ଧାରା ହିଁ ସଂସ୍କୃତ । ସଂସ୍କୃତି ହେଉଛି ମାନବ ସଭ୍ୟତାର ପ୍ରାଣ । ଜାତିର ଜୀବନ ଯାପନ ଧାରା ରୁଚି ସଂପନ୍ନ ଓ ମାର୍ଜିତ ହେଲେ ସଂସ୍କୃତର ଅଭୁ୍ୟଦୟ ଘଟେ ତଥା ଭାଷା, ସାହିତ୍ୟ, କଳା, ଶିଳ୍ପ, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତ ଓ ଦର୍ଶନ ପ୍ରଭୃତିରେ ଏହାର ପରିପ୍ରକାଶ ଘଟିଥାଏ । ଆମ ଓଡ଼ିଶାରେ ଶ୍ରୀଜଗନ୍ନାଥ ଉପାସନା କେବେଠାରୁ ଆରମ୍ଭ ହେଲା ଇତିହାସ ତହିଁର କାଳ ନିର୍ଣ୍ଣୟ କରିପାରିନାହିଁ । ସେହି ଶ୍ରୀଜଗନ୍ନାଥ ଉପାସନାକୁ କେନ୍ଦ୍ରକରି ବିଶାଳ ଓଡ଼ିଶା ଭୂଖଣ୍ଡ ଯେଉଁ ସଂସ୍କୃତି ଉଦ୍ଭବ ହୋଇଥିଲା ତାହା ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ସଂସ୍କୃତିର ପ୍ରଚାର ପ୍ରସାର କରିଛି ।
ପୁରୁଷୋତ୍ତମ ଜଗନ୍ନାଥ ଚେତନା ସହିତ ବିକଶିତ ବୈଶିଷ୍ଟ୍ୟ ଦ୍ୱାରା ଅଭିପୂରିତ ଜୀବନଶୈଳୀ ‘ଶ୍ରୀଜଗନ୍ନାଥ ସଂସ୍କୃତି’ ନାମରେ ଓଡ଼ିଶାରେ ଜନ୍ମ ନେଇଥିଲେ ହେଁ ପରବର୍ତ୍ତୀ କାଳରେ ଆବିଶ୍ୱ ପ୍ରସାରିତ ହୋଇଥିଲା । ମହନୀୟତା ହେଉଛି, ଏହି ସଂସ୍କୃତି ଜାତି, ବର୍ଣ୍ଣ, ସଂପ୍ରଦାୟ ଭେଦରେ ବିଭାଜିତ ନହୋଇ ଆବିଶ୍ୱ ସଂପ୍ରସାରିତ ହୋଇଥିଲା । ଆଧ୍ୟାତ୍ମିକତାର ସୋ÷ରଭରେ ପ୍ରଫୁଲ୍ଲିତ ତଥା ଆଧ୍ୟାତ୍ମିକ ସ୍ପନ୍ଦନରେ ଉତ୍ଫୁଲ୍ଲିତ ସେହି ସଂସ୍କୃତିର ଆଚାର, ବିଚାର, ପରମ୍ପରା ଜନଜୀବନ ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ ହୋଇ ମାନବୀୟ ପ୍ରଜ୍ଞାର ଉତ୍ତରୋତ୍ତର ଅଭିବୃଦ୍ଧି ଘଟାଇଛି ତଥା ମାନବ ସମାଜର ଜୀବନଚର୍ଯ୍ୟାକୁ ସରସ, ସୁନ୍ଦର, ସମୃଦ୍ଧ ସୃଜନଶୀଳ ଓ ପରିପୂର୍ଣ୍ଣ କରିପାରିଛି । ଶ୍ରୀଜଗନ୍ନାଥ ଚେତନାରେ ସାନ, ବଡ, ଛୁଆଁ, ଅଛୁଆଁ, ଧନୀ, ଗରିବ, ରୋଗୀ, ଭୋଗୀ, ଜାତି, ଅଜାତି, ଦେଶୀ ବିଦେଶୀର ଭାବ ନାହିଁ । ତାଙ୍କ ଚକାନୟନରେ ସଭିଁଏ ସମାନ । ତାଙ୍କ ନିକଟକୁ ଯିଏ ଆସିଛି ସିଏ ପାବନ ହୋଇଛି । ଅଗଣିତ ପତିତଙ୍କୁ ପାବନ କରିବାକୁ ସେ ଘୋଷଯାତ୍ରାରେ ପତିତପାବନ ଲୀଳା ସଂରଚନା କରୁଛନ୍ତି । ନିଜକୁ ପତିତ ଭାବିଲେ ହିଁ ତାଙ୍କ ପାବନ ସ୍ୱରୂପ ଉପଲବଧି ହୋଇଥାଏ । ଏହି ଚେତନାରେ ଲକ୍ଷେ ରାଜାଙ୍କର ମଉଡ଼ମଣି ଗଜପତି ମହାରାଜା ସକଳ ରାଜକୀୟ ସ୍ୱାଭିମାନ ପରିହାର କରି ପତିତ ରୂପରେ ତାଙ୍କ ସେବା ସଂପନ୍ନ କରିଥାନ୍ତି । ଶ୍ରୀଜଗନ୍ନାଥଙ୍କର ଏହି ପତିତପାବନ ଲୀଳାରେ ଅବଗାହନ କରିବା ନିମିତ୍ତ ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ପଦାର୍ପଣ କରିଥାନ୍ତି । ତାଙ୍କ ଶରଧାବାଲି ଛୁଇଁବା ମାତ୍ରେ ଭାବ ମହାଭାବରେ ରୂପାନ୍ତରିତ ହୋଇଯାଏ । ସଭିଙ୍କ କଣ୍ଠରୁ ଆପେ ଆପେ ବାହାରିଯାଏ:-
“ପତିତାନାଂ ପତିତୋହଂ ତ୍ୱମେବ ପାପହୀରକମ୍
ପାବନ ପୁରୁଷ ! ଦେହି ନିଶ୍ଚଳା ଭକ୍ତି ମେ ବିଭୋ ।”
ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଦିବ୍ୟସନେ୍ଦଶ ହେଉଛି ବିଶ୍ୱମୈତ୍ରୀ । ମାନବ ଜାତିର ଇତିହାସରେ ଶୀର୍ଷ ଆସନ ଅଳଙ୍କୃତ କରିଥିବା ଏହି ଯାତ୍ରା ସ୍ୱକୀୟ ପ୍ରସାରଣଶୀଳତାରେ ବିଶ୍ୱ ସଂସ୍କୃତିକୁ ସ୍ପନ୍ଦିତ କରିପାରିଛି । ବିଶ୍ୱର କୋଣେ ଅନୁକୋଣେ ଘୋଷଯାତ୍ରା ଅନୁଷ୍ଠିତ ହୋଇ ବିଶ୍ୱାତ୍ମଚେତନା ଅନୁଭୂତ । ବିଶ୍ୱ ସମ୍ବିଧାନର ପ୍ରତିକାତ୍ମକ ବିଗ୍ରହ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ବିଶ୍ୱପ୍ରସିଦ୍ଧ ଗଣମହୋତ୍ସବ ସ୍ୱରୂପରେ ପ୍ରତିଭାତ ହୋଇ ‘ବସୁଧୈବ କୁଟୁମ୍ବକମ୍’ ଚେତନାର ସଂଚରଣ କରୁଛି । ଏହି ଗଣ ମହୋତ୍ସବରେ ମାନବବାଦ ସାକାର ରୂପ ଧାରଣ ପୂର୍ବକ ବିଶ୍ୱ ସଂସ୍କୃତିର ପୃଷ୍ଠପଟ୍ଟରେ ପ୍ରତିଷ୍ଠିତ । ସାମ୍ୟ, ମୈତ୍ରୀ, ପ୍ରୀତି, ଶାନ୍ତି, ସଂହତି ଓ ସଂପ୍ରୀତି ଏହି ଗଣପର୍ବରେ ଅନୁରଣିତ । ମହନୀୟତା ହେଉଛି, ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ବିଚାରରୁ ଊଦ୍ଧ୍ୱର୍ରେ ରହି ତଥା ମାନବ ସମାଜର ସାମଗ୍ରିକ ଭାବମାନସକୁ ସ୍ପର୍ଶ ଓ ସ୍ପନ୍ଦିତ କରି ଘୋଷଯାତ୍ରା ମୈତ୍ରୀମୁଖୀ ଆଭିମୁଖ୍ୟରେ ବିଶ୍ୱବିଶ୍ରୁତ ।
ଶ୍ରୀଜଗନ୍ନାଥ ହେଉଛନ୍ତ ଗଣଦେବତା ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ହେଉଛି ଗଣସଂସ୍କୃତି । ଆଦିବାସୀ, ଦ୍ରାବିଡ, ଆର୍ଯ୍ୟ, ଅନାର୍ଯ୍ୟ, ଜୈନ, ବୋ÷ଦ୍ଧ, ଶିଖ, ଶାକ୍ତ, ଶୈବ, ବୈଷ୍ଣବ, ଯାନ୍ତ୍ରିକ, ଯୋଗୀ ପ୍ରଭୃତି ସକଳ ମତବାଦୀଙ୍କର ସେ ଆରାଧ୍ୟ, ଅଥଚ କୋ÷ଣସି ଗୋଷ୍ଠୀ ଭିତରେ ସେ ସୀମିତ ରହିନାହାନ୍ତି । ପ୍ରତ୍ୟେକ ମତବାଦୀ ତାଙ୍କୁ ନିଜର କରିବାକୁ ଚେଷ୍ଟା କରିଥିଲେ ହେଁ ସେ ମତବାଦଠାରୁ ଊଦ୍ଧ୍ୱର୍ରେ ରହି ବିଶ୍ୱ ସଂସ୍କୃତିର ଆଧାର ହୋଇଯାଇଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତି ଅନ୍ୟାନ୍ୟ ସଂସ୍କୃତିକୁ ପ୍ରଭାବିତ କରିଛି ଏବଂ ପ୍ରତ୍ୟେକ ସଂସ୍କୃତକୁ ଅଙ୍ଗୀଭୂତ କରି କାୟାବିସ୍ତାର କରିଛି, କିନ୍ତୁ କୋ÷ଣସି ସଂସ୍କୃତିକୁ ହତାଦର କରିନାହିଁ । ବିଶ୍ୱାବସୁ ଶବର, ବ୍ରାହ୍ମଣ ଦିବ୍ୟାପତି, ରାଜର୍ଷି ଇନ୍ଦ୍ରଦୁ୍ୟମ୍ନ, ଦେବର୍ଷି ନାରଦ, ମହାରାଣୀ ଗୁଣ୍ଡିଚା, ବଜ୍ରଯାନୀ ଇନ୍ଦ୍ରଭୂତି, ଅଦ୍ୱୈତବାଦୀ ଶଙ୍କରାଚାର୍ଯ୍ୟ, ବିଶିଷ୍ଟାଦ୍ୱୈତବାଦୀ ରାମାନୁଚାର୍ଯ୍ୟ, ଦ୍ୱୈତବାଦୀ ମଧ୍ୱାଚାର୍ଯ୍ୟ, ଦ୍ୱୈତାଦ୍ୱୈତବାଦୀ ନିମ୍ବାର୍କାଚାର୍ଯ୍ୟ, ଭକ୍ତିଧର୍ମାବଲମ୍ବୀ ଶ୍ରୀଚୈତନ୍ୟ, ଶୂନ୍ୟବାଦୀ ବଳରାମ ଦାସ, ଶିଖ୍ ଧର୍ମଗୁରୁ ନାନକ, ମହାତ୍ମା କବୀର ଦାସ, ପୋ÷ତ୍ତଳିକ ହରିଦାସ, ଗଣପତି ଉପାଧ୍ୟକ ଗଣପତି ଭଟ୍ଟ, ରାମଭକ୍ତ ତୁଳସୀ ଦାସ ସଭିଏଁ ଶ୍ରୀଜଗନ୍ନାଥ ଧାମରେ ପଦାର୍ପଣ କରି ଆପଣା ଆପଣାର ଦାର୍ଶନିକ ଚିନ୍ତା ଓ ଚେତନା ଶ୍ରୀଜଗନ୍ନାଥଙ୍କର ଆରୋପିତ କରିଥିଲେ ହେଁ ଶ୍ରୀଜଗନ୍ନାଥ ସଂସ୍କୃତିର ପଟ୍ଟ ପରିବର୍ତ୍ତନ କରିପାରିନାହାନ୍ତି । ଅଧିକନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତିର ମହାଭାବରେ ସକଳ ସଂସ୍କୃତିର ଚିନ୍ତା ଓ ଚେତନାର ସମ୍ମିଶ୍ରଣ ଘଟିଛି । ବିଶ୍ୱର ସକଳ ଧର୍ମଶାସ୍ତ୍ରର ସାରତତ୍ତ୍ୱ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅନୁଭବନୀୟ, ଅଥଚ ଏହି ସଂସ୍କୃତି କୋ÷ଣସି ଧର୍ମଧାରାରେ ସୀମାବଦ୍ଧ ନୁହେଁ । ଶ୍ରୀଜଗନ୍ନାଥ ସଂସ୍କୃତିରେ କୋ÷ଣସି ପ୍ରକାର ଆଞ୍ଚଳିକ ସଂକୀର୍ଣ୍ଣତା ନାହିଁ । ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସଂଯୋଗକାରୀ ସେତୁ । ଶ୍ରୀଜଗନ୍ନାଥ ସଂସ୍କୃତି ସମସ୍ତ ଜାତି, ଧର୍ମ, ପ୍ରଥା, ପରମ୍ପରା ଓ ସଂସ୍କୃତିକୁ ପ୍ରଶ୍ରୟ ଦେଇଛି । ନିଜେ ବଞ୍ଚôବା ଓ ଅନ୍ୟକୁ ବଞ୍ଚାଇବା ଏହାର ମୋ÷ଳିକ ନୀତି । ଏହି ସଂସ୍କୃତିରେ ଏକତା, ସମନତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଭ୍ରାତୃତ୍ୱର ବାଣୀ ଅତି ସୁସ୍ପଷ୍ଟ । ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାରିଗୋଟି ବର୍ଣ୍ଣ ସମଗ୍ର ମାନବ ଜାତିର ବିଭିନ୍ନ ରଙ୍ଗର ନିଦର୍ଶନ । ଏକତା, ସମାନତା ଓ ବିଶ୍ୱ ଭ୍ରାତୃତ୍ୱ ଏହାର ପରମ ଲକ୍ଷ୍ୟ । ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାରିଗୋଟି ବର୍ଣ୍ଣ ହେଉଛି ପ୍ରତୀକାତ୍ମକ, ଯାହା ସମଗ୍ର ବିଶ୍ୱବାସୀଙ୍କ ନିକଟରେ ସାମ୍ୟ, ମୈତ୍ରୀ ଓ ଭ୍ରାତୃତ୍ୱ ପ୍ରତିଷ୍ଠା କରିଆସୁଛି । ଏହି ପୁରୋଦୃଷ୍ଟିରେ ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଜନହିତୈଷୀ ସଂସ୍କୃତି ନୁହେଁ, ବିଶ୍ୱହିତୈଷୀ ସଂସ୍କୃତି । ଏହି ସଂସ୍କୃତି ବିଶ୍ୱର ମଙ୍ଗଳ ଉପରେ ପ୍ରାଧାନ୍ୟ ଦିଏ । ଏହି ସଂସ୍କୃତି ଉଦ୍ଘୋଷଣା କରେ ଯେ, ‘ଈଶ୍ୱର ସକଳ ଜୀବ ମଧ୍ୟରେ ପ୍ରକାଶିତ, ତେଣୁ ପୃଥିବୀର ସକଳ ପ୍ରାଣୀ ସମାନ । ଅର୍ଥାତ୍ ଶ୍ରୀଜଗନ୍ନାଥ ସଂସ୍କୃତି ଦୃଷ୍ଟିକୁ ଦର୍ଶନରେ ରୂପାନ୍ତର କରି ପିଣ୍ଡ ଓ ବ୍ରହ୍ମାଣ୍ଡର ପ୍ରଭେଦକୁ ପ୍ରଜ୍ଞାନରେ ପରିଣତ କରିଛି । ଏହାଦ୍ୱାରା ଜୀବ ଓ ଈଶ୍ୱର ଭିତରେ ବିଦ୍ୟମାନ ଥିବା ଏକରୂପତା ସହଜ ବୋଧଗମ୍ୟ ହୋଇପାରିଛି ।
