ନାବାଳକ ଶବ ରଖି ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା
କେନ୍ଦ୍ରାପଡା : ଡାକ୍ତରଙ୍କ ଅବହେଳା ଓ ଭୁଲ ଇଞ୍ଜେକସନ ଯୋଗୁଁ ନାବାଳକର ମୃତୁ୍ୟ ହୋଇଥିବା ଅଭିଯୋଗ କରି ତାର ବାପା ଓ ପରିବାର ଲୋକେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା ଦେଇଥିବା ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଧିନ ଶୈଳେନ୍ଦ୍ର ନଗର ଥାନା ଅଧିନ ରାଜୁ ଜାନାଙ୍କ ୯ ବର୍ଷର ନାବାଳକ ପୁତ୍ର ସୂର୍ଯ୍ୟକାନ୍ତ ଜାନାକୁ ଜ୍ୱର ହୋଇଥିବାରୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ କେନ୍ଦ୍ରାପଡା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କିଶୋର ମିଶ୍ରଙ୍କ ପାଖରେ ଚିକିସôା କରାଉଥିଲେ । ତେବେ ନାବାଳକର ଅବସ୍ଥା ସାଂଘାତିକ ହୋଇଥିବା ବେଳେ ତାକୁ ଏକ ଇଞ୍ଜେକସନ ଦେବାକୁ ଡାକ୍ତର ମିଶ୍ର ନର୍ସକୁ କହିଥିଲେ । ସଂପୃକ୍ତ ଇଞ୍ଜେକସନଟି ସୁମିତ୍ରା ମେଡିସିନ ଦୋକାନରୁ କିଣାଯାଇଥିଲା । ତେବେ ଇଞ୍ଜେକସନ ନେବା ପରେ ସୂର୍ଯ୍ୟକାନ୍ତର ପାଟିରୁ ଫେଣ ବାହାରିବା ସହ ସେ ଛାଟିପିଟି ହେବାରୁ ତାଙ୍କୁ କେନ୍ଦ୍ରାପଡା ମେଡିକାଲକୁ ନିଆଯାଇ ଅକ୍ସିଜେନ ଦିଆଯିବା ସତ୍ୱେ ମୃତୁ୍ୟ ଘଟିଥିଲା । ଏହାକୁ ନେଇ ରାଜୁ କେନ୍ଦ୍ରାପଡା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଥାନା କେସ ନମ୍ବର ୨୫୫/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଅପରପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ରେଡକ୍ରସ ଫଣ୍ଡରୁ ୧୦ ହଜାର ଟଙ୍କା ସହାୟତା ଘୋଷଣା କରିବା ପରେ ଶବ ଧରି ପରିବାର ଲୋକେ ଧାରଣାରୁ ଉଠିଥିଲେ ।