ସଂସାରର ମିଛ ଓ ମାୟା
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ସଂସାରର ମିଛ ଓ ମାୟା ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । ସାଧାରଣତଃ ସମସ୍ତେ କହନ୍ତି ଯେ 'ସତ୍ୟମେବ ଜୟତେ ।' ଅର୍ଥାତ୍ ସତ୍ୟର ସବୁବେଳେ ଜୟ ହୁଏ । ହେଲେ ସଂସାରରେ ଏବଂ ଜୀବନରେ ସତ୍ୟର ସବୁବେଳେ ସତ୍ୟର ଜୟ ହୁଏ ନାହି । ମାଲି ମୋକଦ୍ଦମାରେ ଜିତୁଥିବା କହେ 'ସତ୍ୟମେବ ଜୟେତେ', ହାରିଥିବା ଲୋକ ନୁହେଁ । କାରଣ ହାରିଥିବା ଲୋକ ଅନୁଭବ କରିଥାଏ ଯେ ମିଛ ସାକ୍ଷୀର ଗୁରୁତ୍ୱ କେତେ । ଆଉ ସତ ପ୍ରମାଣ ଲୁଚେଇବା ପାଇଁ କେତେ ନୟାନ୍ତ ହେବାକୁ ହୁଏ । ବାସ୍ତବ ଜୀବନରେ ଲୋକଙ୍କର ମୁହଁରେ ଗୋଟେ ପ୍ରକାର କଥା, ବାସ୍ତବ ଜୀବନରେ ଆଉ ଗୋଟେ କଥା । କିଛିଲୋକ 'ସତ ପାଇଁ ଜୀବନ ଦେଇ ଦେବେ' ବୋଲି କହନ୍ତି । ଏଣେ ତୁଚ୍ଛା ମିଛରେ ହିଁ ଚଳୁଥାନ୍ତି । ସତ ପାଇଁ ଜୀବନ ଦେଇ ଦେବା ଭଳି ମହାପୁରୁଷ ଏ ସଂସାରରେ କେତେଜଣ ?
ଯେଉଁଠି ସ୍ୱାର୍ଥର ପ୍ରଶ୍ନ ଅଛି ସେଠାରେ କେତେଯେ ମିଛ ଜଣେ ଯେ କହେ ତାର ହିସାବ ନାହିଁ । ନିଜ ରୋଜଗାରକୁ ଲୁଚେଇବା ଠାରୁ ଆରମ୍ଭ କରି କାହା ସହିତ କଣ ସମ୍ପର୍କ ଅଛି ପର୍ଯ୍ୟନ୍ତ ସବୁଥିରେ ମିଛ କହିବାକୁ ମଣିଷ ଭଲପାଏ । ଏମିତିକି ଚାକିରିଟିଏ କରିବା ପାଇଁ ଦେଉଥିବା ସାକ୍ଷାତକାରରେ ସତକୁ ପଛରେ ପକେଇ ମିଛକୁ ଆଗେଇ ନେବା ପାଇଁ ପ୍ରତିଯୋଗିତା ହେଉଥିବା ବିଷୟ ସମସ୍ତେ ଜାଣନ୍ତି । ବାସ୍ତବ ଜୀବନରେ ପୁଅ ବାପା ଆଗରେ ସତ କହେନି । ବାପା ମାଆ ଆଗରେ ସତ କହେନି । ଛାତ୍ର ଶିକ୍ଷକ ଆଗରେ ସତ କହେନି । ଶିକ୍ଷକ ସ୍କୁଲ୍ ନିରୀକ୍ଷକ ଆଗରେ ସତ କହେନି । ପ୍ରେମିକା ପ୍ରେମିକ ଆଗରେ କି ପ୍ରେମିକା ପ୍ରେମିକ ଆଗରେ ସତ କହେନି । ଦେଖିବାକୁ ଗଲେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ କେବଳ ମିଛର ରାଜୁତି । ଜୀବନ ଯୁଦ୍ଧ ହାରି ଯାଇଥିବା ଲୋକଟିଏକୁ ସତର ଗୁରୁତ୍ୱ କେତେ ବୋଲି ପଚାରିଲେ ପ୍ରକୃତ ସତ କଥାଟି ଜଣାପଡେ । ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।