୩୦୩ ଗୋରୁ ଉଦ୍ଧାର

 ବୈଶିଙ୍ଗା : ବୈଶିଙ୍ଗା ଥାନା ଅର୍ନ୍ତଗତ କଳମା ପଞ୍ଚାୟତର ଗୋବିନ୍ଦରାୟପୁର ଓ ତାଳପଦା ଗ୍ରାମରେ ଅତର୍କିତ ଭାବେ ଚଢ଼ଉ କରାଯାଇ ପଶ୍ଚିମବଙ୍ଗ ଚାଲାଣ ପାଇଁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରଖାଯାଇଥିବା ୩୦୩ ଟି ଗୋ-ସମ୍ପଦ ଉଦ୍ଧାର କରାଯାଇଛି । ବାରିପଦା ପୋଲିସ ଏଏସିପି ଦୀପକ ଗୋଛାୟତଙ୍କ ନେତୃତ୍ୱରେ ବୈଶିଙ୍ଗା, ବଡ଼ସାହି, ବେତନଟୀ ଓ ରାସଗୋବିନ୍ଦପୁର ଚାରଟି ଥାନାର ୩ପ୍ଲାଟୁନ ପୁଲିସ ଫୋର୍ସ ସହାୟତାରେ ଏହି ଦୁଇଟି ଗ୍ରାମରେ ଅତର୍କିତ ଚଢ଼ଉ କରାଯାଇ ତିନୋଟି ଅସ୍ଥାୟୀ ଟେଣ୍ଟରୁ ଗୋରୁଗାଈଙ୍କୁ ଉଦ୍ଧାର କରାଯାଇଛି । ଏହି ସମୟରେ ମାଜିଷ୍ଟ୍ରେଟ ଭାବେ ବେତନଟୀର ଅତିରିକ୍ତ ତହସିଲଦାର ଈଶ୍ୱରଚନ୍ଦ୍ର ରଣାଙ୍କ ସମେତ ପ୍ରାଣୀସମ୍ପଦ ବିଭାଗର ଅଧିକାରୀ ନିଜର ଟିମ୍ ନେଇ ଗୋରୁଗାଈଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଉପସ୍ଥିତଥିଲେ । ଅସ୍ଥାୟୀ ଟେଣ୍ଟରୁ ଉଦ୍ଧାର ଗୋରୁଗାଈ ଗୁଡିଙ୍କୁ ସ୍ୱତନ୍ତ୍ର ଟ୍ରକ ଯୋଗେ ବାଲେଶ୍ୱର ଗୋଶାଳାକୁ ହସ୍ତାନ୍ତର କରାଯାଇଛି । ତେବେ ଆଖପାଖରୁ ବିଭିନ୍ନ ଗାଁରୁ ଚୋରି ହୋଇଥିବା ବଳଦ ଏବଂ ଗାଈଗୁଡିକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ଚିହ୍ନଟ କରିଛନ୍ତି । ତେବେ ୪ଟି ଥାନାର ଅଧିକାରୀ ଓ ସଶସ୍ତ୍ର ପୋଲିସଫୋର୍ସ ମିଳିତ ଚଢ଼ଉକରି ଏକକାଳୀନ ୩ ଶହରୁ ଅଧିକ ଗୋରୁଗାଈଙ୍କୁ ଉଦ୍ଧାର କରିବା ଘଟଣା ପୋଲିସ ପାଇଁ ଏକ ବଡ ସଫଳତା ଏବଂ ଗୋସମ୍ପଦର ସୂରକ୍ଷା ଦିଗରେ ଏହା ଖୁବ୍ ପ୍ରଶଂସନୀୟ କାର୍ଯ୍ୟାନୁଷ୍ଠାନ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।