ସବୁ ସମ୍ଭାଳି ହବନି
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନରେ ସବୁକୁ କେମିତି ସମ୍ଭାଳି ହେବନି ଆଉ ଯାହା ସମ୍ଭାଳି ହବନି ତାକୁ କେମିତି ଅଣଦେଖା କରିବାକୁ ହେବ, ସେ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଯେଉଁଠି, ଯେଉଁ କ୍ଷେତ୍ରରେ ବା ଯେଉଁ ପରିସ୍ଥିତିରେ ପରିବର୍ତ୍ତନ ହୋଇପାରିବନି ବୋଲି ଆପଣ ଅନୁଭବ କରୁଛନ୍ତି, ସେଠି ନୀରବ ରୁହନ୍ତୁ, ସମୟକୁ ସ୍ୱୀକାର କରନ୍ତୁ । ଆଉ ଯେଉଁଠି ପରିବର୍ତ୍ତନର କାଣିଚାଏ ବି ସମ୍ଭାବନା ଦେଖୁଛନ୍ତି, ତାକୁ ପୂର୍ଣ୍ଣପ୍ରାଣରେ ଚେଷ୍ଟା କରନ୍ତୁ । କାରଣ ମଣିଷ ପରିସ୍ଥିତିର ଦାସ, ସର୍ବଶକ୍ତିମାନ ନୁହେଁ କି ସର୍ବନିୟନ୍ତା ନୁହେଁ । ଜୀବନର ସବୁ ପରିସ୍ଥିତିର ସମସ୍ୟାକୁ ସମାଧାନ ହୋଇଯିବ ବୋଲି ଭାବିବା ବି ଅନୁଚିତ୍ । କିଛି ସମସ୍ୟା ମନୁଷ୍ୟ ଦ୍ୱାରା ସମାଧାନର ଯୋଗ୍ୟ ନୁହେଁ । ସେଭଳି ସମସ୍ୟା ଆସିଲେ ନୀରବ ରହିଯିବା ଉଚିତ୍ । ନୀରବତା ହିଁ ଅନେକ ସମସ୍ୟାର ସମାଧାନର ବଡ଼ ରାସ୍ତା । ନୀରବ ରହିବା ମାଧ୍ୟମରେ ଯଦି ସମସ୍ୟାର ସମାଧାନ ହୋଇନପାରୁଛି ତେବେ ବୁଝି ନେବାକୁ ହେବ ଯେ ତାହା ବ୍ୟକ୍ତି ଦ୍ୱାରା ସମାଧାନ ଯୋଗ୍ୟ ନୁହେଁ । ସେଭଳି ଘଟଣା ଉପରେ ଆଉ ଗୁରୁତ୍ୱ ନଦେଇ ଜୀବନ ଯାତ୍ରାରେ ଆଗେଇ ଯିବାକୁ ପଡ଼ିବ । କାରଣ ସେହି ସମସ୍ୟାର ସମାଧାନ ସେହି ବ୍ୟକ୍ତି ଦ୍ୱାରା ସମ୍ଭବ ନୁହେଁ । ଏଭଳି ପରିସ୍ଥିତିରେ ନିର୍ବିକାର ରହିବା ହିଁ ଭଲ । ଜଣେ ଯେେବେଳେ ନିର୍ବିକାର ରହିବ, ସେତେବେଳେ ଅନ୍ୟମାନେ ତାହାର ଦୁର୍ବଳତାକୁ ଜାଣିପାରିବେ ନାହିଁ । ନିର୍ବିକାର ରହିବା ବ୍ୟକ୍ତିର ଶବଳତାର ପ୍ରମାଣ । ଅନେକ ଘଟଣା ଜୀବନରେ ଆସେ । ସବୁ ଘଟଣାକୁ ଜୀବନର ଆସନ୍ତା ସମୟ ପାଇଁ ଏକ ଶିକ୍ଷଣୀୟ ଅଧ୍ୟାୟ ଭାବରେ ଗ୍ରହଣ କରିବାକୁ ହେବ । ବିଭିନ୍ନ ସମୟରେ ସମସ୍ୟା ଆଗରେ ମଣିଷ ବିବ୍ରତ ହୋଇଯାଉଥିବା ଦେଖାଯାଏ । ପୃଥିବୀ ସର୍ବଦା ପରିବର୍ତ୍ତନଶୀଳ । କିଛି ପରିବର୍ତ୍ତନ ପ୍ରାକୃତିକ ଭାବେ ଘଟେ ଏବଂ ଆଉ କିଛି ଅନ୍ୟ କାହା ଦ୍ୱାରା କିମ୍ବା ନିଜ ଦ୍ୱାରା ଘଟେ । ଯେଉଁ ପରିବର୍ତ୍ତନକୁ ବ୍ୟକ୍ତି ପକ୍ଷରେ ଘଟାଇବା ସମ୍ଭବ ନୁହେଁ ତାକୁ ଛାଡ଼ି ଦେବା ଉଚିତ୍ ।
ସମୟକୁ କେହି ପଛରୁ ଫେରେଇ ପାରିବେ ନାହିଁ । ସୂର୍ଯ୍ୟ, ଚନ୍ଦ୍ରଙ୍କର ଗତିକୁ ଅବରୋଧ କରି ହେବ ନାହିଁ । ଠିକ୍ ସେମିତି ଅସମ୍ଭବ କାର୍ଯ୍ୟରେ ମନୁଷ୍ୟ ଯଦି ସମୟ ବ୍ୟୟ କରିବ ନିଶ୍ଚିତ ରୂପେ ଲୋକହସା ହେବ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।