ସାହାଣୀ କପ: ନବରଙ୍ଗପୁର ଦଳର ବ୍ରହ୍ମପୁର ଗସ୍ତ

 ନବରଙ୍ଗପୁର : ରାଜ୍ୟ ଫୁଟବଲ ସଂଘ ଆନୁକୁଲ୍ୟରେ ୧୬ ତାରିଖରୁ ମହାତ୍ମା ଗାନ୍ଧି ଷ୍ଟାଡିୟମ, ବ୍ରହ୍ମପୁର ଠାରେ ଆରମ୍ଭ ହେବାକୁ ଥିବା  ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ନବରଙ୍ଗପୁର ଦଳ ପ୍ରହ୍ମପୁର ଗସ୍ତ କରିଛି । ଜିଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏନେଇ ଏକ ବାଇଶି ଜଣିଆ ଜିଲ୍ଲା ଦଳ ଘୋଷଣା କରିଛନ୍ତି । ଦଳ ଘୋଷଣା ପୂର୍ବରୁ ଜିଲ୍ଲା ସ୍ତରୀୟ ଚୟନ ପ୍ରକ୍ରିୟା ରେ ଭାଗ ନେବା ନିମନ୍ତେ ଜିଲ୍ଲାର କୋଣ ଅନୁକୋଣରୁ ପ୍ରାୟ ୭୦ ଜଣ ଖେଳାଳି ଭାଗ ନେଇଥିଲେ । ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳୀ ପ୍ରଶାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ଚୟନ ପ୍ରକ୍ରିୟା କରାଯାଇଛି । ଏହି ଚୟନ ପ୍ରକିୟାରେ ସଂଘର ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା ସହଯୋଗ କରିଥିଲେ । ଜିଲ୍ଲା ଦଳରେ ବରିଷ୍ଠ ପ୍ରାକ୍ତନ ଫୁଟବଲ ଖେଳାଳି ଫିରୋଜ ହିଆଲ କୋଚ୍ ଭାବେ ଓ ସହ କୋଚ୍ ଭାବରେ ବି.ୟୋଗେଶ କୁମାର ଏବଂ ମ୍ୟାନେଜର ଭାବରେ  ପ୍ରାକ୍ତନ ଫୁଟବଲ୍ ଖେଳାଳୀ ଦୂର୍ଯ୍ୟ ହରିଜନ ଦାୟିତ୍ୱ ତୁଲାଇବେ ବୋଲି  କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ. ବାଲାକ୍ରୀଷ୍ଣା ରାଓ, କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ ସଂଘର ସମସ୍ତ ସଦସ୍ୟ  ଶୁଭେଛା ଜଣାଇଛନ୍ତି ।