ହମ୍ପସ ଦାବିରେ ରାସ୍ତା ରୋକ୍
ବୈଶିଙ୍ଗା : ହମ୍ପସ ତିଆରି ଦାବିରେ ରାସ୍ତାରୋକ । ମାଣତ୍ରୀ ରାସ୍ତାର ମୋହନପୁର ଛକରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧ କାରଣରୁ ଦ୍ରୁତଗାମୀ ଗାଡି ଗୁଡିକର ଗତି ନିୟନ୍ତ୍ରଣ ପାଇଁ ହମ୍ପସ ଦାବିରେ ସ୍ଥାନୀୟଲୋକ ରାସ୍ତାରୋକ କରିଥିଲେ । ରାସ୍ତାରୋକ ପରେ ବେତନଟୀ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିଥିଲେ । ସୂଚନା ମୁତାବକ ମାଣତ୍ରୀ-ବୈଶିଙ୍ଗା ଏମଡିଆର-୭୦ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତିକରଣ ପରେ ଯାନବାହାନ ଗୁଡିକ ଅତ୍ୟନ୍ତ ଦ୍ରୁତଗତିରେ ଚଳାଚଳ କରୁଥିବାରୁ ମୋହନପୁର ଛକ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟି ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଦ୍ରୁତଗତିରେ ଚଳାଚଳ କରୁଥିବା ଗାଡିଗୁଡିକର ବେଗ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ହମ୍ପସ ନିର୍ମାଣ ପାଇଁ ବାରମ୍ବାର ଦାବି ଜଣାଇ ଆସୁଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଅଧିକାରୀମାନେ ଏ ନେଇ କୌଣସି ପଦକ୍ଷେପ ନେଉନଥିଲେ । ଗତ ଶନିବାର ଦୁଇଟି ବଡ ଦୁର୍ଘଟଣାପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଯାହା ପରେ ଆନେ୍ଦାଳନର ରୂପ ନେଇଥିଲା । ଶତାଧିକ ପୁରୁଷ ଏବଂ ମହିଳା ରାସ୍ତାରୋକ କରି ବୈଶିଙ୍ଗା-ମାଣତ୍ରୀ ମଧ୍ୟରେ ଯାତାୟାତ ଠପ୍ କରିଦେଇଥିଲେ । ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଥାନାଧିକାରୀ ବିଭାଗର ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ୟା ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ମୁତାବକ ସଙ୍ଗେସଙ୍ଗେ ଏକ ଅସ୍ଥାୟୀ ହମ୍ପସ ନିର୍ମାଣ ସହ ଆସନ୍ତା ସପ୍ତାହରେ ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାୟୀ ହମ୍ପସ ନିର୍ମାଣ ନେଇ ପ୍ରତିଶୃତି ମିଳିବାପରେ ରାସ୍ତାରୋକ ହଟିଥିଲା । ତେବେ ବେତନଟୀ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଏବଂ ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଦୁଇଟି ହମ୍ପସ ପାଇଁ ସ୍ଥାନ ନିର୍ଦ୍ଧାରଣ କରିଥିବା ବେଳେ ଦୁଇ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି ।