ସଡ଼କ ସୁରକ୍ଷା କମିଟି ବୈଠକ 

 ନବରଙ୍ଗପୁର: ଆସନ୍ତା ସଡ଼କ ସୁରକ୍ଷା ସପ୍ତାହ -୨୦୨୫ ପାଳନ ଅବସରରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ (ରେଭୀନୁ୍ୟ) ନବୀନ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ ।ଏହି ବୈଠକରେ ଜିଲ୍ଲାରେ ଘଟୁଥିବା ସଡ଼କ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପ୍ରସ୍ତାବ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇଥିଲା । ମଦ୍ୟପାନ କରି ଦ୍ରୁତ ବେଗରେ ଗାଡ଼ି ଚଳାଇବା,ହେଲମେଟ ଓ ସିଟ୍ ବେଲ୍ଟ ନ ବ୍ୟବହାର କରି ଗାଡ଼ି ଚାଳନା, ଟ୍ରାଫିକ ନିୟମକୁ ଉଲ୍ଲଂଘନ, ମୋବାଇଲରେ କଥା ହୋଇ ଗାଡ଼ି ଚାଳନା,କମ୍ ବୟସ୍କ ଗାଡ଼ି ଚାଳକମାନଙ୍କୁ ଧରପଗଡ କରି ଲାଇସେନ୍ସ ରୁଦ୍ଧ କରିବା ଓ ଜୋରିମାନା ଆଦାୟ ପାଇଁ ଯୁଗ୍ମ ସ୍କୁଆଡ ଟିମ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସରକାର ସଡ଼କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜାନୁଆରୀ ୧,୨୦୨୫ ରୁ ଜାନୁଆରୀ ୩୧,୨୦୨୫ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି । ତଥ୍ୟ ଅନୁସାରେ ବିଶ୍ୱରେ ଭାରତବର୍ଷ ସଡ଼କ ଦୁର୍ଘଟଣା ଜନିତ ମୃତୁ୍ୟହାରରେ ପ୍ରଥମ ସ୍ଥାନରେ ରହିଛି । ସଡ଼କ ଦୁର୍ଘଟଣା ମୃତୁ୍ୟହାରରେ ଓଡ଼ିଶା ସାରା ଦେଶରେ ୧୩ ତମ ସ୍ଥାନରେ ରହିଛି  ଏବଂ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟହାର ୬୪ ପ୍ରତିଶତ ଅଟେ । ଓଡ଼ିଶାରେ କେବଳ ୧୮ ରୁ ୪୫ ବର୍ଷ ବୟସ୍କଙ୍କ ଦୁର୍ଘଟଣାରେ ମୃତୁ୍ୟହାର ୭୩ ପ୍ରତିଶତ ଅଟେ । ଜିଲ୍ଲା ସଡ଼କ ସୁରକ୍ଷା କମିଟି ନିଷ୍ପତି ଅନୁଯାୟୀ ଆର୍ଟିଓ କାର୍ଯ୍ୟଳୟ ତରଫରୁ ଏକ ସଡ଼କ ସୁରକ୍ଷା ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଏବଂ ମୁ୍ୟନିସିପାଲଟି କ୍ଷେତ୍ରରେ ଏଲ୍ଇଡି ସ୍କ୍ରିନ ଦ୍ୱାରା ଜନ ସାଧାରଣଙ୍କ ମଧ୍ୟରେ ସଡ଼କ ସଚେତନତା ସୃଷ୍ଟି କରିବ । ପ୍ରତ୍ୟେକ ସ୍କୁଲ୍ କଲେଜ ଛାତ୍ର ଛାତ୍ରୀ ମଧ୍ୟରେ ସଡ଼କ ସୁରକ୍ଷା ଉପରେ କୁଇଜ୍, ସ୍ଲୋଗାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ ଏବଂ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ । ଭାରି ଯାନ ଓ ଯାନ ଚାଲକମାନଙ୍କୁ ବିଶେଷ କ୍ୟାମ୍ପ କରାଯାଇ ଚକ୍ଷୁ ପରୀକ୍ଷା କରାଯିବା । ନବରଙ୍ଗପୁର ସହରର ଏନ୍ ଏଚ୍ ରାସ୍ତା ଅବରୋଧ ହଟାଇବା ଓ ଡ୍ରେନ ପାଇଁ ପୌର କତୃପକ୍ଷ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ବୁଲା କୁକୁର ଏବଂ ଗାଇ ଗୋରୁଙ୍କ ପାଇଁ ବହୁତ ସମୟରେ ଦୁର୍ଘଟଣା ଘଟୁଛି ଏହାକୁ ସୁନିୟନ୍ତ୍ରିତ କରିବା ପାଇଁ ଗୋଶାଳାର ବ୍ୟବସ୍ଥା ଇତ୍ୟାଦି କରିବା ପାଇଁ ପୌରପାଳିକା ପଦକ୍ଷେପ ନେବେ ।ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଆସନ୍ତା ଜାନୁଆରି ୭ ତାରିଖ ସଭାରେ ସ୍ବେଛାକୃତ ଭାବେ ଦୁର୍ଘଟଣା ପୀଡ଼ିତଙ୍କୁ ଡାକ୍ତରୀ ଚିକିସôା ସାହାଯ୍ୟ ପ୍ରଦାନ ଓ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇବାରେ ସହଯୋଗ କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ସ୍ୱରୂପ ୨୦୦୦ ଟଙ୍କା ଓ ସାର୍ଟିଫିକେଟ ପ୍ରଦାନ କରାଯିବ । କମ୍ ବୟସ୍କ ଛାତ୍ର ଛାତ୍ରୀଙ୍କ ମୋଟରସାଇକଲ ଚାଳନାକୁ ରୋକିବା ପାଇଁ ସ୍କୁଲ୍ ଅଧ୍ୟକ୍ଷ ପ୍ରଧାନ ଶିକ୍ଷକଦ୍ୱାରା  ଅଭିଭାବକ ମାନଙ୍କୁ ପତ୍ର ପ୍ରେରଣ କରାଯିବ ଓ ଏଥିପାଇଁ ଡି ଇ ଓ ପଦକ୍ଷେପ ନେବେ । ସେଭଳି ବିନା ଲାଇସେନ୍ସରେ ଅଟୋ ରିକ୍ସା ଏବଂ ଟ୍ରାକ୍ଟର ଚାଳକ ମାନଙ୍କୁ ଧରପଗଡ କରାଯାଇ ଜୋରିମାନା କରାଯାଇ ଗାଡ଼ି ଜବତ କରାଯିବ  । ନବରଙ୍ଗପୁର ଜିଲ୍ଲାରେ ୨୦୨୪ ଜାନୁୟାରୀରୁ ନଭେମ୍ୱର ମଧ୍ୟରେ ୨୨୯ ଟି ଦୁର୍ଘଟଣା ଘଟି ୧୫୯ ଜଣଙ୍କ ମୃତୁ୍ୟ ଘଟିଛି ଏବଂ ୧୨୫ ଜଣ ଗୁରୁତର ଆହତ ହୋଇଛନ୍ତି । ବୈଠକରେ ଆର୍ଟିଓ ଜିତେନ୍ଦ୍ର ଭୋଇ ବିବରଣୀ ପାଠ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମ ଓ, ଏନ୍ଏଚ, ଆର୍ଏଣ୍ଡବି, ଆର୍ ଡି ବିଭାଗୀୟ ଯନ୍ତ୍ରୀ, ଡିଆଇପିଆର୍ ଓଡିଇଓଡି ଡବ୍ଲୁ ଓଇଓ, କମିଟି ସଭ୍ୟ, ମୁ୍ୟନିସିପାଲଟି ଗ୍ରାମ ବିକାଶ ସଂଗଠନର କର୍ମକର୍ତା ଉପସ୍ଥିତ ଥିଲେ ।