ସମାନ ନୁହଁନ୍ତି ଧାର୍ମିକ ଓ ଧର୍ମକଥକ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ସଂସାରରେ ଧାର୍ମିକ ଓ ଧର୍ମକଥକ କେମିତି ସମାନ ନୁହଁନ୍ତି ସେ ବାବଦରେ କିଛି ଅନୁଶୀଳନର କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସାମାଜିକ ଜୀବନ ଯାପନ କ୍ଷେତ୍ରରେ ଧର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଧର୍ମଗ୍ରନ୍ଥ ଗୁଡ଼ିକରେ ଧର୍ମ ସମ୍ପର୍କିତ ବିଭିନ୍ନ ଉପଦେଶ, ଆଚରଣ ଆଦି ଲିପିବଦ୍ଧ ହୋଇ ରହିଥାଏ । ଧର୍ମ ସମ୍ପର୍କିତ ପୁସ୍ତକ ସମସ୍ତେ କିଣିପାରନ୍ତି ନାହିଁ । ସେଥିପାଇଁ କିଛି ବ୍ୟକ୍ତି ଧର୍ମପୁସ୍ତକରେ ଲିଖିତ ତଥ୍ୟକୁ ଅନ୍ୟମାନଙ୍କ ନିକଟରେ ପ୍ରବଚନ ଛଳରେ ପହଞ୍ଚାଇଥାନ୍ତି । ତେବେ ପ୍ରବଚନ ମାଧ୍ୟମରେ ଲୋକଙ୍କ ନିକଟରେ ଧର୍ମଗ୍ରନ୍ଥର ତଥ୍ୟକୁ ପହଞ୍ଚାଉଥିବା ବ୍ୟକ୍ତି ଯଦି ପ୍ରକୃତରେ ସେ କହୁଥିବା କଥା ଅନୁଯାୟୀ ଆଚରଣରେ ତାହା ପ୍ରଦର୍ଶନ ନକରନ୍ତି, ତେବେ ସେ କେବଳ ଏକ ଧର୍ମବାଚକ ବା ଧର୍ମକଥକ ହୋଇ ରହିପାରନ୍ତି ମାତ୍ର ଧାର୍ମିକ ନୁହେଁ । 
ବର୍ତ୍ତମାନ ସମାଜରେ ଏ ପ୍ରକାରର ଧର୍ମବାଚକଙ୍କ ସଂଖ୍ୟା ମାତ୍ରାଧିକ । ଧର୍ମକୁ ନେଇ ଲୋକଙ୍କ ଭିତରେ ଉତ୍ତେଜନା ସୃଷ୍ଟି କରାଇବା, ଉପଦେଶ ଦେବା ମାଧ୍ୟମରେ କିମ୍ବା ପ୍ରବନଚ ଦେବା ମାଧ୍ୟମରେ ଜୀବିକା ଅର୍ଜନ କରିବା ଭଳି ଘଟଣା ଦେଖିବାକୁ ମିଳେ । ଏଭଳି କରୁଥିବା ବ୍ୟକ୍ତିମାନେ ନିଜ ଜୀବନରେ ଧର୍ମର ଆଚରଣ କରନ୍ତି ନାହିଁ । ସେମାନଙ୍କ ସମ୍ପର୍କରେ ପ୍ରକୃତ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚିଗଲେ ନିନ୍ଦିତ ହୁଅନ୍ତି । ଏ ପ୍ରକାରର ବ୍ୟକ୍ତିମାନେ ଦେଖିବାକୁ ଗଲେ ପ୍ରଶଂସା ଖୋଜିବାକୁ ଯାଇ ନିନ୍ଦାର ପାତ୍ର ହୋଇଥାନ୍ତି । ଏମାନେ ନିନ୍ଦା ପ୍ରତି କର୍ଣ୍ଣପାତ ନକରି ନିଜ ପ୍ରକୃତି ବଦଳାନ୍ତି ନାହିଁ । ଯେଉଁ କାରଣ ପାଇଁ ସେମାନଙ୍କୁ ନିନ୍ଦିତ ହେବାକୁ ପଡ଼େ ତାର ପରିବର୍ତ୍ତନ ଏମାନଙ୍କ ଠାରେ ଦେଖାଯାଏ ନାହିଁ । 
ଧାର୍ମିକ ହେବା ଏବଂ ଧର୍ମ ପ୍ରବଚକ ହେବା ଦୁଇଟି ଭିନ୍ନ ଭିନ୍ନ ପ୍ରସଙ୍ଗ । ସବୁ ଧର୍ମ ପ୍ରବଚକ ସମାନ ନୁହଁନ୍ତି । କିଛି ବ୍ୟକ୍ତି ପ୍ରବଚନକୁ ଜୀବିକା ଭାବରେ ଗ୍ରହଣ କରନ୍ତି । ଏମାନଙ୍କ ନିକଟରେ କଥା କହିବାର ଅଦ୍ଭୂତ ଶୈଳୀ ଥାଏ । କଥା ମାଧ୍ୟମରେ ଲୋକଙ୍କୁ ଧର୍ମଗ୍ରନ୍ଥ ବର୍ଣ୍ଣିତ ପ୍ରସଙ୍ଗ ଗୁଡ଼ିକ ଶୁଣାଇ ବିମୋହିତ କରି ଦେଇପାରନ୍ତି । ଅଥଚ ନିଜର ବ୍ୟକ୍ତିଗତ ଜୀବନ ଉପରକୁ କଥା ଆସିଲେ ଅତ୍ୟନ୍ତ ସ୍ୱାର୍ଥପର ହୋଇଥିବା ଦେଖାଯାଏ । ଧର୍ମ ଗ୍ରନ୍ତର ଜ୍ଞାନକୁ ଆୟତ୍ତ କରିବା ଏବଂ ଏହି ଜ୍ଞାନକୁ ଲୋକଙ୍କ ନିକଟରେ ପହଞ୍ଚାଇ ସମ୍ମାନ ହାସଲ କରିବା ବ୍ୟକ୍ତିମାନେ ଯେ ଧାର୍ମିକ ତାର କୌଣସି ସତ୍ୟତା ନାହିଁ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।