୬୪ ଯୋଗିନୀ ପୀଠର ବିକାଶ ପାଇଁ ୨୦ କୋଟି

୬୪ ଯୋଗିନୀ ପୀଠର ବିକାଶ ପାଇଁ ୨୦ କୋଟି

ବାଲିଅନ୍ତା : ଦୀର୍ଘବର୍ଷ ଧରି ଅଞ୍ଚଳବାସୀଙ୍କ ଦାବି ପୂରଣ ହେବାକୁ ଯାଉଛି । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ହୀରାପୁର ଗ୍ରାମରେ ଅବସ୍ଥାପିତ ଓଡିଶା ପ୍ରସିଦ୍ଧ ତନ୍ତ୍ରପୀଠ ୬୪ ଯୋଗିନୀ ପୀଠର ବିକାଶ ନିମନ୍ତେ ମାଷ୍ଟର ପ୍ଲାନ ତିଆରି କରିଛନ୍ତି ପର୍ଯ୍ୟଟନ ବିଭାଗ । ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏହାର ମୂଳ ଉଦ୍ଦେଶ୍ୟ । ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କାର୍ଯ୍ୟର ସର୍ବେକ୍ଷଣ ନିମନ୍ତେ ଆଜି ଉପ ମୁଖ୍ୟମନ୍ତ୍ରୀ ତଥା ସଂସ୍କୃତି ଓ ପର୍ଯ୍ୟଟନ, ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ୬୪ ଯୋଗିନୀ ପୀଠକୁ ଆସ ପହଞ୍ଚିବା ପରେ ସେଠାରେ ପୂର୍ବତନ ମନ୍ତ୍ରୀ ଡ଼.ଅରବିନ୍ଦ ଢ଼ାଲି,  ପର୍ଯ୍ୟଟନ ବିଭାଗ ସଚିବ ବଲୱନ୍ତ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଭୁବନେଶ୍ୱର ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ, ବାଲିଅନ୍ତା ତହସିଲଦାର ଲିଲନ ପ୍ରସାଦ ସାହୁ,ଭାରତୀୟ ପ୍ରତ୍ନତତ୍ୱ ଅଧିକ୍ଷକ ଡ.ନନ୍ଦକିଶୋର ସ୍ୱାଇଁ, ଓଡିଶା ପର୍ଯ୍ୟଟନ ଉନ୍ନୟନ ସଂସ୍ଥାର ଅଧିକ୍ଷକ ସୁନିଲ ବେହେରା, ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ଅଞ୍ଜନ ବାରିକ, ସ୍ଥାନୀୟ ସରପଞ୍ଚ ରମାଲତା ନାୟକ, ସମିତିସଭ୍ୟ ରଞ୍ଜନ କୁମାର ମହାପାତ୍ର, ବରିଷ୍ଠ ବିଜେପି ନେତା ସୁବାସ ଜେନା ପ୍ରମୁଖ ସ୍ୱାଗତ କରିଥିଲେ ।

    ସେଠାରେ ମା' ମହାମାୟା ଏବଂ ଘେରି ରହିଥିବା ଯୋଗିନୀଙ୍କୁ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ । ପରେ ସଚିବ ଶ୍ରୀ ସିଂ ବିକାଶ କାର୍ଯ୍ୟର ନକ୍ସାକୁ ଦେଖାଇ ବିବରଣୀ ପ୍ରଦାନ କରିଥିଲେ । ଏହି ଅର୍ଥରେ ପୀଠର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ହେବା ସହ ଆଲୋକୀକରଣ କରାଯିବ । ପୀଠକୁ ସଂଯୋଗୀକରଣ ରାସ୍ତା ଗୁଡିକ ପ୍ରଶସ୍ତିକରଣ ଓ ଉନ୍ନତୀକରଣ କରାଯିବ । ପର୍ଯ୍ୟଟକ ମାନଙ୍କ ଯାତାୟାତ ନିମନ୍ତେ ୨ ଓ ୪ ଚକିଆ ଯାନ, ବସ ପାର୍କିଂ ସ୍ଥଳୀ ହେବା ସହ ଶୌଚାଳୟର ଉନ୍ନତିକରଣ କରାଯିବ । ପୀଠ ସମ୍ମୁଖରେ ଥିବା ହୀରା ପୋଖରୀ ସୌନ୍ଦର୍ଯ୍ୟକରଣ କରାଯିବ । ଏହାର ଚତୁଃପାର୍ଶ୍ୱ ପାଦଚଲା ରାସ୍ତାକୁ ଉନ୍ନତୀକରଣ କରାଯିବା ସହ ଆଲୋକୀକରଣ କରାଯିବ । ପୀଠର ଚତୁଃପାର୍ଶ୍ୱ ପ୍ରଶସ୍ତିକରଣ କରାଯିବ । ଆବଶ୍ୟକ ପଡିଲେ ଜବରଦଖଲ ଉଛେଦ କରାଯିବା ସହ କିଛି ଘରୋଇ ଜମି ଅଧିଗ୍ରହଣ କରାଯିବ । ସେହିପରି ଏହି ପୀଠର ଅଧିଷ୍ଠାତ୍ରୀ ଦେବୀ ମା' ମହାମାୟାଙ୍କୁ ପୂଜାର୍‌ଚନା କରୁଥିବା ପୂଜକ, ସେବାୟତଙ୍କ ନିମନ୍ତେ ନୂତନ ଗୃହ ନିର୍ମାଣ କରାଯିବ । ପରେ ଶ୍ରୀମତୀ ପରିଡା ସୁଦର୍ଶନ ଦାରୁସ୍ଥଳୀକୁ ଯାଇଥିଲେ ସେଠାରେ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚକ୍ରଧର ନାୟକ, ପ୍ରିୟବ୍ରତ ପାତ୍ର, ଲକ୍ଷ୍ମଣ ଜେନା, ଦୀନବନ୍ଧୁ ଭୋଇ ପ୍ରମୁଖ ଶ୍ରୀମତୀ ପରିଡାଙ୍କୁ ସ୍ୱାଗତ କରିଥିଲେ । ଏଠାରେ ଏକ ଭାବ୍ୟମନ୍ଦିର ନିର୍ମାଣ ଚାଲିଥିବା ବେଳେ ଏହାର ପୂର୍ଣ୍ଣାଙ୍ଗ ନିମନ୍ତେ ଅର୍ଥର ଅଭାବ ଥିବାରୁ ୧ କୋଟି ଟଙ୍କା ଦେବାପାଇଁ ଅନୁରୋଧ କରିଥିଲେ । ଶ୍ରୀମତୀ ପରିଡା ସେମାନଙ୍କ ଅନୁରୋଧ ପତ୍ର ଗ୍ରହଣ କରି ବିଚାର କରିବେ ବୋଲି କହିଥିଲେ ।