୩୪୯ ଟଙ୍କା ରିଚାର୍ଜ କରୁଥିଲେ ଯୁବତୀ; ଆକାଉଣ୍ଟରୁ ଗାଏବ ହୋଇଗଲା ୪ ଲକ୍ଷ ଟଙ୍କା


ଭୁବନେଶ୍ୱର, ୯ା୧୧ : ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀ ଏହି ସାଇବର ଫ୍ରଡର ଶିକାର ହୋଇଛନ୍ତି । ମାତ୍ର ୩୪୯ ଟଙ୍କାର ମୋବାଇଲ ରିଚାର୍ଜ କରୁ କରୁ ଆକଉଣ୍ଟରୁ ଗାଏବ ହୋଇଗଲା ପ୍ରାୟ ୪ ଲକ୍ଷ ଟଙ୍କା । ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀ ଏପରି ସାଇବର ଫ୍ରଡର ଶିକାର ହୋଇଛନ୍ତି । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।
 ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ୧୫ ଦିନ ତଳେ ନିଜ ମୋବାଇଲ ରିଚାର୍ଜ କରୁ କରୁ ଭୁଲ୍ ବଶତଃ ଯୁବତୀ ଜଣଙ୍କ ନିଜ ମୋବାଇଲ ନମ୍ବର ପରିବର୍ତ୍ତ ଅନ୍ୟ ଏକ ନମ୍ବରରେ ୩୪୯ ଟଙ୍କା ରିଚାର୍ଜ କରିଦେଇଥିଲେ । ପରେ ଯୁବତୀ ଜଣଙ୍କ ସେହି ନମ୍ବରକୁ କଲ କରି ବ୍ୟକ୍ତିଙ୍କୁ ପୁନଃ ରିଚାର୍ଜ କରିଦେବା ପାଇଁ ଅନୁରୋଧ କରିଥିଲେ । ବ୍ୟକ୍ତି ଜଣଙ୍କ ରିଚାର୍ଜ କରିବାକୁ ମନା କରିବା ପରେ ଗୁଗୁଲରେ ଫୋନ ପେ’ ସହାୟତା କେନ୍ଦ୍ର ନମ୍ବର ସର୍ଚ୍ଚ କରିଥିଲେ ଯୁବତୀ । ଗୁଗୁଲରେ ପାଇଥିବା ନମ୍ବରକୁ କଲ କରି ସହାୟତା ମାଗିଥିଲେ । ହେଲେ ଗୁଗୁଲରେ ଦିଆଯାଇଥିବା ନମ୍ବର ସାଇବର ଲୁଟେରାଙ୍କ ବୋଲି ଜାଣି ପାରିନଥିଲେ ଯୁବତୀ । ଶେଷରେ ସାଇବର ଲୁଟେରା ଆକାଉଣ୍ଟରୁ ପ୍ରଥମେ ଲକ୍ଷେ ଟଙ୍କା ଠକି ନେଇଥିଲେ । ଏନେଇ ଯୁବତୀ ଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଥିଲେ । ଏଥିସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କହି ନିଜ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ମଧ୍ୟ କରିଥିଲେ । ଘଟଣାର ମାସେ ପରେ ଦରଖାସ୍ତ ଦେଇ ପୁଣି ବ୍ୟାଙ୍କରେ ଆକାଉଣ୍ଟ ରିଆକ୍ଟିଭ କରିଥିଲେ ଯୁବତୀ । ପରେ ନିଜ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିଲେ । ୨ରୁ ୩ ଦିନ ମଧ୍ୟରେ ଯୁବତୀଙ୍କ ଆକାଉଣ୍ଟରୁ ପୁଣି ପ୍ରାୟ ୩ ଲକ୍ଷ ଟଙ୍କା କଟି ଯାଇଥିଲା । ଏନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ଏଥିସହ ଏହି ଠକେଇ ଘଟଣାରେ ବ୍ୟାଙ୍କ ମ୍ୟାନେଜଙ୍କର ସଂପୃକ୍ତି ଥିବା ଯୁବତୀ ଜଣଙ୍କ ସନେ୍ଦହ ହୋଇଥିଲା । ଗତକାଲି ଯୁବତୀ ଜଣଙ୍କ ବ୍ୟାଙ୍କ ମ୍ୟାନେଜଙ୍କର ନାଁରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣା ତଦନ୍ତ କରୁଛି ।