ନୃତ୍ୟ, ସଙ୍ଗୀତ, ଭାଷା, ସାହିତ୍ୟ, କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପ୍ରଭୃତି ହେଉଛି ସଂସ୍କୃତିର ଅନ୍ତରଙ୍ଗ ବିଭବ । ଶ୍ରୀଜଗନ୍ନାଥ ସଂସ୍କୃତିରେ ଏହି ସବୁ ଅନ୍ତରଙ୍ଗ ବିଭବର ଅନ୍ତଃସ୍ରୋତ ପ୍ରବାହିତ । ଶ୍ରୀ ଜଗନ୍ନାଥଙ୍କ ପାରମ୍ପରିକ ନୃତ୍ୟ ପ୍ରବାହରୁ ଓଡ଼ିଶୀ ନୃତ୍ୟ ଜନ୍ମ ନେଇ ଆବିଶ୍ୱ ପ୍ରସାରିତ । ଏହି ସଂସ୍କୃତିକୁ ଆଧାର କରି ଯେଉଁ ସାହିତ୍ୟ ଓ ସଙ୍ଗୀତ ସୃଷ୍ଟି ହୋଇଛି ତହିଁର ପଟ୍ଟାନ୍ତର ନାହିଁ । ଶ୍ରୀ ଜଗନ୍ନାଥ ସଂସ୍କୃତିର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଏକ ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ । ଏହା ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ ହୋଇ ଉକ୍ରଳକୁ ଉକ୍ରୃଷ୍ଟ କଳାର ଭୂଖଣ୍ଡ ରୂପେ ଖ୍ୟାତ କରିଛି । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରତ୍ୟେକଟି ଅନ୍ତରଙ୍ଗ ବିଭବ ଉଦାର ଓ ମହାନ ଅନ୍ତଃପ୍ରେରଣାରେ ଦୀପ୍ତିମନ୍ତ । ଏଗୁଡିକର ବୋ÷ଦ୍ଧିକ ସୃଜନଶୀଳତା ଏହାକୁ ବିଶ୍ୱ ସଂସ୍କୃତିରେ ସ୍ୱତନ୍ତ୍ର ଆସନରେ ଅଧିଷ୍ଠିତ କରିପାରିଛି । ଶତାବ୍ଦୀ ଶତାବ୍ଦୀ ଧରି ଏହା ମାନବ ସମାଜର ଜୀବନଚର୍ଯ୍ୟାକୁ ସରସ, ସୁନ୍ଦର, ସମୃଦ୍ଧ, ସୃଜନଶୀଳ ଓ ପରିପୂର୍ଣ୍ଣ କରିଆସିଛି । ବିଶ୍ୱେଷତ୍ୱ ହେଉଛି, ଏହା ଜନମାନସକୁ ଆକର୍ଷିତ କରି ଜଗନ୍ନାଥ ସଂସ୍କୃତି ସହିତ ଜନଜୀବନକୁ ଅଙ୍ଗାଙ୍ଗୀ ଭାବରେ ଜଡିତ କରିପାରିଛି । କ୍ରମାଗତ ସଂସ୍କାର ଓ ଉତ୍ତରଶୀଳତା ଦ୍ୱାରା ଊଦ୍ଧ୍ୱର୍ମୁଖୀ ହୋଇ ଏହା ମାନବିକତାର ଫଳପ୍ରଦ ଶକ୍ତିରେ ସମୃଦ୍ଧ । ପରିଣାମ ସ୍ୱରୂପ, ଏହି ସାଂସ୍କୃତିକ ସ୍ରୋତରେ ଅବଗାହନ କରୁଥିବା ପ୍ରତ୍ୟେକଟି ବ୍ୟକ୍ତି, ଜାତି, ଗୋଷ୍ଠୀ ସଂପ୍ରଦାୟ ଓ ସମାଜର ଜନଜୀବନ ସୁଶୃଙ୍ଖଳିତ, ସୁସଂହତି, ସମୃଦ୍ଧ ଓ ସମ୍ଭାବ୍ୟ । ଏହି ପ୍ରବହମାନ ସାଂସ୍କୃତିକ ଧାରାରେ ଆଧ୍ୟାତ୍ମିକ ଐକ୍ୟବୋଧର ଉନ୍ନତ ରୁଚି, ବୋ÷ଦ୍ଧିକ ସୃଜନଶୀଳତା ଓ ସଂସ୍କାରବୋଧ ଚିର ଜାଜ୍ଜ୍ୱଲ୍ୟମାନ ।
