୨ ଚୋରକୁ ଧରିଲା ପୁଲିସ

ାା ପ୍ରଭାନୁ୍ୟଜ ।ା ସାରାସକଣା:  ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବହୁ ସମୟରେ ଚୋରି ହେଉଥିବା ଅଭିଯୋଗ ଦୀର୍ଘଦିନ ଧରି ହୋଇ ଆସୁଥିଲା । କିଛି ଅଭିଯୋଗ ଝାରପୋଖରୀଆ ଥାନାକୁ ଆସୁଥିଲେ ସୁଦ୍ଧା କିଛି ଚୋରି ମାମଲା ଥାନାକୁ ଆସୁନଥିଲା । କାରଣ ଥିଲା ପୁଲିସର ନିଷ୍କ୍ରିୟତା ଅଥବା ବିଫଳତା । ପୁଲିସକୁ ଅଭିଯୋଗ କଲେ ମଧ୍ୟ ଚୋର ଧରା ପଡୁନଥିଲା, କେବଳ ଅଭିଯୋଗକାରୀ ତଦନ୍ତ ଭିତରେ ସୀମିତ ରହି ନୀରବ ହୋଇ ଯାଉଥିଲେ । ହେଲେ ଦୀର୍ଘଦିନ ପରେ ଝାରପୋଖରୀଆ ପୁଲିସ ହାତରେ ଲାଗିଛନ୍ତି ଦୁଇ ଉଚ୍ଚ ଶିକ୍ଷିତ ଚୋର । ଦିନବେଳେ କଲେଜରେ ଭଦ୍ର ଛାତ୍ର ଓ ମଧ୍ୟରାତ୍ରି ହେଲେ ନାନାଦି ସାମଗ୍ରୀ ଚୋରି କରି ସକାଳ ହେବା ପୂର୍ବରୁ ଆତ୍ମଗୋପନ କରୁଥିଲେ ରୁମ ଭିତରେ । କେଉଁଦିନ ଗାଡିରୁ ବ୍ୟାଟେରୀ ଚୋରି କରୁଥିଲେ ତ ପୁଣି କେତେବେଳେ ଟାୱାରରୁ ଡିଜେଲ ଚୋରି କରି ବିକ୍ରି କରୁଥିଲେ ଏହି ଅତ୍ୟାଧୁନିକ ଚୋର ଦୁଇବନ୍ଧୁ । ତେବେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୧.୩୦ରେ ଦୁଇଜଣ ଯୁବକ ମଟରସାଇକେଲରେ ଟୋଲଗେଟ ପଟୁ ବମ୍ବେଛକ ଆସୁଥିଲେ । ସେହିସମୟରେ ରାତ୍ର ପେଟ୍ରୋଲିଂ କରୁଥିବା ଝାରପୋଖରୀଆ ପୁଲିସ ଟିମ ଉଭୟଙ୍କୁ ଅଟକିବାକୁ ସୂଚନା ଦେବା ପରେ ଦୁଇ ଯୁବକ ଗାଡି ବୁଲାଇ ଏମସିସି ବ୍ୟାଙ୍କର ବିପରୀତ ପଟେ ରହିଥିବା ମେସଗୁଡିକ ପାଖକୁ ପଳାଇ ଯାଇ ଲୁଚିବାକୁ ଉଦ୍ୟମ କରିଥିଲେ । ମାତ୍ର ଧରାପଡିବା ପରେ ସେମାନଙ୍କ ନିକଟରୁ ଗୋଟିଏ ବ୍ୟାଟେରୀ ଓ ତେଲ ମିଳିଥିଲା । ଯାହାକି ଗୋଟିଏ ଟାୱାରରୁ ସେମାନେ ଚୋରି କରିଥିବା ସ୍ୱୀକାର କରିଥିଲେ । ଘଟଣାକୁ ନେଇ ଝାରପୋଖରିଆ ଥାନାରେ ୨୭୯/୨୪ ଅନୁଯାୟୀ ମାମଲା ରୁଜୁ କରାଯାଇ ଦଫା ଭାରତୀୟ ସଂହିତା ୩୦୩(୨)୩(୫) ଅନୁଯାୟୀ କୁଳିଅଣା ଥାନା ଅନ୍ତର୍ଗତ ତଳାବାଡ଼ିଆ ଗ୍ରାମର ଲକ୍ଷ୍ମୀକାନ୍ତ ଧଡ଼ାଙ୍କ ପୁଅ ଓମ ପ୍ରକାଶ ଧଡ଼ା (୨୦) ଓ ବରକୁଳି ଗ୍ରାମର ରତିକାନ୍ତ ଦାସଙ୍କ ପୁଅ ସତ୍ୟଜିତ ଦାସ (୨୦) ଙ୍କୁ ଗିରଫ କରାଯାଇଥିଲା । ପରେ ଉଭୟଙ୍କ ବୟାନ ରେକର୍ଡ କରି ତଦନ୍ତ କରି ଚୋରି ସାମଗ୍ରୀ ଜବତ କରିବା ସହିତ ଉଭୟ ଛାତ୍ର ଚୋରଙ୍କ ଡାକ୍ତରୀ ମଇନା କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଧରାପଡ଼ିଥିବା ଯୁବକ ବମ୍ବେଛକ ସ୍ଥିତ ସୀମାନ୍ତ ଫାର୍ମାସୁ୍ୟଟିକାଲ କଲେଜରେ ପାଠ ପଢୁଥିବା କହିଥିବା ବେଳେ ଅନେକ ଚୋରି ଘଟଣାରେ ଏମାନଙ୍କ ହାତ ରହିଥିବା ଜଣାଯାଇଛି ।