ଋଣଭାର ସହିନପାରି ଯୁବକଙ୍କ ଆତ୍ମହତ୍ୟା

ବାଲିଅନ୍ତା :  ପରିବାର ଚଲାଇବା ପାଇଁ ଋଣ ଋଣ କଲେ, କିନ୍ତୁ ତାହା ଶୁଝି ପାରିଲେନି ଶେଷରେ ଜୀବନ ହାରିଲେ ଯୁବକ । ଏଭଳି ଘଟଣା ବାଳକାଟି ଫାଣ୍ଡି ଅଧିନସ୍ଥ ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି । ଖବରନେବାରେ ଜଣାପଡିଛି ଏହି ଫାଣ୍ଡି ଅଧିନସ୍ଥ ନାଗପୁର ଗ୍ରାମର ଏସ୍ ଲିଙ୍ଗରାଜ ଅଚାରୀ ଜଣେ ସୁନାରୂପା ଅଳଙ୍କାର କାରିଗରୀ (ବଣିଆ) ଭାବେ କାମ କରେ । ପନôୀ ଓ ୨ ଟି ସନ୍ତାନକୁ ନେଇ ତାଙ୍କ ଖୁସିର ସଂସାର । ଧିରେ ଧିରେ ପିଲାମାନେ ବଢିବା ସହ ସେମାନଙ୍କ ପାଠ ପଢା ଖର୍ଚ୍ଚ ହେବାରେ ଲାଗିଲା । ବଣିଆ ଭାବେ ଅଳଙ୍କାର ଦୋକାନରେ କାମ କରି ଯାହା ପଇସା ଆଣନ୍ତି ସେଥିରେ ଘର ଚଳିବା କଷ୍ଟକର । ଫଳରେ ବିଭିନ୍ନ ଲୋକଙ୍କ ଠାରୁ ଓ ମହିଳା ମଣ୍ଡଳରୁ ଋଣରେ ପଇସା ଆଣିବାକୁ ଲାଗିଲେ । ମାତ୍ର ସେଗୁଡିକ ଶୁଝିବାରେ ତାଙ୍କୁ କାଠିକର ପାଠ ହୋଇଥିଲା । ଏମିତି ସେ ପ୍ରାୟ ୩/୪ ଲକ୍ଷ ଟଙ୍କା ଋଣଭାରରେ ରହିଥିଲେ । ଏନେଇ ବିଭିନ୍ନ ସମୟରେ ପରିବାରରେ କଳହ ଲାଗିଥାଏ । ଋଣଭାର ସହି ନପାରି ବିଳମ୍ବିତ ରାତିରେ ଏକ ଗଛରେ ଗାମୁଛା ବାନ୍ଧି ନିଜ ମୋଟରସାଇକଲ ଉପରେ ଠିଆହୋଇ ଝୁଲି ପଡିଥିଲେ । ଖବରପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।