ସୁଦାନରେ ଓଡ଼ିଆଙ୍କୁ ଅପହରଣ

ସୁଦାନରେ ଓଡ଼ିଆଙ୍କୁ ଅପହରଣ

ଭୁବନେଶ୍ୱର : ସୁଦାନରେ ଜଣେ ଓଡିଆଙ୍କୁ ଅପହରଣ କରାଯାଇଛି । ସୁଦାନରେ ହିଂସା ଘଟାଇ ଚାଲିଥିବା ରାପିଡ ସପୋର୍ଟ ଫୋର୍ସ (ଆରଏସ୍‌ଏଫ) ମିଲିସିଆ ତାଙ୍କୁ ଅପହରଣ କରିନେଇଛି । ତାଙ୍କ ନାଁ ଆଦର୍ଶ ବେହେରା ହୋଇଥିବାବେଳେ ଘର ଜଗତସିଂହପୁର ଅଞ୍ଚଳରେ ବୋଲି ଜାଣିବାକୁ ମିଳିଛି ।

    ୨୦୨୩ରୁ ଆରଏସ୍‌ଏଫ ଓ ସୁଦାନ ସଶସ୍ତ୍ର ବଳ(ଏସଏଏଫ) ମଧ୍ୟରେ ତିକ୍ତତା ଲାଗି ରହିଛି । କିଛି ଦିନ ହେବା ଆରଏସ୍‌ଏଫ ତା’ର ଦବଦବା ଦେଖାଇବା ସହ ସେନା ସମେତ ସାଧାରଣ ଲୋକଙ୍କୁ ହତ୍ୟା କରି ଚାଲିଛି । ସୁଦାନର ରାଜଧାନୀ ଖାରତୋମରେ ହିଂସାତ୍ମକ ବିଦ୍ରୋହ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏସବୁ ଭିତରେ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସୁଦାନକୁ କାମ କରିବାକୁ ଯାଇଥିବା ଓଡିଶାର ଆଦର୍ଶ ବେହେରାଙ୍କୁ ଦେଖିବାକୁ ମିଳୁଛି । ଆଦର୍ଶ ବେହେରାଙ୍କ ଘର ଜଗତସିଂହପୁରରେ । ତାଙ୍କୁ ଆରଏସଏଫ ଅପହରଣ କରିବା ସହ ପଣବନ୍ଦୀ କରି ରଖିଛି । ଭିଡିଓରେ ଦେଖିବାକୁ ମିଳୁଛିଯେ, ଆଦର୍ଶ ଦୁଇ ଜଣ ଆରଏସଏଫ ସୈନ୍ୟଙ୍କ ମଝିରେ ବେଶ ଭୟର ସହ ବସି ରହିଛନ୍ତି ।

    ଏହି ସମୟରେ ପଛରେ ବସିଥିବା ଆଉ ଜଣେ ସୈନ କ୍ୟାମେରାକୁ ଡାଗାଲୋ ଗୁଡ୍‌ ବୋଲି କହିବାକୁ ଆଦର୍ଶଙ୍କୁ ନିର୍ଦ୍ଦେଶ ଦେଉଛି । ଡାଗାଲୋ ହେଉଛି କୁଖ୍ୟାତ ଆରଏସ୍‌ଏଫର ମୁଖିଆ । ୩୬ ବର୍ଷୀୟ ଆଦର୍ଶ ବେହେରାଙ୍କୁ ରାଜଧାନୀ ଖାରତୋମ ଠାରୁ ପ୍ରାୟ ୧ ହଜାର କିମି ଅଲ ଫାଶିର ସହର ଠାରୁ ଅପହରଣ କରାଯାଇଛି । ସେଠାରୁ ତାଙ୍କୁ ନୟାଲା ନିଆଯାଇଛି । ନୟାଲା ହେଉଛି ଆରଏସ୍‌ଏଫର ଗଡ ଓ ଦକ୍ଷିଣ ଡାରଫୌରର ରାଜଧାନୀ । ଓଡିଶାରେ ରହୁଥିବା ଆଦର୍ଶଙ୍କ ପରିବାର ଲୋକଙ୍କ କହିବା କଥାଯେ, ୨୦୨୨ରୁ ସେ ସୁକାରାତି ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ କାମ କରୁଛନ୍ତି । ଆଦର୍ଶ ଓ ପତ୍ନୀ ସୁସ୍ମିତାଙ୍କ ଜଣେ ୮ ଓ ୩ ବର୍ଷର ପୁଅ ରହିଛନ୍ତି  । ଆଦର୍ଶଙ୍କ ପରିବାର ଲୋକ ଏହି ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଆଦର୍ଶ ହାତ ଯୋଡି ତଳେ ବସିଛନ୍ତି । ଏଥିରେ ସେ କହୁଛନ୍ତି ଯେ “ମୁଁ ଅଲ ଫଶିରରେ ରହିଛି । ଏଠାରେ ସ୍ଥିତି ଅତ୍ୟନ୍ତ ଖରାପ । ମୁଁ ୨ ବର୍ଷ ହେଲା ଏଠାରେ ବହୁତ କଷ୍ଟରେ ରହି ଆସୁଛି । ମୋ ପରିବାର ଓ ପିଲାମାନେ ବ୍ୟସ୍ତ ହେଉଛନ୍ତି । ମୁଁ ଓଡିଶା ସରକାରଙ୍କୁ ସହଯୋଗ ପାଇଁ ନିବେଦନ କରୁଛି ।”