ସୋଲାର ପ୍ରତିଶ୍ରୁତି ପାଣିର ଗାର : ୩୦୦ ୟୁନିଟ୍ ମାଗଣା ବିଜୁଳି କେବେ?

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଛାତରେ ଲାଗିବ ସୋଲାର ପ୍ୟାନେଲ୍  । ଲୋକମାନେ ମାଗଣାରେ ବିଜୁଳି ପାଇବେ  । ବଳକା ବିଜୁଳି ବି ବିକ୍ରି କରି ଟଙ୍କା ଉପାର୍ଜନ କରିବେ  । ଏମିତି ସୁନେଲି ସ୍ୱପ୍ନ ଦେଖାଇଥିଲେ କେନ୍ଦ୍ର ଓ ରାଜ୍ୟ ସରକାର  । ତେବେ ସରକାରଙ୍କ ଏହି ପ୍ରତିଶ୍ରୁତି କିନ୍ତୁ ପାଣିର ଗାର ପାଲଟି ଯାଇଛି  । ନାଁ ସୋଲାର ପ୍ୟାନେଲ ଲାଗୁଛି ନା ବିଜୁଳି ଆସୁଛି  । ପ୍ରତି ଘରକୁ ୩୦୦ ୟୁନିଟର ମାଗଣା ବିଜୁଳି ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିଯାଇଛି କହିଲେ ଅତୁ୍ୟକ୍ତି ହେବ ନାହିଁ  ।
ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ୮୦ ହଜାର ସୋଲାର ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୧୪୩୩ ଜଣଙ୍କ ଘରେ ଲାଗିଛି ପ୍ୟାନେଲ  । ଯୋଜନାରେ ଥିବା ବ୍ୟବସ୍ଥା ଅନୁଯାୟୀ, ଶହେ ୟୁନିଟ୍ ବିଜୁଳି ପାଇଁ ଗ୍ରାହକଙ୍କୁ ପ୍ରଥମେ ଏକ ଲକ୍ଷ ଖର୍ଚ୍ଚ କରିବାକୁ ପଡ଼ିବ ଏବଂ ସୌର ପ୍ୟାନେଲ ଲାଗିବାର ୩ ମାସ ପରେ ଗ୍ରାହକଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ସବସିଡ୍ ଆସିବ  । ଅର୍ଥାତ୍ ଏଥିପାଇଁ ଉପଭୋକ୍ତାଙ୍କୁ ନିଜ ହାତରୁ ୭୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ  । ସେହିପରି ୨ ଶହ ୟୁନିଟ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ୬୦ ହଜାର ସବ୍ସିଡି ଓ ୩ ଶହ ୟୁନିଟ ପାଇଁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ପରେ ୭୮ ହଜାର ଟଙ୍କା ସବ୍ସିଡି ମିଳିବ । ପ୍ରକଳ୍ପ ସରିଲେ ଯାଇ ସବସିଡ଼ ମିଳିବାର ଥିବାବେଳେ ପ୍ରଥମେ ହାତରୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ  । ରାଜ୍ୟର ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ଅନୁଶୀଳନ କଲେ ଜଣେ ନିମ୍ନ ଆୟକାରୀ ପରିବାର ଏତେ ଟଙ୍କା ଆଣିକ କୋଉଠୁ ? ଏବେ ଏହି ପ୍ରଶ୍ନ ଉଠୁଛି  । ପରବର୍ତ୍ତୀ ସମୟରେ ସରକାର ଏନେଇ ଆଉ ଏକ ନିଷ୍ପତ୍ତି ନେଇଛନ୍ତି  । ଶହେ ୟୁନିଟ ପିଛା ୨୫ ହଜାର ଟଙ୍କା ଏବଂ ୨ ଶହ ଓ ୩ ଶହ ୟୁନିଟ୍ ପାଇଁ ଆଉ ୧୦ ହଜାର ଟଙ୍କାର ଅତିରିକ୍ତ ସବ୍ସିଡି ପ୍ରଦାନ କରାଯିବ । ଏହାଦ୍ୱାରା ରାଜ୍ୟର ୩ ଲକ୍ଷ ଘରୋଇ ଉପଭୋକ୍ତା ଉପକୃତ ହେବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି  । ମାତ୍ର ରାଜ୍ୟର ୮୦ ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରୁ କେତେ ଲୋକ ନିଜ ହାତରୁ ଟଙ୍କା ଖର୍ଚ୍ଚ କରିବାର ସାମର୍ଥ୍ୟ ରଖିଛନ୍ତି ତାହା ଉପରେ ହିଁ ଯୋଜନାର ସଫଳତା ନିର୍ଭର କରିବ  । ଏନେଇ ସରକାର ଯଦି ଅଧିକ ପଦକ୍ଷେପ ନନିଅନ୍ତି ତେବେ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ  ।