ପାଇପ୍ ବିକ୍ରି ଅଭିଯୋଗ, ଥାନାରେ ଏତଲା


ାା ପ୍ରଭାନୁ୍ୟଜ୍ ।ା ଆଳି: ଆଳି ବ୍ଲକ ନଦୀ ନାଳ ଘେରା ଏକମାଣିଆ, ଦକ୍ଷିଣଡିହା ଗ୍ରାମର ଚାଷୀ ମାନଙ୍କ ପାଇ ଜଳସେଚନ ବ୍ୟବସ୍ଥା ଯୋଗାଇବା ପାଇଁ ରଖା ଯାଇଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ପାଇପକୁ ଉକ୍ତ ଗ୍ରାମର ପାଣି ପଞ୍ଚାୟତର ସଭାପତି ବିକ୍ରି କରି ଦେଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି । ଉକ୍ତ ଦୁଇ ଗ୍ରାମର ଚାଷୀ ଅନନ୍ତ କରଣ, ମନୋଜ ସ୍ୱାଇଁ, ଗଣେଷ ମଲିକ, ଅନନ୍ତ ରାଉତ, ସୁଶାନ୍ତ ବିଶ୍ୱାଳ, ଅମରେଶ ରାଉତ, ଖଗେଶ୍ୱର କରଣ ପ୍ରମୁଖ ଚାଷୀମାନେ ଏ ସମ୍ପର୍କରେ ଆଳି ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ ପଣ୍ଡାଙ୍କ ନିକଟରେ ଅଭିଯୋଗ କରିଥିଲେ । ପାଣି ପଞ୍ଚାୟତକୁ ପ୍ରକଳ୍ପ ହସ୍ତାନ୍ତର ପରେ ବିଭାଗର କୌଣସି ଭୂମିକା ନାହିଁ ଓ ଏସମ୍ପର୍କରେ ସେମାନେ ଥାନାରେ ଏତଲା ଦିଅନ୍ତୁ ବୋଲି ଶ୍ରୀ ପଣ୍ଡା ପରାମର୍ଶ ଦେବା ପରେ ସଂପୃକ୍ତ ଚାଷୀମାନେ ଆଳି ଥାନାରେ ଅଭିଯୋଗ କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । 
ଚାଷୀ ଅନନ୍ତ କରଣ ଆଳି ଥାନାରେ ଦାଏର କରିଥିବା ଅଭିଯୋଗରେ ଜଣାଇଛନ୍ତି ଯେ, ପାଣି ପଞ୍ଚାୟତ ସଭାପତିଙ୍କ ଘର ପାଖରେ ଚାଷକାମ ପାଇଁ ରଖା ଯାଇ ଥିବା ପାଇପ୍ ଗୁଡ଼ିକୁ ଗତ ଗୁରୁବାର ଦିନ ଏକ ଗାଡ଼ିରେ ନିଆ ଯାଇଥିବା ଦେଖି ପାଇପ୍ କୁଆଡେ ଯାଉଛି ବୋଲି ପଚାରିବାରୁ ସଭାପତି କୈାଣସି ଉତ୍ତର ଦେଇନଥିଲେ । ଅନନ୍ତ ପାଇପ ଗାଡ଼ିର ଫଟୋ ଉଠାଇଥିଲେ । ଏଥିରେ କ୍ରୋଧାନ୍ୱିତ ହୋଇ ସଭାପତିଙ୍କ ପରିବାର ଲୋକେ ଅନନ୍ତଙ୍କୁ ମାରିବା ପାଇଁ ଗୋଡାଇଥିଲେ । ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ମଧ୍ୟ ଅନନ୍ତ ତାଙ୍କ ଏତଲାରେ ଅଭିଯୋଗ କରିଛନ୍ତି । ତେବେ ପାଇପ୍ ଗୁଡ଼ିକ ରାଜନଗର ବ୍ଲକରେ ଡାଙ୍ଗମାଳ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଛି ଓ ଏଗୁଡ଼ିକୁ ବିକ୍ରି କରାଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତ କରି ପାଇପ୍ ଉଦ୍ଧାର ସହିତ କାର୍ଯାନୁଷ୍ଠାନ ନେବାପାଇଁ ଅଭିଯୋଗକାରୀ ଚାଷୀମାନେ ଦାବି କରିଛନ୍ତି ।