ସଂସାର ଆରମ୍ଭ ପୂର୍ବରୁ ଚାଲିଗଲା ଜୀବନ : ଯୌତୁକ ନିର୍ଯାତନା ଅଭିଯୋଗ
ରାଜନଗର : ରାଜନଗର ବ୍ଲକ ବାଲିସାହିପାଟଣା ଗ୍ରାମରେ ନଅମାସର ଗର୍ଭବତୀ ମହିଳାଙ୍କୁ ଯୌତୁକ ପାଇଁ ସଂଘବଦ୍ଧ ଭାବେ ଶାଶୁଘର ଲୋକେ ମାରି ଦେଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକାରିଣୀ ଆଳି ବ୍ଲକ ଅନ୍ତର୍ଗତ ନଳପାହି ଗ୍ରାମର ଜ୍ୟୋସ୍ନାରାଣୀ ପରିଡାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ କଳ୍ପନା ପରିଡା(୨୪) ଗତବର୍ଷ ୨୦୨୪ ମସିହାରେ ବୈ÷ଦିକ ରୀତିନୀତିରେ ବରପକ୍ଷଙ୍କ ଦାବି ମୁତାବକ ସମସ୍ତ ଟଙ୍କା, ସୁନା ଓ ଆସବାବପତ୍ରମାନ ଦେଇ ବାଲିସାହିପାଟଣା ଗ୍ରାମର ସ୍ୱର୍ଗତ ଅଭୟ ଦାସଙ୍କ ପୁଅ ଦୀପକ ଦାସଙ୍କୁ ବିବାହ ଦେଇଥିଲେ । ବିବାହ ପରଠାରୁ ସ୍ୱାମୀ ଦୀପକ ଦାସ, ବଡଶ୍ୱଶୁର ରବି ଦାସ, ସାନ ଶ୍ୱଶୁର, ତିନି ଜଣ ଶାଶୁ, ତିନିଜଣ ଦିଅର, ଯାଆ ଓ ନଣନ୍ଦ ଅଧିକ ଟଙ୍କା ଓ ସୁନା ଆଣିବାକୁ ଧମକ ଦେବା ସହ ବିଭିନ୍ନ ସମୟରେ ନିର୍ଯାତନା ଦେଇ ଆସୁଥିଲେ । ମାଡଗାଳି ଖାଇ ତଥାପି ଶାଶୁ ଘରେ ପଡିରହିଥିବା ନଅମାସର ଗର୍ଭବତୀ ଥିବା କଳ୍ପନାକୁ ଶୁକ୍ରବାର ରାତିରେ ସ୍ୱାମୀ ସମେତ ଉପରୋକ୍ତ ଆସାମୀମାନେ ସଂଘବଦ୍ଧ ଭାବେ ମୋର ଝିଅ କଳ୍ପନାକୁ ମାରି ଦେଇଛନ୍ତି । ଆମେ ବାହାରୁ ସୂଚନା ପାଇ ଝିଅ ଘରେ ଆସି ପହଂଚିବା ବେଳକୁ ଝିଅର ଶବ ଦେଖିବାକୁ ପାଇଲୁ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପାଇ ପୋଲିସ ମକଦ୍ଦମା ନଂ-୧୩୦/୨୫ରେ ଭାରତୀୟ ନ୍ୟାୟ ସଂହିତା ଦଫା- ୮୫/୧୦୩(୧)/ ୮୦(୨)/୩(୬)/ ୪ ଡି.ପି. ଆକ୍ଟରେ ମାମଲା ରୁଜୁକରି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ଅପରପକ୍ଷରେ ପୁଲିସ ମୃତା କଳ୍ପନାର ସ୍ୱାମୀ ଦୀପକ ଓ ଦାଦା ଶ୍ୱଶୁର ଅଜୟ ଦାସଙ୍କୁ ଥାନାକୁ ଆଣି ପଚରା ଉଚରା କରୁଥିବା ଆଇଆଇସି ନରେଶକୁମାର ସାହୁ ସୂଚନା ଦେଇଛନ୍ତି ।