ସ୍ପେଶାଲ ସ୍କ୍ୱାଡ୍ ଜାଲରେ ଆୟୁଷ୍ମାନ ଗ୍ୟାଙ୍ଗ୍

ସ୍ପେଶାଲ ସ୍କ୍ୱାଡ୍ ଜାଲରେ ଆୟୁଷ୍ମାନ ଗ୍ୟାଙ୍ଗ୍


 ଭୁବନେଶ୍ୱର, ୧୩ା୬ : କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଜାଲରେ କୁଖ୍ୟାତ ହାଇୱେ ଚେନ୍ ଲୁଟ୍ କରୁଥିବା ଆୟୁଷ୍ମାନ - ଆୟାଜ୍ ଗ୍ୟାଙ୍ଗ୍ । ଏମାନଙ୍କ ଠାରୁ ପୁଲିସ ୪୦ଟି ସୁନା ଚେନ୍ ଯାହାର ଓଜନ ୪୦୦ ଗ୍ରାମ, ନଗଦ ୨ ଲକ୍ଷ ଟଙ୍କା, ୪ଟି ବାଇକ ଓ ୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଏମାନଙ୍କ ନାମରେ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରହିଛି ୨୪ରୁ ଅଧିକ ଲୁଟ୍ ମାମଲା । ଏହି ୫ ଜଣ କୁଖ୍ୟାତ ଲୁଟେରା ଲୋକଙ୍କୁ ଲୁଟ କରି ବିନ୍ଦାସ ଲାଇଫ ବିତାଉଥିଲେ । ଲୁଟ ଟଙ୍କାକୁ ପାଣି ପରି ଖର୍ଚ୍ଚ କରୁଥିଲେ । ଏହି ଟଙ୍କାରେ ସେମାନେ  ତାରକା ହୋଟେଲରେ ସୁନ୍ଦରୀ ଯୁବତୀଙ୍କ ସହ ରାତି ବିତାଉଥିଲେ । ଏହାସହ ଲୁଟ ଟଙ୍କାରେ ବ୍ରାଣ୍ଡେଡ୍ ପ୍ୟାଣ୍ଟ୍ ଶାର୍ଟ ସହ ଜୋତା ପିନ୍ଧୁଥିଲେ । ପ୍ରତିଟି ଲୁଟ ପରେ ଧରା ପଡ଼ିଯିବା ଭୟରେ ସେମାନେ ଗାଡ଼ି ସହ ନମ୍ବର ପ୍ଲେଟ ମଧ୍ୟ ବଦଳାଉଥିଲେ । ଗିରଫ ହୋଇଥିବା ଗ୍ୟାଙ୍ଗ୍ ମୁଖ୍ୟ ଆୟୁଷ୍ମାନ ଓ ତାର ଗ୍ୟାଙ୍ଗ ବିରୋଧରେ କମିଶନରେଟ ପୁଲିସରେ ରହିଛି ୨୪ଟି ମାମଲା । ଏହା ବ୍ୟତୀତ ବିଭିନ୍ନ ଜିଲ୍ଲାରେ ମଧ୍ୟ ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି । ଧରା ପଡ଼ିବା ପରେ ଅଭିଯୁକ୍ତମାନେ କଳାକାରନାମକୁ କ୍ୟାମେରା ଆଗରେ ବୟାନ କରିଛନ୍ତି । ପୁଲିସ ପକ୍ଷରୁ ଆଜି ଏହାର ଭିଡିଓ ମଧ୍ୟ ରିଲିଜ କରାଯାଇଛି । ବିଗତ ୬ ମାସ ହେଲା ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିବା ଏହି ୫ ହାଇୱେ ଲୁଟେରା ହେଲେ ଅୟଜ ମହମ୍ମଦ, ଆୟୁଷ୍ମାନ ତ୍ରିପାଠୀ, ଦେବାଶିଷ ବାରିକ, ଶିବପ୍ରସାଦ ବାରିକ ଓ ରଜତ ନନ୍ଦ । ଭୁବନେଶ୍ୱରରୁ ପୁରୀ, ଅନୁଗୁଳ, ଗଂଜାମ ପର୍ଯ୍ୟନ୍ତ ଏମାନେ ଦାମୀ ବାଇକରେ ବିଜୁଳି ବେଗରେ ଯାଇ ଚେନ ଝାଂପୁଥିଲେ । ପ୍ରତିଟି ଲୁଟ ପୂର୍ବରୁ ଜଟଣୀରେ ରହି ସେମାନେ ପ୍ରଥମେ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରୁଥିଲେ । ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଚକମା ଦେବା ପାଇଁ ଫୁଲ ଡ୍ରେସ ଓ ହେଲମେଟ ପିନ୍ଧିବାକୁ ସେମାନେ ଆଦୌ ଭୁଲୁ ନଥିଲେ । ଶହେ ସ୍ପିଡରେ ଗାଡ଼ି ଚଳାଇ ଲୁଟ୍ କରି ଆଖି ପିଛୁଳାକେ ଫେରାର ହୋଇ ଯାଉଥିଲେ । ସେମାନଙ୍କୁ ପୁଲିସ ଧରିବା ସହ ସେମାନଙ୍କ ଠାରୁ ୪୦ଟି ଚେନ, ୨ ଲକ୍ଷ ଟଙ୍କା ଓ ୫ଟି ମୋବାଇଲକୁ ଜବତ କରାଯାଇଛି । ଆଜି ଏସମ୍ପର୍କରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଗ୍ୟାଙ୍ଗର ମୁଖ୍ୟ ଆୟୁଷ୍ମାନ ଜେଲ ଯାଇଥିଲା । ଜେଲରୁ ଆସିବା ପରେ ମଦ ପିଇ ଗାର୍ଲ ଫ୍ରେଣ୍ଡଙ୍କ ସହ ମଉଜ କରୁଥିଲା । ଦାମୀ ହୋଟେଲରେ ରାତି ବିତାଇବା ସହ ବିଭିନ୍ନ ପ୍ରକାରର ପୋଜ ଦେଇ ରିଲସ କରୁଥିଲା । ସୋଶାଲ ମିଡିଆରେ ସେ ବେଶ ସକ୍ରିୟ ରହିଥିଲା । ମଉଜ କରିବା ପାଇଁ ସେ ଚୋରି ସୁନାକୁ ବନ୍ଧା ରଖି ଟଙ୍କା ଆଣୁଥିଲା । କେବଳ ଆୟୁଷ୍ମାନ ନୁହେଁ, ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଦାମୀ ହୋଟେଲ ବୁକ କରି ଯୁବତୀମାନଙ୍କ ସହ ରାତି କାଟୁଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ଯୋଗାଡ଼ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଭଦ୍ରକ, ଅନୁଗୁଳ, ପୁରୀ, ଗଞ୍ଜାମ ପୁଲିସ ସହ ଯୋଗାଯୋଗ କରିଛି । ଆବଶ୍ୟକ ସ୍ଥଳେ ଏହି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।