ସନେ୍ଦହରେ ନାବାଳିକା ଆତ୍ମହତ୍ୟା: ମୋବାଇଲ ଗେମ ହୋଇପାରେ କାରଣ
ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଗ୍ରାମର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜେନୈକା ନାବାଳିକା ଆତ୍ମହତ୍ୟା ବୈଶିଙ୍ଗା ଅଞ୍ଚଳ ପାଇଁ ଦୁଃଖ ଆଣିଦେଇଛି । ସୂଚନା ଅନୁଯାୟୀ ପଦ୍ମନାଭପୁର ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ୧୦ ବର୍ଷିଆ ଝିଅ ଅମ୍ରିତା ସାହୁ ନିଜ ମାମୁଁ ଘର ବାଲେଶ୍ୱର ଜିଲ୍ଲାର ଡିହସାହି ଗ୍ରାମରେ ରହି ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲା । ବୁଧବାର ସକାଳେ ବିଦ୍ୟାଳୟକୁ ଯାଉ ଥିବାର କହି ନିଜ ସାଇକେଲ ଯୋଗେ ଘରୁ ବାହାରି ଆସିଥିଲା । ମାତ୍ର ବିଦ୍ୟାଳୟକୁ ନଯାଇ ସକାଳ ୯ ଘଟିକା ସମୟରେ ନିଜ ଗ୍ରାମ ପଦ୍ମନାଭପୁରରେ ପହଞ୍ଚିଥିଲା । ଘରେ କେହି ନଥିବାର ଦେଖି ଭିତରେ ପଶି ସାଙ୍ଗରେ ଆଣିଥିବା ଉତ୍ତରୀକୁ ବେକରେ ଲଗାଇ ଘର ଛାତରେ ଲାଗିଥିବା ଓଜନ କଣ୍ଟାରେ ଝୁଲି ପଡିଥିଲା । ଅମ୍ରିତାର ଜେଜେ ମା ବିଜୟଲକ୍ଷ୍ମୀ ସାହୁ ଅଙ୍ଗନବାଡିରେ ରୋଷେଇ କାମ ସାରି ଘରକୁ ଆସି ଦେଖିଲାବେଳକୁ ନାତୁଣୀ ଝୁଲୁଛି । ସଙ୍ଗେ ସଙ୍ଗେ ଗ୍ରାମବାସୀ ଏବଂ ପଡ଼ୋଶୀଙ୍କ ସହଯୋଗରେ ତାକୁ ତଳକୁ ଓହ୍ଲାଇ ବୈଶିଙ୍ଗା ଡାକ୍ତରଖାନାକୁ ନେଇଆସିଥିଲେ । ସେଠାରେ ଉପସ୍ଥିତ ଡାକ୍ତର ଅମ୍ରିତାକୁ ମୃତ ବୋଲି ଘୋଷଣା କରିଥିଲେ । ମାତ୍ର ଏହି ମୃତୁ୍ୟ ପଛରେ ମୋବାଇଲ ଗେମର ରହସ୍ୟ ଥିବାର ପରିବାରବର୍ଗଙ୍କ ଠାରୁ ଶୁଣିବାକୁ ମିଳିଛି । ଏନେଇ ବୈଶିଙ୍ଗା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ମୃତୁ୍ୟର ପ୍ରକୃତ ରହସ୍ୟ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି ।