ସରକାରୀ କାର୍ଯ୍ୟାଳୟ ଅଚଳ: ସମୂହ ଛୁଟିରେ ରାଜସ୍ୱ ଅମଲା
କେନ୍ଦୁଝର: ବିଭିନ୍ନ ଦାବି ନେଇ ଜିଲ୍ଲାରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନେ ଅଗଷ୍ଟ ୧୧ ତାରିଖ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ, ଆଇସିଡିଏସ୍, ଆଇଟିଡିଏ ପ୍ରଭୃତି କାର୍ଯ୍ୟାଳୟର ରାଜସ୍ୱ ଅମଲାମାନେ ସମୁହ ଭାବେ ନିଜ ନିଜ କାର୍ଯ୍ୟାଳୟର ଅଧିକାରୀଙ୍କୁ ନିଜର ଛୁଟି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆବେଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜସ୍ୱ ଅମଲାମାନେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ, ଆନନ୍ଦପୁର ଉପଜିଲ୍ଲାପାଳ ଓ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜସ୍ୱ ଅମଲାମାନେ ଏକତ୍ରିତ ହୋଇ ସେମାନଙ୍କ ଦାବିଗୁଡିକ ପୂରଣ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ । ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଓଆର୍ଏସ୍ପି ୨୦୧୭ ମସିହା ନିୟମ ଅନୁଯାୟୀ ଲେଭେଲ ୯କୁ ବୃଦ୍ଧି କରିବା, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପତ୍ର ସଂଖ୍ୟା ୬୯୮ ତା ୦୬.୦୧.୨୦୨୪,ପତ୍ର ସଂଖ୍ୟା ୭୦୮ ତା ୦୬.୦୧.୨୦୨୪, ପତ୍ର ସଂଖ୍ୟା ୮୮୯୮ ତା ୧୫.୦୩.୨୦୨୪ ଅନୁଯାୟୀ ଏବଂ ସମସ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି କରାଯିବା ସହିତ ପଦବୀ ପୁର୍ନଗଠନ କରିବା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୮୮୯୮ ତା ୧୫.୦୩.୨୦୨୪ ଅନୁଯାୟୀ ହୋଇଥିବା କନିଷ୍ଠ ରାଜସ୍ୱ ଅମଲା ମାନଙ୍କର ରେସିଡେନ୍ସି ପିରିୟଡ ୬ ବର୍ଷ କରିବା,ବରିଷ୍ଠ ରାଜସ୍ୱ ସହାୟକ ଏବଂ ଏଏସ୍ଓ ପଦବୀକୁ ଏକତି୍ରକରଣ କରାଯାଇ କେବଳ ଏଏସ୍ଓ ରଖାଯାଉ ଏବଂ କନିଷ୍ଠ ରାଜସ୍ୱ ସହାୟକରୁ ୪ ବର୍ଷ ରେସିଡେନ୍ସି ପିରିୟଡ ରଖାଯାଇ ଏଏସ୍ଓ ପଦବୀକୁ ପଦୋନ୍ନତି ଦିଆଯିବା,ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରିବା,୨୦୨୦ ମସିହାରୁ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀକୁ ପୁନଃ ପ୍ରଚଳନ କରାଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେ କୌଣସି ସଦସ୍ୟ/ସଦସ୍ୟାଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା,ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ କର୍ମଚାରୀମାନଙ୍କୁ ଓଡିଶା ରାଜସ୍ୱ ସେବା ପଦବୀରେ ଶତ ପ୍ରତିଶତ ପଦୋନ୍ନତି ଦେବା,ତହସିଲ କାର୍ଯ୍ୟାଳୟ ମାନଙ୍କରେ ବିଭିନ୍ନ ରାଜସ୍ୱ ସମ୍ବନ୍ଧୀୟ ମାମଲାକୁ ତ୍ୱରାନ୍ୱିତ କରାଯିବା ପାଇଁ ସେଠାରେ କାର୍ଯ୍ୟରତ ରାଜସ୍ୱ ସହାୟକ ମାନଙ୍କୁ ଏଲଆର୍ଏମ୍ଏସ୍ ୟୁଜର ଆଇଡି ପ୍ରଦାନ କରିବା,ରାଜସ୍ୱ ବିଭାଗରେ ସମସ୍ତ କାର୍ଯ୍ୟରେ ସଂସ୍କାର ଅଣାଯିବା ପାଇଁ ଏବଂ ନୂତନ ଭାବେ ନିଯୁକ୍ତି ପାଇଥିବା ରାଜସ୍ୱ ସହାୟକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରବେଶକାଳୀନ ତାଲିମ ପ୍ରଦାନ କରିବା ଏବଂ ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି ନେଇ ଜିଲ୍ଲାରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନେ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ରହିଛନ୍ତି ।