ସଂଯତ ଜୀବନ

ଆଜ୍ଞା ନମସ୍କାର,
ପ୍ରତ୍ୟେକ ମଣିଷ ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ଗୋଟାଏ ସୀମା ଭିତରେ ହିଁ ବଞ୍ଚେ । ସବୁର ଏକ ସୀମା ଅଛି । 
ଜୀବନରେ ପ୍ରତ୍ୟେକ ପରିସ୍ଥିତିର ଏକ ସୀମା ଅଛି, ଅହଂକାରର ଏକ ସୀମା ଅଛି, ଶକ୍ତି ଓ ସାମର୍ଥର ଏକ ସୀମା ଅଛି, ଏମିତି କି ରୋଗ ବିରୋଧରେ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ ଶକ୍ତିର ଏକ ସୀମା ଅଛି ।  ଗୋଟେ ଭୂଖଣ୍ଡର ଯେମିତି ସୀମାରେଖାଟିଏ ଅଛି, ଠିକ୍ ସେମିତି ଜୀବନର ମଧ୍ୟ ଗୋଟେ ଭୌଗୋଳିକ ସୀମାରେଖା ଅଛି । ଏ ସୀମାରେଖାକୁ ଦେଖିହୁଏନି । କାରଣ ଏଇ ଅଦୃଶ୍ୟ, ଏହା ଯାହା ଅନୁଭବର କଥା । 
ଏଇ ସୀମାର ଅତିକ୍ରମ କଲେ ବା ଉତ୍ସୃଙ୍ଖଳ ହେଲେ ଘୋଟି ଆସେ ଦୁଃଖ, ବିପଦ ଆଉ ତୁଚ୍ଛା କୀଳା । କଥା କଥାରେ ଆମେ କହୁନେ "ନିଜ ସୀମା ଭିତରେ ରହ' "ସୀମା ଅତିକ୍ରମ କରେନା' ବୋଲି!   ଏ ସୀମାରେଖା ନଥିଲେ ପୃଥିବୀର ଆଠଶହ କୋଟି ଲୋକ କେହି କାହା ଠାରୁ ଅଲଗା ହୋଇନଥାନ୍ତେ କିମ୍ବା ଜଣେ ହେଲେ ମଣିଷ ବଞ୍ଚିନଥାନ୍ତେ । ନିଜର ଅସୀମ ଶକ୍ତିର ଦୁରୂପଯୋଗରେ ମଣିଷ ପରସ୍ପର ମଧ୍ୟରେ ବାଡ଼ିଆବାଡ଼ି, ପିଟାପିଟି ହେଇକି ମରନ୍ତେ ! କେହି କାହାକୁ ମାନି ନଥାନ୍ତେ । 
ଶାରିରୀକ, ମାନସିକ ଏବଂ ସାମାଜିକ ଦୃଷ୍ଟିରୁ ଏହି ସୀମାକୁ ଏକ ଆବଶ୍ୟକତା ବୋଲି ମଧ୍ୟ କୁହାଯାଇପାରେ । ଏ ପୃଥିବୀରେ କୀଟପତଙ୍ଗ ଠାରୁ ଆରମ୍ଭ କରି ବୃହଦ୍କାୟ ଜୀବ ପର୍ଯ୍ୟନ୍ତ ପ୍ରତ୍ୟେକେ, ଗୋଟେ ନିର୍ଦ୍ଦିଷ୍ଟ ସୀମା ଭିତରେ ଜୀବନ ଅତିବାହିତ କରନ୍ତି । ସୀମା ଅତିକ୍ରମ କଲେ ଅସ୍ତିତ୍ୱ ପ୍ରତି ବିପଦ ମଧ୍ୟ ଧାଏ । ଏହି ନିର୍ଦ୍ଦିଷ୍ଟ ସୀମାକୁ ଅତିକ୍ରମ କରିବା ପାଇଁ ପ୍ରକୃତି ମଧ୍ୟ ପ୍ରତିରୋଧ କରେ । ପରିବେଶ, ଜଳବାୟୁ ଆଦି ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ସୀମାରେଖା ଟାଣି ଦେଇଛନ୍ତି । ସେଇ ସୀମାରେଖୋ ଭିତରେ ହିଁ କୀଟପତଙ୍ଗ ଠାରୁ ଆରମ୍ଭ କରି ସବୁ ପ୍ରାଣୀ ରହନ୍ତି ।  
ସମସ୍ତଙ୍କ ଭଳି ମଣିଷ ମଧ୍ୟ ପ୍ରକୃତିର ଏକ ସୀମା ଭିତରେ ଆବଦ୍ଧ । ହେଲେ ଏ ମଣିଷ ଏମିତି ଏକ ପ୍ରାଣୀ, ଯିଏକି ପ୍ରକୃତିର ସୀମାରେ ବାନ୍ଧି ହୋଇଥିଲେ ମଧ୍ୟ, ସେ ସୀମାକୁ ଡ଼େଇଁବାକୁ ଉଦ୍ୟତ ହୁଏ । ମଣିଷ ଯେତେ ନିଜ ସୀମାକୁ ଡ଼େଇଁବାକୁ ଚେଷ୍ଟା କରେ ସମୟ ମଧ୍ୟ ତାକୁ ଛାଡ଼େ ନାହିଁ । ସୀମା ଡ଼େଇଁଗଲେ ପ୍ରଳୟ ଆସେ । ଆପଣାର ସୀମା ଡ଼େଇଁଲେ, ତାର ପରିଣତି ଭଲ ହିଁ ନୁହଁ ।  ମଣିଷ ଅସୀମ ନୁହଁ, ମଣିଷର ଅହଂ ଅସୀମ ! ଏହି ଗର୍ବ ଯୋଗୁଁ ହିଁ ମଣିଷ ଗର୍ହିତ କାର୍ଯ୍ୟମାନ କରେ । ଭାବେ "ମୁଁ ପାର୍ କରେଇ ନେବି ।' ଅଥଚ ତାର ଫଳ ମଣିଷକୁ ଭୋଗିବାକୁ ହିଁ ପଡ଼େ । ଯଦି ବି ଗୋଟେ ମଣିଷ ତାହା ନ ଭୋଗେ, ତେବେ ବି ତାହାର ଉତ୍ତରାଧିକାରୀ ଭୋଗିବାଟା ନିଶ୍ଚିତ । ସେଥିପାଇଁ ଏ ସଂଯତ ଜୀବନଯାପନ, ଜୀବନ ଜୀଇଁବାର ସର୍ବୋକ୍ରୃଷ୍ଟ ପନ୍ଥା ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।