୧୦୮ଆମ୍ବୁଲାନ୍ସ କର୍ମଚାରୀଙ୍କ ବିକ୍ଷୋଭ
ବାରିପଦା: ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ୧୧ଦଫା ସମ୍ବଳିତ ଦାବି ପୂରଣ ନେଇ ପ୍ରତିଶ୍ରୁତି ପ୍ରଦାନ କରିବା ପରେ ପୂରଣ କରିବାକୁ ସରକାର ଭୁଲିଗଲେ । ଯାହା ଫଳରେ କର୍ମଚାରୀମାନେ ଠିକା ସଂସ୍ଥାର ଜୁଲୁମର ଶିକାର ହୋଇ ତାଙ୍କର ମାସିକ ବେତନ ମଧ୍ୟ ପାଉନାହାଁନ୍ତି । ଏ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଜିପିଏସ ବନ୍ଦ କରି ରୋଗୀ ସେବା ପ୍ରଦାନ ପୂର୍ବକ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଠିକା ସଂସ୍ଥା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୧ ତାରିଖରୁ ନୂତନ ଭାବେ ଏମ୍ରି ଗ୍ରୀନ ହେଲ୍ଥ ସର୍ଭିସ ନାମକ ଏକ ଘରୋଇ କମ୍ପାନୀ ୧୦୮ ଆମ୍ବୁଲାନ୍ସ ଜରୁରିକାଳୀନ ସେବାକୁ ଠିକା ଭାବେ ଟେଣ୍ଡର ନେଇଛନ୍ତି । ନୂତନ ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟ କରି ଉଦେ୍ଦଶ୍ୟମୂଳକ ଭାବେ ମହାସଂଘର ମୁଖ୍ୟ ମାନଙ୍କୁ ଜାଣିଶୁଣି ଡୁ୍ୟଟି କିମ୍ବା ନିଯୁକ୍ତି ନ ଦେଇ ଛୋଟେଇ କରିଥିଲେ । ଯାହାକୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ବିରୋଧ କରି ନଭେମ୍ବର ୧ରୁ କାର୍ଯ୍ୟ ବନ୍ଦ ଆନ୍ଦାଳନ ପାଇଁ ନିଷ୍ପତ୍ତି ନେଇଥିଲେ । ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବହୁତ୍ ବିପଦ ସମୟରେ ରୋଗୀ ସେବା ଯୋଗାଇ ଦେଇ ଆସୁଛନ୍ତି । କରୋନା ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟକୁ ଖାତିର ନ କରି ନିଜ ଜୀବନକୁ ପାଣି ଛଡ଼ାଇ ସେବା କରିଛନ୍ତି । ନୂତନ ସଂସ୍ଥା ଏବେ ମନଇଚ୍ଛା ଛଟେଇ କରିଥିବା ବେଳେ ବାରମ୍ବାର ଅଭିଯୋଗ ଜଣାଇଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ଦୁଃଖ ଶୁଣୁନଥିଲେ । ଯାହା ଫଳରେ ଫଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ତେଣୁ କରି ୧୧ଦଫା ସମ୍ବଳିତ ଦାବି ଉପସ୍ଥାପନ କରିଥିଲେ । ଆନେ୍ଦାଳନ ପୂର୍ବରୁ କର୍ମଚାରୀମାନଙ୍କ ସହିତ ଆଲୋଚନା କରି ମାସକ ମଧ୍ୟରେ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମାସେରୁ ଅଧିକ ସମୟ ହୋଇଥିଲେ ସୁଦ୍ଧା ଦାବି ପୂରଣ ନେଇ ସରକାର ମନ ଦେଉନାହାଁନ୍ତି । ଯାହାକୁ ନେଇ ଠିକା ସଂସ୍ଥା କର୍ମଚାରୀମାନଙ୍କୁ ବେତନ ମଧ୍ୟ ପ୍ରଦାନ କରୁନାହିଁ । ଉକ୍ତ କର୍ମଚାରୀମାନେ ବହୁ କଷ୍ଟରେ କାର୍ଯ୍ୟ କରୁଥିବାବେଳେ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରତିବାଦ ସ୍ୱରୂପ ଆମ୍ବୁଲାନ୍ସର ଜିପିଏସ ବନ୍ଦ ବା ଅଫ୍ ରୋଡ କରି ରୋଗୀ ସେବା ଯୋଗାଉଛନ୍ତି । ଯାହାଫଳରେ ଠିକା ସଂସ୍ଥା କାର୍ଯ୍ୟ ନେଇ ଟଙ୍କା ପାଇବେ ନାହିଁ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହିପରି ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଦାବି ଅନୁଯାୟୀ, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତ, ସଠିକ୍ କାର୍ଯ୍ୟ ସମୟ ଓ ପାରିଶ୍ରମିକ ନିର୍ଦ୍ଧାରଣ, ଓଭରଡୁ୍ୟଟି ପାରିଶ୍ରମିକ ନିର୍ଦ୍ଧାରଣ, ୧୦୮ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିୟମିତ କରିବା, ୧୨ଘଣ୍ଟା କାର୍ଯ୍ୟର ପ୍ରାପ୍ୟ ପ୍ରଦାନ, ବାର୍ଷିକ ଦରମା ବୃଦ୍ଧି ଓ ଅଭିଜ୍ଞଙ୍କୁ ଅଧିକ ପାରିଶ୍ରମିକ, ମୃତୁ୍ୟକାଳୀନ ୨୦ ଲକ୍ଷ ଓ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ, ବେନିୟମ ଛଟେଇ ବନ୍ଦ, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଲୋକ ମାନଙ୍କ ଆକ୍ରମଣରେ ଶିକାର ହେଲେ ସତନ୍ତ୍ର ଦଣ୍ଡବିଧାନ ସହ ଦୋଶୀମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ, ୧୦୨ ଜନନୀ ଡ୍ରାଇଭରଙ୍କୁ ସ୍ୱତନ୍ତ୍ର ଭତ୍ତା, ପର୍ଯ୍ୟାପ୍ତ ଆମ୍ବୁଲାନ୍ସ ପ୍ରଦାନ କରିବା ଆଦି ଦାବି ଉପସ୍ଥାପନ କରିଛନ୍ତି । ଏହି ଦାବି ପୂରଣ ନ ହେଲେ ଜିଲ୍ଲାରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବେ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦେଇଛି । ଦାବିପତ୍ର ପ୍ରଦାନ ସମୟରେ ସଭାପତି ମନୋଜ କୁମାର ନାୟକ, ଉପ ସଭାପତି ଦେବାଶିଷ ଆଚାର୍ଯ୍ୟ, ସମ୍ପାଦକ ଅମନ କୁମାର ରାଉତ, ଜ୍ଞାନ ରଞ୍ଜନ ପାତ୍ର ଏବଂ ଅନ୍ୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ ।