ସ୍ୱକର୍ମରେ ମନୋନିବେଶ
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନରେ ଉନ୍ନତି କରିବାକୁ ହେଲେ ସ୍ୱକର୍ମରେ ହିଁ କାହିଁକି ମନୋନିବେଶ କରିବାକୁ ହେବ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷ ନିଜ ବ୍ୟାପାରରେ ଯେତେବେଳେ ବ୍ୟସ୍ତ ରହେ, ସେତେବେଳେ ସେ ହିଁ ସବୁଠାରୁ ସୁଖୀ ବ୍ୟକ୍ତି ହୁଏ । ହେଲେ ଅନେକ ବ୍ୟକ୍ତି ସବୁକଥାରେ ଅନ୍ୟମାନଙ୍କ ସହିତ ତୁଳନା କରନ୍ତି । ଅନ୍ୟ ସହ ତୁଳନା କରି ସାମର୍ଥ୍ୟ ନଥାଇ ଆଶା କରିଲେ କେବଳ ଦୁଃଖ ହିଁ ମିଳେ । ତେଣୁ ଅନ୍ୟକୁ ନିଜ ମନ ଭିତରେ ସ୍ଥାନ ନଦେଇ ନିଜକୁ ଏଭଳି ନିଜ କାର୍ଯ୍ୟରେ ବ୍ୟସ୍ତ ରଖିବା ଉଚିତ୍ ଯେ ଅନ୍ୟମାନଙ୍କ ପ୍ରସଙ୍ଗରେ କିମ୍ବା ଅନ୍ୟ ସହିତ କୌଣସି ପ୍ରସଙ୍ଗକୁ ତୁଳନା କରିବାକୁ ସମୟ ମିଳିବ ନାହିଁ । ଯେଉଁ ମଣିଷ ନିଜକୁ ସ୍ୱକର୍ମରେ ବ୍ୟସ୍ତ ରଖେ ଏବଂ ନାନା କାମକୁ ନେଇ ସେସବୁକୁ ସମ୍ପୂର୍ଣ୍ଣ କରିବାକୁ ସମୟ ପାଏ ନାହିଁ, ସେହି ମଣିଷ ହିଁ ଜୀବନରେ ସବୁଠାରୁ ସୁଖୀ । କାରଣ ତା' ମନ ଭିତରକୁ ଅନ୍ୟ କାହାରି ଅନିଷ୍ଟ କରିବା ଭଳି ଚିନ୍ତା ଆସେ ନାହିଁ କିମ୍ବା ପରନିନ୍ଦା, ପରଚର୍ଚ୍ଚା ଭଳି କାର୍ଯ୍ୟ କରିବା ପାଇଁ ତାହା ପାଖରେ ଆଉ ସମୟ ନଥାଏ । ନିଜ କାମରେ ବ୍ୟସ୍ତ ରହିବା ହିଁ ଶାନ୍ତି ପାଇବାର ସବୁଠାରୁ ବଡ଼ ଉପାୟ । ଅନ୍ୟମାନଙ୍କ କଥା ଚିନ୍ତା କରିଲେ, ପରଚର୍ଚ୍ଚାରେ ମାତିଲେ ସେସବୁରୁ କେବଳ ଅନୈତିକ କାମନା ବା ଅବାଂଛିତ କାମନା ହିଁ ସୃଷ୍ଟି ହୁଏ । ଏ ପ୍ରକାରର କାମନା ଗୁଡ଼ିକ ହିଁ ସମସ୍ତ ଦୁଃଖର କାରଣ । ଯେତେବେଳେ ମଣିଷ ନିଜସ୍ୱ କର୍ମରେ ବ୍ୟସ୍ତ ରହିବ, ସେତେବେଳେ ସେ କୌଣସି ପ୍ରକାରର ନକାରାତ୍ମକ କାର୍ଯ୍ୟ ପାଇଁ କିମ୍ବା ନକାରାତ୍ମକ ଭାବନା ପାଇଁ ବେଳ ପାଇବ ନାହିଁ । ନକାରାତ୍ମକ ଭାବନା ଗୁଡ଼ିକ ହିଁ ମନୁଷ୍ୟକୁ ବିଭିନ୍ନ ପ୍ରକାରର ଦୁର୍ଗତି ଏବଂ ବିପତ୍ତି ଦିଗକୁ ଟାଣିନିଏ । ନକାରାତ୍ମକ ମନ ସବୁବେଳେ ଅପରାଧ କରିବା ପାଇଁ ଚାହେଁ ।
ଅତଏବ ଜୀବନରେ ନିଜକୁ ଏତେ ବ୍ୟସ୍ତ ରଖନ୍ତୁ, ଯେମିତି ପରନିନ୍ଦା, ପରଚର୍ଚ୍ଚା, ପର ଚୁଗୁଲୀ ପାଇଁ ଆପଣଙ୍କ ପାଖରେ ବେଳ ହିଁ ନଥିବ କି ପରକଥାରେ ମୁଣ୍ଡ ଭାରାକ୍ରାନ୍ତ ହେବାର ସୁଯୋଗ ହିଁ ନଥିବ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।