ସରକାରୀ ସହାୟତା ଅପେକ୍ଷାରେ ରମେଶ
କୋଷାଗୁମୁଡା: ରମେଶ ଭତ୍ରା । ନବମ ଶ୍ରେଣୀର ଛାତ୍ର । ବୟସ ପ୍ରାୟ ୧୪ବର୍ଷ । ଘର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବଡ ଆଟିଗାଁ ସଦର ପଞ୍ଚାୟତ । ପିଲାଟି ବେଳରୁ ନିଜର ଡାହାଣ ହାତ ହୋରାଇ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି । ହେଲେ ସରକାରୀ ଦସ୍ତାବିଜ ଭିତରେ ଯୋଜନା ଓ ନିଜ ପରିଚୟରୁ ବହୁ ଦୂରରେ ରମେଶଙ୍କ ଭବିଷ୍ୟତକୁ ନେଇ ଆଶା ଓ ଆଶଙ୍କାରେ ତାଙ୍କର ପରିବାର । ପରିବାର କହିଲେ ବାପା ମନଧର ଭତ୍ରା, ମାଁ ଓ ତିନି ଭଉଣୀ । ସରକାରୀ ଯୋଜନା କହିଲେ ମିଳିଛି ଖଣ୍ଡିଏ ଆବାସ ଘର ଓ ୬ଜଣ ପରିବାରକୁ ୨୦କିଲୋ ଚାଉଳ । ବହୁ କଷ୍ଟରେ ଅନ୍ୟ ଘରେ ମୂଲ ଲାଗିଲେ ଘରେ ଚୁଲି ଜଳେ । ସରକାରୀ ଯୋଜନା ଯେମିତି ବାଟବଣା ହୋଇଯାଇଛି ଦିବ୍ୟାଙ୍ଗ ରମେଶଙ୍କ ପାଇଁ । ଆଜି ପର୍ଯ୍ୟନ୍ତ ଯୋଡି ହୋଇନି ରାଶନ କାର୍ଡରେ ନାଁ ମିଳିପାରିନି ବିକଳାଙ୍ଗ ଭତ୍ତା । ସରକାରୀ ଯୋଜନାକୁ ହାତେଇବାକୁ ହୋଇଥିବା ପରିଚୟପତ୍ର ଆଧାର କାର୍ଡ ଟିକେ ମଧ୍ୟ ହୋଇ ପାରିନାହି । ପିଲାଦିନେ ଏକ ଗଛରୁ ତଳେ ପଡି ହାତ ଭାଙ୍ଗିବା ପରେ ଚିକିସôା ପାଇଁ ଗରିବ ପରିବାର ରମେଶଙ୍କ ସାଙ୍ଗସାଥି, ଗାଁ ଲୋକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଆର୍ଥିକ ସହାୟତା ପାଇ କୋରାପୁଟ ପରେ ବ୍ରହ୍ମପୁର ମେଡିକାଲକୁ ନେଇ ନେଇଥିଲେ । ସେଠାରେ ରମେଶଙ୍କ ଡାହାଣ ହାତ କାଟିବାକୁ ପଡିଥିଲା । ବର୍ତ୍ତମାନ ରମେଶ ନିଜର ବାମ ହାତ ସାହାଯ୍ୟରେ ନିଜର ନିତ୍ୟକର୍ମ କରିବା ସହ ପାଠ ପଢିବା ଓ ଲେଖିବା ସମସ୍ତ କାମ ବହୁତ କଷ୍ଟ ହେଲେ ମଧ୍ୟ କରୁଥିବା ବେଳେ ନିଜର ହାତ ନଥିବା କାରଣରୁ ବହୁ ବାର ଆବେଦନ ପରେ ମଧ୍ୟ ଆଧାର କାର୍ଡ କିମ୍ବା କୌଣସି ଦିବ୍ୟାଙ୍ଗ ପ୍ରମାଣ ପତ୍ର ଆଜି ପର୍ଯ୍ୟନ୍ତ ମିଳିପାରିନାହି । ଯାହାକୁ ନେଇ ରମେଶ ଓ ପରିବାର ଲୋକେ ଚିନ୍ତିତ ଅଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଠୀ ଦେଇ ରମେଶଙ୍କ ପାଇଁ କୁତ୍ରିମ ଅଙ୍ଗ ରୋପଣ ସହିତ ବିକଳାଙ୍ଗ ଭତ୍ତା ଯୋଗାଇ ଦେବାପାଇଁ ପରିବାର ଲୋକେ ଦାବି କରିଛନ୍ତି ।