ସୁଭଦ୍ରା ଯୋଜନା ନେଇ ଜିଲ୍ଲାପାଳଙ୍କ ବୈଠକ


 ।ା ପ୍ରଭାନୁ୍ୟଜ ।ା ବାରିପଦା/ସାରସକଣା : ରାଜ୍ୟ ସରକାରଙ୍କ ଅନ୍ୟତମ ମହିଳା ସଶକ୍ତିକରଣ ତଥା ଉଲ୍ଲେଖନୀୟ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ୍ ସମ୍ମିଳନୀ କକ୍ଷ ଠାରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶାନ୍ତନୁ ନାୟକ, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନ୍ନପୂର୍ଣ୍ଣା ସିଂଙ୍କୁଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାରମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଏହି ଯୋଜନା ସଂପର୍କରେ ପ୍ରଥମେ ଭଲଭାବେ ବୁଝି କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ସମସ୍ତ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ହିତାଧିକାରୀମାନେ ଯେପରି ସଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ, ସେଥିପାଇଁ  ସମସ୍ତ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ସୂଚନା ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଯେପରି ଏହି ଯୋଜନା ଅଧିନରେ ଆସୁଥିବା କୌଣସି ହିତାଧିକାରୀ ସୁବିଧାରୁ ବାଦ ନ ପଡିବେ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଯୋଜନା ଅନୁସାରେ ପ୍ରତ୍ୟେକ ହିତାଧିକାରୀ  ୫୦,୦୦୦ ଟଙ୍କାର ସହାୟତା ରାଶି ପ୍ରତିବର୍ଷରେ ୧୦ହଜାର କରି ୫ ବର୍ଷରେ ପାଇବେ । ପ୍ରତି ବର୍ଷ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ହିତାଧିକାରୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯିବ । ହିତାଧିକାରୀମାନଙ୍କ ବୟସ ୨୧ ବର୍ଷ ବା ତଦୁର୍ଦ୍ଧ୍ୱ ଏବଂ ୬୦ବର୍ଷରୁ କମ ହେଉଥିବ । ଆଧାର କାର୍ଡରେ ଉଲ୍ଲିଖିତ ବୟସ ଓ ଜନ୍ମତାରିଖ ବିଚାରକୁ ନିଆଯିବ । ଯୋଜନା ସଂପର୍କରେ ଏବଂ କେଉଁମାନେ ଏହି ଯୋଜନା ଅଧିନରେ ସହାୟତା ପାଇବାକୁ ଯୋଗ୍ୟ ଓ କେଉଁମାନେ ବାଦ୍ ପଡୁଛନ୍ତି ସେ ସଂପର୍କରେ ବିଶଦ୍ ମାର୍ଗଦର୍ଶିକା ବିଷୟରେ ଜିଲ୍ଲାପାଳ ଆଲୋଚନା କରିଥିଲେ । ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଦରଖାସ୍ତ ଫର୍ମ ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ବଣ୍ଟନ କରାଯିବ । କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ଫର୍ମ ଦାଖଲ ହେବ ଏବଂ ସେଠାରେ ଏହାର ଡିଜିଟାଇଜେସନ ହେବ ଓ ଆବେଦନକାରୀମାନଙ୍କୁ ଫର୍ମ ଦାଖଲର ପ୍ରମାଣ ସ୍ୱୀକୃତିର ପ୍ରିଣ୍ଟ ମିଳିବ । ଆବେଦନକାରୀଙ୍କୁ କୌଣସିସ୍ତରରେ ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ହିତାଧିକାରୀମାନେ ସମସ୍ତେ ଯେପରି ସୁବିଧାରେ ଆବେଦନ କରିପାରିବେ, ସେଥିପାଇଁ ଯଥେଷ୍ଟ ସଂଖ୍ୟକ ଫର୍ମ ସୁବିଧା କରିବାକୁ ବିଡ଼ିଓ ଓ ତହସିଲଦାରଙ୍କୁ ନିଦେ୍ର୍ଦଶ ଦିଆଯାଇଛି  । ଏହି ଯୋଜନାକୁ ଲୋକାଭିମୁଖୀ କରାଇ ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ଜିଲ୍ଲା, ଉପଖଣ୍ଡ  ଓ ବ୍ଲକସ୍ତରରେ  ବିଭିନ୍ନ ପ୍ରମୁଖ ସ୍ଥାନରେ  ହୋଡିଂ, ବ୍ୟାନର ଆଦି ଲଗାଯିବା, ସାମାଜିକ ଗଣମାଧ୍ୟମ ଓ ସମ୍ବାଦପତ୍ର ତଥା ବୈଦୁ୍ୟତିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ନିମନ୍ତେ ବୈଠକରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ ।