ହେମନ୍ତ କୁମାର ପରିଡ଼ା : ସାଧୁସନ୍ଥମାନେ ଆମ ସଂସ୍କୃତିର ପ୍ରତ୍ୟକ୍ଷ ପରିଚାୟକ ଓ ମାନବ ଜାତିର ମାର୍ଗ ଦର୍ଶକ । ଜୀବନର ପରିପୂର୍ଣ୍ଣତା ପଥେ ସେମାନଙ୍କ ଆଚରଣ ଓ ଉଚ୍ଚାରଣ ଜନିତ ଆଦର୍ଶବୋଧ ହେଉଛି ସଫଳତାର ଆଧାରଶୀଳା । ଗଙ୍ଗୋତ୍ରୀର ଗଙ୍ଗାଜଳ ଦୀର୍ଘ ପଥ ଅତିକ୍ରମ ପରେ ମଧ୍ୟ ଗଙ୍ଗାସାଗର ଠାରେ ସେହି ଗଙ୍ଗାଜଳ ଭାବେ ଉପଲବ୍ଧ । ସେହିଭଳି ସତ୍ୟଦ୍ରଷ୍ଟା ମୁନିଋଷି ମାନଙ୍କର ଉପଲବ୍ଧ ଜ୍ଞାନ ପରମ୍ପରାକ୍ରମେ ସାଧୁସନ୍ଥ ମାନଙ୍କ ମାଧ୍ୟମରେ ଏବେ ବି ଆମ୍ଭ ମାନଙ୍କୁ ଉପଲବ୍ଧ ସେହିଭଳି ଏ ଯୁଗର ଜଣେ ମହାନ ଅନୁଭବ ସନ୍ଥ ହେଉଛନ୍ତି ଯୁଗ ପୁରୁଷ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ।ଆଧ୍ୟାତ୍ମ ଆକାଶର ଜଣେ ଉଜ୍ଜ୍ୱଳତମ ନକ୍ଷତ୍ର ହେଉଛନ୍ତି ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦ ସରସ୍ୱତୀ । ଭାରତୀୟ ସଂସ୍କୃତି ଓ ଦର୍ଶନ ମାଧ୍ୟମରେ ଆଧ୍ୟାତ୍ମିକତାର ପ୍ରଚାର ପ୍ରସାର ପାଇଁ ସେ ତନମନ ଢ଼ାଳି ଦେଇଥିଲେ । ସେ ଯୋଗ ଏବଂ ବେଦାନ୍ତ ଦର୍ଶନର ଜଣେ ପ୍ରମୁଖ ପ୍ରବକ୍ତା । ଋଷିକେଶର ଗଙ୍ଗାକୂଳସ୍ଥ ଆନନ୍ଦ କୁଟୀର ତାଙ୍କର ସାଧନ ପୀଠ । ସେହି ସାଧନ ପୀଠ ଛାଡ଼ି ସେ ଅନ୍ୟତ୍ର କୁଆଡେ଼ ଯାଇନଥିଲେ । ହେଲେ ଆପଣା ସତ ସଂକଳ୍ପ, ନିଷ୍ଠାପର ଉଦ୍ୟମ ଓ କଠୋର ତପସ୍ୟା ଦ୍ୱାରା ସେ ବିଶ୍ୱର କୋଣେ କୋଣେ ପହଞ୍ôଚ ପାରିଥିଲେ । ଆଧ୍ୟାତ୍ମିକ ସାଧନା, ସେବା ଓ ସତସଙ୍ଗର ତ୍ରିଧାରା ସଙ୍ଗମରେ ସେ ତାଙ୍କ ଜୀବନକୁ ଏକ ତୀର୍ଥକ୍ଷେତ୍ରରେ ପରିଣତ କରିଦେଇଥିଲେ । ବିଶ୍ୱର ସମସ୍ତ ଧର୍ମ ଏବଂ ସକଳ ଧର୍ମ ଶାସ୍ତ୍ରର ଜ୍ଞାନ ସାଗର ମନ୍ଥନ କରି ସେ ଯେଉଁ ଅମୃତ ପ୍ରାପ୍ତି କରିଥିଲେ ତାର ସାରାଂଶକୁ ମାତ୍ର ଛଅ ଗୋଟି ଶବ୍ଦରେ ପ୍ରକାଶ କରିଥିଲେ । ସେଗୁଡ଼ିକ ହେଲା - ସେବା, ପ୍ରେମ, ଦାନ, ପବିତ୍ରତା, ଧ୍ୟାନ ଓ ସାକ୍ଷାତକାର । ଏହି ଅମୃତମୟ ଅନୁଭବକୁ ସେ ଆପଣା ଜୀବନରେ ପ୍ରୟୋଗ କରି ନିଜେ ଅମୃତମୟ ହେବା ସହିତ ସମସ୍ତଙ୍କ ପାଇଁ ଅମୃତମୟ ଦିବ୍ୟଜୀବନର ମାର୍ଗ ପ୍ରଦର୍ଶନ କରିଥିଲେ । ଏହି ସମସ୍ତ ସାଧନାକୁ ଆହୁରି ସଂକ୍ଷିପ୍ତ କରି ସେ ମାତ୍ର ଦୁଇଟି ବାକ୍ୟ ଉପରେ ପ୍ରାଧାନ୍ୟ ଦେଉଥିଲେ । ଭଲ ହୁଅ, ଭଲ କର । ଏହା ହିଁ ସମସ୍ତ ସାଧନା ଓ ସଫଳତାର ମୂଳ ଅଟେ । ମାନବ ନିର୍ମାଣ ଓ ଦିବ୍ୟ ଜୀବନର ପ୍ରତିଷ୍ଠା ପାଇଁ ସେ ୧୯୩୬ ମସିହାରେ ଆରମ୍ଭ କରିଥିଲେ ଦିବ୍ୟ ଜୀବନ ସଂଘ । ଏହା ଏବେ ବିଶ୍ୱବ୍ୟାପୀ ଏକ ବିଶାଳ ଅନୁଷ୍ଠାନ ।
ଶିବାନନ୍ଦଙ୍କର ପୂର୍ବାଶ୍ରମ ନାମ ଥିଲା କୁପୁସ୍ୱାମୀ । ପିତା ଶ୍ରୀ ପିଏସ ଭେଙ୍ଗୁ ଆୟାର ଓ ମାତା ଶ୍ରୀମତୀ ପାର୍ବତୀ ଅମ୍ମାଲାଙ୍କର କୋଳ ମଣ୍ଡନ କରି ୧୮୮୭ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ଧରା ମଣ୍ଡନ କରିଥିଲେ । ଭାରତର ଅନ୍ୟତମ ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ଅପେୟା ଦିକ୍ଷିତାରଙ୍କ ବଂଶରେ ତାଙ୍କ ଜନ୍ମ । ଲୋକେ ତାଙ୍କୁ ଶିବଙ୍କ ଅବତାର ବୋଲି ବିଶ୍ୱାସ କରୁଥିଲେ । ପିଲାଟି ଦିନରୁ ଏହି ଦେବ ଶିଶୁ ନିଜର ସ୍ୱତନ୍ତ୍ରତାରେ ସ୍ୱତନ୍ତ୍ର ବୋଧ ହେଉଥିଲେ । ଯେପରି ମେଧାବୀ ସେହିପରି ପ୍ରତିଭାବାନ ଛାତ୍ର ଥିଲେ । ଡାକ୍ତରୀ ବିଦ୍ୟା ପ୍ରତି ତାଙ୍କର ଅହେତୁକ ଆକର୍ଷଣ ଥିଲା । ଛାତ୍ର ଜୀବନରେ ଆମ୍ରୋସିୟା ନାମକ ଏକ ସ୍ୱାସ୍ଥ୍ୟ ପତ୍ରିକା ପ୍ରକାଶ କରି ସେ ବହୁ ପ୍ରସିଦ୍ଧି ପ୍ରାପ୍ତ ହୋଇଥିଲେ । ଡାକ୍ତରୀ ପାଠ ପଢ଼ିଲାବେଳେ ଅନେକ ପ୍ରଫେସରଙ୍କ ଅପେକ୍ଷା ତାଙ୍କର ଜ୍ଞାନ ପରିସୀମା ପ୍ରଖର ଥିଲା ବୋଲି କୁହାଯାଏ । ଡାକ୍ତରୀ ପଢ଼ା ପରେ ମାଳୟ ବର୍ତ୍ତମାନର ମାଲୟେସିଆରେ ଡାକ୍ତର ଭାବେ ନିଯୁକ୍ତି ହେଲେ । ନିଯୁକ୍ତିର ପ୍ରଥମ ସାକ୍ଷାତକାରରେ କମ୍ପାନୀ ମାଲିକ ତାଙ୍କୁ ପଚାରିଥିଲେ ଆପଣ କଣ ଏକା ଏହି ଚିକିତ୍ସାଳୟ ଚଳାଇ ପାରିବେ ? ସ୍ୱାମୀଜୀ କହିଥିଲେ - ଏହିଭଳି ଗୋଟିଏ କାହିଁକି ୩ଟା ହସ୍ପିଟାଲ ମୁଁ ଚଳାଇ ପାରିବି । ଜଣେ ଡାକ୍ତର ଭାବେ ସେ ବହୁ ପ୍ରସିଦ୍ଧି ଲାଭ କରିଥିଲେ । ଜୀବନରେ ଲାଭ କରିଥିବା ସମସ୍ତ ସଫଳତା ଓ ପାର୍ଥିବ ପ୍ରତିଷ୍ଠା ଅଧିକ ଦିନ ତାଙ୍କୁ ଆକୃଷ୍ଟ କରି ରଖିପାରିଲା ନାହିଁ । ଜୀବନର ରହସ୍ୟ ଖୋଜି ଖୋଜି ପରମ ରହସ୍ୟମୟ ପରମାତ୍ମାଙ୍କର ସନ୍ଧାନରେ ଅନ୍ତର୍ମୁଖୀ ହୋଇ ଉଠିଲେ । ଦେବଭୂମି ହିମାଳୟର ପରମ ପାବନୀ ମା ଗଙ୍ଗାକୂଳରେ ୧୯୬୩ ମସିହା ଜୁନ ମାସ ୧୪ ତାରିଖ ଦିନ ସେହି ଦିବ୍ୟ ପ୍ରକାଶର ଇହଲୀଳା ସମାପ୍ତ ହେଲା । ସ୍ୱାମୀ ଶିବାନନ୍ଦଙ୍କୁ ଆଉ ସ୍ୱଶରୀରରେ ଦର୍ଶନ କରି ହେବନାହିଁ । କିନ୍ତୁ ତାଙ୍କ ପବିତ୍ର ପ୍ରକାଶ ଏବେ ବି ସାରା ବିଶ୍ୱକୁ ପ୍ରକାଶ ପ୍ରଦାନ କରୁଛି ।
ମୋ : ୮୭୬୩୧୦୭୧୨୬