ଶ୍ରୀଜଗନ୍ନାଥଙ୍କ ଠାରେ ନିତ୍ୟ ସମାହିତ ତିନିଧୂପ, ପାଞ୍ଚ ଅବକାଶ ରୀତିରେ ପୂଜା ନୈମିତ୍ତିକ ପର୍ବପର୍ବାଣି ଓ ବାରମାସରେ ସଂଘଟିତ ତେରଯାତ୍ରା ଶ୍ରୀଜଗନ୍ନାଥ ସଂସ୍କୃତିକୁ ସୁସଂଗଠିତ କରିପାରିଛି । ଏଥିରେ ସମାଜର ସକଳଶ୍ରେଣୀ ସକ୍ରିୟ ଅଂଶ ଗ୍ରହଣ କରି ମହାନତାର ଉଦ୍ବୁଦ୍ଧ ହୋଇଥାନ୍ତି । ସଭିଙ୍କୁ ଧର୍ମ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବାର ମହାଭିପ୍ରାୟରେ ଶ୍ରୀଜଗନ୍ନାଥ ବାହୁ ପ୍ରସାରି ସମସ୍ତଙ୍କୁ ଆପଣାର କରି ନେଇଛନ୍ତି । ସମସ୍ତଙ୍କୁ ସେବାଧିକାର ପ୍ରଦାନ ନିମିତ୍ତ ଛତିଶାନିଯୋଗର ବ୍ୟବସ୍ଥା ପ୍ରଚଳିତ । କେବଳ ଯେ, ଦ୍ୱାରଫିଟାଠାରୁ ପହଡ଼ ପର୍ଯ୍ୟନ୍ତ ସଭିଁଏ ସେବା ସଂପନ୍ନ କରନ୍ତି, ତାହା ନୁହେଁ, ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନରେ ତଥା ଜନ୍ମଠାରୁ ଉପନୟନ, ବିବାହ, ମାଙ୍ଗଳିକ କାର୍ଯ୍ୟ, ଗୃହ ପ୍ରତିଷ୍ଠା ଓ ପରିଶେଷରେ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସଭିଏଁ ଶ୍ରୀଜଗନ୍ନାଥଙ୍କୁ ଆଶ୍ରୟ କରି ଆସୁଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତିରେ ସଂଘଟିତ ପ୍ରତ୍ୟେକ ପର୍ବପର୍ବାଣି ଓ ଯାନିଯାତ୍ରା ଭିତରେ ସଂପ୍ରୀତି, ମାନବିକତା, ଗୋଷ୍ଠୀଗତ ଐକ୍ୟ ଓ ଆଧ୍ୟାତ୍ମିକ ଚେତନାକୁ ସୁଦୃଢ କରିପାରିଛି । ସକଳ ପ୍ରକାର ଯାନିଯାତ୍ରାର ପାରମ୍ପରିକ ପ୍ରବାହ, ସାଂସ୍କୃତିକ ସୋ÷ରଭ, ଗଣପର୍ବର ଗୋ÷ରବ ଓ ବିଶ୍ୱାତ୍ମବୋଧର ବୈଶିଷ୍ଟ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ସଂସ୍କୃତିରେ ରୂପାନ୍ତରିତ କରିପାରିଛି ।
ଶ୍ରୀଜଗନ୍ନାଥ ଲୋ÷କିକ ଭାବଧାରାରେ ଉପାସିତ । ତାଙ୍କ ଉପାସନାରେ ଶାସ୍ତ୍ରୀୟତା ନାହିଁ, ଧ୍ୟାନରେ ବୈଭୂତିକ ଚିନ୍ତା ନାହିଁ ଓ ଦର୍ଶନରେ ସ୍ୱର୍ଗୀୟତା ନାହିଁ । ସେ ବିଶ୍ୱର କ୍ଷୟଶୀଳ ଦାରୁରୂପରେ ମାନବୀୟ ଚେତନାରେ ପୂଜିତ । ସେ ସଭିଙ୍କର ଇଷ୍ଟ, ବନ୍ଧୁ, ସହୋବର, ପିତା, ମାତା, ମନ, ଆତ୍ମା ଓ ପ୍ରାଣ । ତାଙ୍କ ନିକଟରେ ‘ମୁଁ ମୋର, ତୁ ତୋର’ ଭାବ ନାହିଁ, କେବଳ ‘ମୁଁ ତୋର, ତୁ ମୋର’ ଏହି ଭାବ, ଯେଉଁଠାରେ ମାୟା ଅନ୍ତର୍ହିତ । ସେ ଦୀନବନ୍ଧୁ, ଦୁଃଖବନ୍ଧୁ, ଆର୍ତ୍ତତ୍ରାଣ, ଅନାଥର ନାଥ, ଅଶରଣ ଶରଣ, ବଳୀୟାର ଭୂଜ ଓ ମହାବାହୁ । ତାଙ୍କ ଦେଉଳ ବଡ଼ଦେଉଳ, ଦାଣ୍ଡ ବଡଦାଣ୍ଡ, ବାନା ପତିତପାବନ, ପ୍ରସାଦ ମହାପ୍ରସାଦ, ସେ ହିଁ ବଡଠାକୁର । ବ୍ରହ୍ମ ବିଚାରରେ ସେ ଅବ୍ୟକ୍ତ, ଅଚିନ୍ତ୍ୟ, ଅଜେ୍ଞୟ ଓ ଅବର୍ଣ୍ଣନୀୟ ହେଲେ ହେଁ ଅଗଣିତ ଭକ୍ତଙ୍କ ଚେତନାରେ ରକ୍ତମାଂସ ଦେହୀ ମନୁଷ୍ୟ ସଦୃଶ । ସେ ବିଶ୍ୱନିୟନ୍ତା, ହେଲେ ହେଁ ଭାବମାନସରେ ମନୁଷ୍ୟ ପରି ଖାଆନ୍ତି, ଯାତ୍ରା କରନ୍ତି, ଧୂଳିଧୂସରିତ ହୁଅନ୍ତି, ଭକ୍ତଙ୍କ ସାଙ୍ଗରେ ମେଳା ମଉଛବ ଓ ଲୀଳାଖେଳା କରନ୍ତି, ମାନ ଅଭିମାନ ଓ ରାଗରୋଷ କରନ୍ତି, ଥଟା ପରିହାସର ଶରବ୍ୟ ହୁଅନ୍ତି, ମନୋରଞ୍ଜନ କରନ୍ତି, ପଖାଳପାଣି ଖାଆନ୍ତି, ପାନ ଖାଆନ୍ତି, ପହଡ଼ ଯାଆନ୍ତି ଏବଂ ସାଧାରଣ ମଣିଷ ପରି ଶଯ୍ୟାତ୍ୟାଗ କରନ୍ତି । ସେ ପ୍ରତ୍ୟେହ ଶଯ୍ୟାତ୍ୟାଗ କରନ୍ତି, ମୁଖ ପ୍ରକ୍ଷାଳନ କରନ୍ତି, ଦନ୍ତ ମାର୍ଜନ, ସ୍ନାନ ଓ ପୋଷାକ ପରିଧାନ କରନ୍ତି, ବିଭିନ୍ନ ସମୟରେ ଭୋଜନ କରନ୍ତି ଏବଂ ଶ୍ରୀଗୀତାଗୋବିନ୍ଦର ମଧୁର ମୂର୍ଚ୍ଛନାରେ ପହଡ଼ ଯାଆନ୍ତି । କିଛିବର୍ଷ ବ୍ୟବଧାନରେ ଜୀର୍ଣ୍ଣ ଶରୀର ପରିତ୍ୟାଗ କରି ନୂତନ ଶରୀର ଗ୍ରହଣ କରନ୍ତି ଏବଂ ତାଙ୍କ ଜୀର୍ଣ୍ଣ ଶରୀର କୋଇଲି ବୈକୁଣ୍ଠରେ ସମାଧି ଦିଆଯାଏ । ସେ ଭକ୍ତଙ୍କ ଡାକ ଶୁଣନ୍ତି, ଭକ୍ତ ବଳରାମ ଦାସଙ୍କ ଯୋଗୁ ବାଲିରଥରେ ବିଜେ କରନ୍ତି । ଭକ୍ତ ସାଲବେଗଙ୍କ ଦର୍ଶନ ନିମିତ୍ତ ରଥ ଅଟକାଇ ଦିଅନ୍ତି ଓ ଭକ୍ତ ଦାସିଆ ବାଉରୀ ନଡିଆ ବାହୁ ପ୍ରସାରି ଗ୍ରହଣ କରନ୍ତି । ଶ୍ରୀଜଗନ୍ନାଥଙ୍କ ଏହି ମାନବୀୟ ଲୀଳାରେ ଆଧ୍ୟାତ୍ମିକ ଐକ୍ୟ ବୋଧର ଉନ୍ନତି ରୁଚି ଲୁକ୍କାୟିତ ଥାଏ, ଯାହା ସଂସ୍କୃତିର ପ୍ରବହମାନ ଧାରାକୁ ଉଜ୍ଜିବିତ ରଖେ ତଥା ଜୀବନ୍ତ କରିଥାଏ । ଫଳରେ ଏହି ସଂସ୍କୃତି ଜନମାନସ ସହ ବିଜଡିତ ହୋଇ ମାନବିକତାର ଫଳପ୍ରଦ ଶକ୍ତିରେ ସମୃଦ୍ଧ ହୋଇଥାଏ । ମହାନୀୟତା ହେଉଛି ଏହି ସଂସ୍କୃତି ସହିତ ମାନବଧର୍ମ ଅଙ୍ଗାଙ୍ଗୀ ଭାବରେ ଜଡିତ ହୋଇ ମାନବଧର୍ମ ଉନ୍ନତ, ସମାଜ ସୁଶୃଙ୍ଖଳିତ ଓ ସଭ୍ୟତା ସମୃଦ୍ଧ ହୋଇପାରିଛି ।
ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱର ପ୍ରାଚୀନତମ ସଂସ୍କୃତି ହେଲେ ହେଁ ସ୍ୱକୀୟ ସୃଜନଶୀଳତା ଓ ନମନୀୟତା ଯୋଗୁ ଏହା ନିତ୍ୟନୂତନ । ବିଭିନ୍ନତା ମଧ୍ୟରେ ଏକତ୍ୱ ଆଣି ମାନବ ସମାଜର ମଙ୍ଗଳ ସାଧନ କରିବାରେ ଏବଂ ସଂହତି ସ୍ଥାପନ କରିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଛି । ସୁଦୀର୍ଘ ପରମ୍ପରା ଏହାକୁ ଉଜ୍ଜୀବିତ ରଖିବା ସହିତ ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ ହୋଇ ନୈତିକତା, ମର୍ଯ୍ୟାଦାବୋଧ ଓ ସୃଜନଶୀଳତାକୁ ଭବ୍ୟରୂପ ପ୍ରଦାନ କରିପାରିଛି । ଯୁଗ ପରିପ୍ରେକ୍ଷୀରେ ବହୁ ଉତ୍ଥାନ ଓ ପତନ ମଧ୍ୟ ଦେଇ ଗତି କରିଥିଲେ ହେଁ ପରମ୍ପରାର ପରଧି ଭିତରେ ଆତ୍ମିକ ସ୍ଥିତିକୁ ସୁଦୃଢ କରିପାରିଛି ।
ପ୍ରଗତିଶୀଳ ଚିନ୍ତାଧାରା ଓ ସଂସ୍କାରବୋଧ ଏହାକୁ ମହାନ କରିପାରିଛି । ଏହି ସଂସ୍କୃତି ଅନ୍ୟାନ୍ୟ ବହୁ ସଂସ୍କୃତିକୁ ପ୍ରଭାବିତ କରି ନିଜର କାୟା ବିସ୍ତାର କରିଛି, କିନ୍ତୁ ନିଜ ଭିତରେ ଅନ୍ୟାନ୍ୟ ସଂସ୍କୃତିକୁ ସ୍ଥାନ ଦେଇ ସମ୍ମାନ ପ୍ରଦାନ କରିଛି । କୋ÷ଣସି ପରିସ୍ଥିତିରେ ଅନ୍ୟାନ୍ୟ ସଂସ୍କୃତିକୁ ହତାଦର କରିନାହିଁ । ଏହି ପୁରୋଦୃଷ୍ଟିରୁ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅନ୍ୟ ସଂସ୍କୃତିର କିଛି ଛାପ ପରିଦୃଶ୍ୟ ହୋଇଥାଏ । ତଥାପି ଶ୍ରୀଜଗନ୍ନାଥ ନିଜ ସୃଷ୍ଟ ସଂସ୍କୃତିର ମୂଳାଧାର ରୂପେ ଅଦ୍ୟାବଧି ବିରାଜିତ । ସଂକ୍ଷେପରେ ଉଲ୍ଲେଖ କଲେ, ପରମ ସତ୍ୟାନ୍ୱେଷଣ ପ୍ରତି ଶ୍ରଦ୍ଧାଳୁତା ଏହାର ସୋ÷ରଭ, ଉଦାରତା, ବ୍ୟାପକତା ଓ ବିଶାଳତା ଏହା ଗୋ÷ରବ, ବିଶ୍ୱାତ୍ମଭାବ ଏହାର ବିଭବ ତଥା ଉନ୍ନତ ବ୍ୟକ୍ତିତ୍ୱ, ଆଦର୍ଶ ପରିବାର, ସମୃଦ୍ଧ ସମାଜ, ଉନ୍ନତ ରାଷ୍ଟ୍ର ଓ କଲ୍ୟାଣମୟ ବିଶ୍ୱଗଠନ ହିଁ ଏହାର ଆଭିମୁଖ୍ୟ ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