ସିପି ରାଧାକ୍ରୀଷ୍ଣନ ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ: ସେଇଆଡ଼କୁ ଢଳିବ ବିଜେଡ଼ି ?

ସିପି ରାଧାକ୍ରୀଷ୍ଣନ ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ:  ସେଇଆଡ଼କୁ ଢଳିବ ବିଜେଡ଼ି ?

 ଭୁବନେଶ୍ୱର : ତାମିଲନାଡୁର ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ମହାରାଷ୍ଟ୍ର ରାଜ୍ୟପାଳ ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରୀଷ୍ଣନଙ୍କୁ ଏନଡ଼ିଏର ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି  । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନଡ଼ିଏର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରାଧାକ୍ରୀଷ୍ଣନଙ୍କ ନାମ ଘୋଷଣା କରିଛନ୍ତି  । ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିବାରୁ ବିଜେଡ଼ି କାହାକୁ ଭୋଟ୍ ଦେବ ସେନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ।
ରାଧାକ୍ରୀଷ୍ଣନ୍ଙ୍କ ଘର ହେଉଛି ତାମିଲନାଡୁ  । ସେ ତାମିଲନାଡ଼ୁ ବିଜେପିର ରାଜ୍ୟ ସଭାପତି ବି ଥିଲେ  । କୋଏମ୍ବାଟୁରରୁ ଦୁଇଥର ଲୋକସଭା ସାଂସଦ ହୋଇଥିବା ଶ୍ରୀ ରାଧାକ୍ରୀଷ୍ଣନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଜନସଂଘ ସହ ବି ଜଡିତ  । ମାତ୍ର ୧୬ ବର୍ଷ ବୟସରୁ ସେ ସଂଘ ଆଦର୍ଶରେ ଅନୁପ୍ରାଣୀତ  । ଦକ୍ଷିଣ ଭାରତରେ ବିଜେପିର ସ୍ଥିତି ସେତେ ମଜବୁତ୍ ନଥିଲେବି ସେଠାରୁ ସେ ୧୯୯୮ ଓ ୧୯୯୯ରେ ବାଜିମାତ୍ କରିପାରିଥିଲେ  । ଏବେ ସେ ମହାରାଷ୍ଟ୍ରର ରାଜ୍ୟପାଳ ଥିବାବେଳେ ଝାରଖଣ୍ଡ, ତେଲେଙ୍ଗାନା ଓ ପୁଡୁଚେରୀର ରାଜ୍ୟପାଳ ଦାୟିତ୍ୱ ବି ନିର୍ବାହ କରିବାର ଅଭିଜ୍ଞତା ରଖିଛନ୍ତି  ।
ଆସନ୍ତାକାଲି ଇଣ୍ଡି ମେଣ୍ଟର ପ୍ରାର୍ଥୀ ଘୋଷଣା ହୋଇପାରେ  । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ଅଧ୍ୟକ୍ଷତାରେ ଇଣ୍ଡି ମେଣ୍ଟର ବୈଠକ ହେବାପାଇଁ ଦିନ ଧାର୍ଯ୍ୟ ହୋଇଛି  । ବିଜେପି ନେତୃତ୍ୱାଧୀନ ଏନଡ଼ିଏ ମେଣ୍ଟ ପ୍ରାର୍ଥୀ ଘୋଷଣା କରିସାରିଥିବାରୁ ଏବେ ବିଜେଡ଼ି ଉପରେ ସମସ୍ତଙ୍କ ନଜର ରହିଛି  । କାହାକୁ ବିଜେଡ଼ି ସମର୍ଥନ କରିବ ସେନେଇ ଆଲୋଚନା ଆରମ୍ଭ ହୋଇଯାଇଛି  । ଅତୀତରେ ଅନେକ ପ୍ରସଙ୍ଗରେ ବିଜେଡ଼ି ମୋଦି ସରକାରଙ୍କୁ ସମର୍ଥନ କରିଆସିଛି  । ଏବେ କିନ୍ତୁ ରାଜ୍ୟ ରାଜନୀତି ମୋଡ଼ ବଦଳାଇସାରିଛି  । ବିଜେପି ଶାସନ କରୁଥିବାବେଳେ ବିଜେଡ଼ି ଏବେ ପ୍ରମୁଖ ବିରୋଧୀ ଦଳ ପାଲଟିଛି  । ସେପଟେ ମୋଦିଙ୍କୁ ଦଳ ଛାଡ଼ିବ ନା ମୋଦିଙ୍କ ସହ ରହିବ ସେନେଇ ବି ଦ୍ୱନ୍ଦ୍ୱ ପ୍ରକାଶ ପାଇଛି  । ବିଜେପି ଏବେ ବିଜେଡ଼ିର ମୁଖ୍ୟ ଶତ୍ରୁ ହୋଇଥିବାରୁ ପ୍ରତି ପ୍ରସଙ୍ଗରେ ମୋଦି ସରକାର ଓ ବିଜେପିକୁ ଘେରିବାକୁ ଦଳେ ନେତା ଚିନ୍ତା କରୁଛନ୍ତି  । ୱାକଫ ବିଲ୍ ହେଉକି ସଂସଦରେ ଅପେରସନ୍ ସିନ୍ଦୁର ଆଲୋଚନା କାଳରେ ବି ଏମିତି ମତ ପ୍ରକାଶ ପାଇଥିଲା । ତେବେ ସେ ଯାହାହେଉନା କାହିଁକି ନେତାମାନେ ଯାହା କହିଲେ ବି ଚୂଡ଼ାନ୍ତ ନିଷ୍ପତ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହିଁ ନେବେ  । ଯଦିଓ ନବୀନଙ୍କ ନାମରେ ବିଜେଡ଼ି ଶାସନ ଚାଲିଛି ବାସ୍ତବରେ ପ୍ରମୁଖ ନିଷ୍ପତ୍ତି ନେବାରେ ଭିକେ ପାଣ୍ଡିଆନ୍ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି  ।
ରାଧାକ୍ରୀଷ୍ଣନଙ୍କ ଘର ହେଉଛି ତାମିଲନାଡୁ  । ପ୍ରାର୍ଥୀପତ୍ର ଦାଖଲ ପରେ ସେ ନିଜର କ୍ୟାମ୍ପେନ ଆରମ୍ଭ କରିବେ  । ନବୀନ ଓ ପାଣ୍ଡିଆନଙ୍କ ସହ ବି କଥା ହେବେ  । ପାଣ୍ଡିଆନ୍ ତାମିଲନାଡୁ ମାଟିର ପୁଅ ହୋଇଥିବାବେଳେ ରାଧାକ୍ରୀଷ୍ଣନବି ସେଇ ମାଟିର ପୁଅ  । ତେଣୁ ପାଣ୍ଡିଆନଙ୍କ ନିଷ୍ପତ୍ତି ସେଇଆଡ଼କୁ ଢଳିବାର ସମ୍ଭାବନା ରହିଛି  । ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ହିଁ ଭୋଟ୍ ଦିଅନ୍ତି  । ଏବେ ଏନଡ଼ିଏ ସଂଖ୍ୟା ଦୃଷ୍ଟିରୁ ନିଶ୍ଚିତ ବିଜୟ ହାସଲ କରିପାରିବ  । ତଥାପିବି ସବୁ ଦଳର ସହଯୋଗ ଲୋଡ଼ିବେ ରାଧାକ୍ରୀଷ୍ଣନ୍  । ସେହିପରି ମୋଦିଙ୍କ ସହ ନବୀନଙ୍କର ଏବେବି ନିଘନ ସମ୍ପର୍କ ରହିଛି  । ସବୁ ରାଜନୀତିକ ସମୀକରଣକୁ ଅନୁଶୀଳନ କଲେ ବିଜେଡ଼ି ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ କଲେ ଆଶ୍ଚର୍ଯ୍ୟ ହେବାର ନାହିଁ  । ନଚେତ୍ ଭେଳିକି ଦେଖାଇ ବିବେକାନୁମୋଦିତ ଭୋଟ୍ ଆଳରେ ଦଳର ସାଂସଦମାନେ ରାଧାକ୍ରୀଷ୍ଣନଙ୍କୁ ସମର୍ଥନ କରିବେ ବୋଲି ମନେ କରାଯାଉଛି  ।