ସାବିତ୍ରୀ ଓଷା

ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ସାବିତ୍ରୀ ବ୍ରତ ଅନ୍ୟତମ । ଜ୍ୟେଷ୍ଠମାସ ଅମାବାସ୍ୟା ତିଥିରେ ଏହା ପାଳନ କରାଯାଉଥିବାରୁ ସେ ଦିନଟି ସାବିତ୍ରୀ ଅମାବାସ୍ୟା ଭାବରେ ପରିଚିତ । ସଧବା ନାରୀମାନଙ୍କ ଦ୍ୱାରା ପାଳିତ ହେଉଥିବା ବ୍ରତଗୁଡ଼ିକ ମଧ୍ୟରୁ ଏହା ଏକ ଶ୍ରେଷ୍ଠ ବ୍ରତ । ସତୀ, ସାଧ୍ୱୀ ପତିବ୍ରତା ସାବିତ୍ରୀଙ୍କ ସ୍ମରଣ ସାଙ୍ଗକୁ ତାଙ୍କ ପନ୍ଥା ଅନୁସରଣ ହେଉଛି ସାବିତ୍ରୀ ବ୍ରତ ପାଳନର ମୂଳ ଲକ୍ଷ୍ୟ । ସଧବା ନାରୀ ପାଇଁ ତାର ସ୍ୱାମୀ ସର୍ବସ୍ୱ । ସାବିତ୍ରୀ ବ୍ରତ ପାଳନ କରି ନାରୀ ନିଜ ପତିଙ୍କ ଦୀର୍ଘାୟୁ କାମନା କରିଥାଏ । ସାବିତ୍ରୀ ବ୍ରତ କଥାରେ ଉଲ୍ଲେଖ ରହିଛି ଯେ ଜ୍ୟେଷ୍ଠ କୃଷ୍ଣ ଅମାବାସ୍ୟା ଦିନ ସାବିତ୍ରୀ ନାମ ସ୍ମରଣ କରି ଯେଉଁ ନାରୀ ପବିତ୍ର ମନରେ ସାବିତ୍ରୀ ବ୍ରତ କରିବ ସେ ନାରୀ ଜନ୍ମେ ଜନ୍ମେ ସଧବା ରହିବ ଓ ପତି ପରାୟଣ ହୋଇ ପୁତ୍ରବତୀ, ଧନବତୀ ହେବ ଏବଂ ଅନ୍ତିମ କାଳରେ ବୈକୁଣ୍ଠପ୍ରାପ୍ତି ହେବ । ବିଭିନ୍ନ ଅଞ୍ଚଳରେ ନାନା ବିଧିରେ ସାବିତ୍ରୀବ୍ରତ ପାଳନ ହୋଇଥାଏ । ଏହି ବ୍ରତରେ ସାବିତ୍ରୀ ଦେବୀ, ଯମଦେବତା ଏବଂ ସତ୍ୟବାନଙ୍କୁ ପୂଜା କରାଯାଇଥାଏ । କେତେକ ସ୍ଥାନରେ ମଧ୍ୟ ସାବିତ୍ରୀ ଦେବୀ, ଯମଦେବତା ଏବଂ ସତ୍ୟବାନଙ୍କ ସହିତ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରାଯାଇଥାଏ । ସାବିତ୍ରୀ ବ୍ରତ ପାଳନର ସ୍ୱତନ୍ତ୍ରତା ହେଉଛି ଏହି ପୂଜାରେ ଅଗ୍ନିଦ୍ୱାରା ସିଦ୍ଧ କୌଣସି ପଦାର୍ଥ ଠାକୁରଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରାଯାଏ ନାହିଁ । ବିଭିନ୍ନ ପ୍ରକାର ଫଳ ଓ ଧୁଆ ମୁଗ ହିଁ ଏଥିପାଇଁ ଦରକାର ହୋଇଥାଏ । ସାବିତ୍ରୀ ବ୍ରତ କଥାରୁ ଜଣାଯାଏ ଯେ ସ୍ତ୍ରୀମାନେ ଶୀଳପୁଆକୁ ପଞ୍ଚାମୃତରେ ଶୁଦ୍ଧପୁତ କରି ସ୍ନାନ କରାଇ ସାବିତ୍ରୀ ରୂପରେ ଥାପନ୍ତି । ଫୁଲଚନ୍ଦନ, ଧୂପ ଦୀପ ଓ ନୈବେଦ୍ୟ ତାଙ୍କଠାରେ ଅର୍ପଣ କରନ୍ତି । କଇଁ, କଳାମାଳି ଓ ନୂଆ ଲୁଗା ରଖାଯାଏ । ଆମ୍ବ, ପଣସ, ଖଜୁରୀ, ତାଳ, ନଡ଼ିଆ, ମୁଗ, ବତୁରା, ସପୁରୀ ପ୍ରଭୃତି ପୂଜା କରାଯାଏ । ଓଡ଼ିଆ ଘରେ ବୋହୂମାନେ ପାହାନ୍ତାରୁ ଉଠି ଗାଧୁଆ ସାରନ୍ତି ପାଟପତନୀ ପରିଧାନ କରି ଶୁଦ୍ଧ ମନରେ ସାବିତ୍ରୀ ପୂଜାରେ ମନ ଦିଅନ୍ତି । ଉପବାସ ରୁହନ୍ତି । ପୂର୍ବ ରାତିରେ ମୁଗ ବତୁରାଇ ଥାଆନ୍ତି । ଅପରାହ୍ନରେ ପୂଜା ଶେଷ ହେଲେ ଗଜାମୁଗ, ତାଳ, ନଡ଼ିଆ, ଖଜୁରି, କୋଳି, ପଣସ, ଆମ୍ବ ଓ ସପୁରୀ ପ୍ରଭୃତି ଫଳ ଆହାର କରନ୍ତି ।
ପୌରାଣିକ ପୃଷ୍ଠଭୂମି ଅନୁସାରେ ସାବିତ୍ରୀ ମଦ୍ର ନରପତି ଅଶ୍ୱପତିଙ୍କର କନ୍ୟା ଏବଂ ସେ ଶାଲ୍ୱ ଦେଶାଧିପତି ଦୁ୍ୟମତ ସେନଙ୍କ ପୁତ୍ର ସତ୍ୟବାନଙ୍କୁ ବିବାହ କରିଥିଲେ । ରାଜ୍ୟ ହରାଇ ପିତାମାତାଙ୍କ ସହିତ ବଣରେ ରହୁଥିଲେ ସତ୍ୟବାନ । ବିବାହର ଏକ ବର୍ଷ ପରେ ସେ ମୃତୁ୍ୟବରଣ କରିବେ ବୋଲି ବିଧି ନିର୍ଦ୍ଧିଷ୍ଟ ଥିଲା । ତେଣୁ ବର୍ଷେ ପୂରିବାର ୩ ଦିନ ପୂର୍ବରୁ ସାବିତ୍ରୀ କଠୋର ଧ୍ୟାନରେ ବସିଲେ । ୪ର୍ଥ ଦିନ ଅର୍ଥାତ୍ ଯେଉଁ ଦିନ ସତ୍ୟବାନଙ୍କ ମୃତୁ୍ୟ ହେବାର ଥିଲା ସେ ଦିନ ଶାଶୂ ଶ୍ୱଶୁରଙ୍କୁ ପ୍ରଣାମ କରି ପତିଙ୍କୁ ଧରି ସାବିତ୍ରୀ ବଣକୁ ଗଲେ । ସେଠାରେ ସତ୍ୟବାନ କାଠ କାଟୁଥିବା ବେଳେ ମସ୍ତକରେ ପୀଡ଼ା ଅନୁଭବ କଲେ ଏବଂ ସାବିତ୍ରୀଙ୍କ କୋଳରେ ମସ୍ତକ ରଖି ଚିରଦିନ ପାଇଁ ଆଖି ବୁଜିଲେ । ଏହାପରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚô ସତ୍ୟବାନ ଶରୀରରୁ ଅଙ୍ଗୁଳି ପରିମିତ ଜୀବନକୁ ଫାସରେ ବାନ୍ଧି ଦକ୍ଷିଣାଭିମୁଖୀ ଯାତ୍ରା କରିବା ମାତ୍ରକେ ସାବିତ୍ରୀ ତାଙ୍କର ଅନୁଗମନ କଲେ । ଯମରାଜ ଯେତେ ବୁଝାଇଲେ ସେ ବୁଝିଲେ ନାହିଁ । ତେଣୁ ଯମତାଙ୍କୁ ସତ୍ୟବାନଙ୍କ ଜୀବନ ବ୍ୟତୀତ ଅନ୍ୟ ଯାହା ମାଗିଲେ ଦେବେ ବୋଲି କହିଲେ । ସାବିତ୍ରୀ କହିଲେ ମୋର ଅନ୍ଧ ଶ୍ୱଶୁରଙ୍କୁ ଚକ୍ଷୁଦାନ କରି ତେଜସ୍ୱୀ କରନ୍ତୁ । ଯମରାଜ ତଥାସ୍ତୁ କହିଲେ । ଶେଷରେ ସେ ନିଜ ପାଇଁ ଶହେ ପୁତ୍ର ମାଗିଲେ । ଯମରାଜ ତଥାସ୍ତୁ କହନ୍ତେ ବୁଦ୍ଧିମତୀ ସତୀ ସାବିତ୍ରୀ କହିଲେ ଆପଣତ ମୋର ପତିଙ୍କୁ ନେଇ ଯାଉଛନ୍ତି ମୁଁ ପୁତ୍ରବତୀ ହେବି କିପରି । ଶେଷରେ ସାବିତ୍ରୀଙ୍କ ପାଖରେ ପରାଜୟ ସ୍ୱୀକାର କରି ଯମରାଜ ସତ୍ୟବାନଙ୍କ ଜୀବନ ଫେରାଇ ଦେଇଥିଲେ । ସତ୍ୟବାନ ପୁନଃ ଜୀବନ ଲାଭ କରି ସାବିତ୍ରୀଙ୍କୁ ଧରି ଆଶ୍ରମକୁ ଫେରିଗଲେ ଏବଂ ପିତାଙ୍କ ଚକ୍ଷୁଲାଭ, ରାଜ୍ୟଲାଭ କରିଥିବା ଦେଖି ସମସ୍ତ କଥା ଶୁଣି ପତିବ୍ରତା ନାରୀର ପ୍ରଶଂସା କଲେ । ସତ୍ୟବାନ ସିଂହାସନରେ ବସିଲେ, ଶତପୁତ୍ର ଲାଭ କଲେ ଏବଂ ସାବିତ୍ରୀ ନାରୀ ଜଗତରେ ଚିରଦିନ ପୂଜ୍ୟା ଏବଂ ସ୍ମରଣୀୟ ହୋଇ ରହିଲେ । ଏହି ପତିବ୍ରତା ନାରୀଙ୍କୁ ସ୍ମରଣ କରିବା ପାଇଁ ପ୍ରତି ବର୍ଷ ପାଳିତ ହେଉଛି ସାବିତ୍ରୀ ଓଷା ।
ଅନୁପମା ଭୂୟାଁ
ଋ-ଜ୍ଞବସକ୍ଷ : ବଦ୍ଭଙ୍କକ୍ଟ୍ରବଜ୍ଞବ୧୨୩ଭଷଙ୍କଚ୍ଚବଦ୍ଭଅଶଜ୍ଞବସକ୍ଷ.ମକ୍ଟଜ୍ଞ