ଅଧରପଣା ଓ ବାବନାଭୂତ
ଅଜୟ କୁମାର ବେହେରା : ପ୍ରଭୁଙ୍କ ରଥଯାତ୍ରାର ଶେଷ ଦିନ ବେଳକୁ ଯେଉଁ ଅଧରପଣା ଲୀଳା ଅଛି, ଏହି ପଣା ଭାଣ୍ଡ ଗୁଡ଼ିକ ଠାକୁରଙ୍କ ମୁଖ ଅଧର ପର୍ଯ୍ୟନ୍ତ ଉଚ୍ଚତାରେ କୁମ୍ଭକାର ଗଢ଼ି ପଣା ନୈବେଦ୍ୟ ପାଇଁ ଯୋଗାଇଥାନ୍ତି । ମୃତ୍ତିକାର ଭାଣ୍ଡ ଗୁଡ଼ିକର ପ୍ରଭୁଙ୍କର ଭୋଗ ନୈବେଦ୍ୟ ମନ୍ଦିରରେ ସର୍ବଦା ଲାଗୁଛି । ହେଲେ ଅଧରପଣାର ଏହି ଦୁର୍ଲଭ ପ୍ରସାଦ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ରଥଯାତ୍ରାରେ ସମସ୍ତ ଅଦୃଶ୍ୟ ଭୂତ ଶକ୍ତି ପାଇଁ ଏହି ପଣା ହାଣ୍ଡିକୁ ପିଟି ଭାଙ୍ଗି ଦିଆଯାଏ । ପଣା ସବୁ ଢ଼ାଳି ଦିଆଯାଏ । ଯାହା ଭୂତଗଣ ଅର୍ପଣରେ ଏହା ଉଦ୍ଦିଷ୍ଟ । ପୂର୍ବେ ହଇଜା, ବସନ୍ତରୋଗରେ ବିଭିନ୍ନ ପୂଜା ପାର୍ବଣରେ ପଣା ଏମିତି ତ୍ରିଛକି ରାସ୍ତାରେ ଅର୍ପଣ କରାଯାଏ । ମୃତାହ କାର୍ଯ୍ୟରେ ଛକ ମୁଣ୍ଡରେ ଅଣହଳଦୀଆ ତେଲ ବିହୀନ ବ୍ୟଞ୍ଜନ ଓ ଅନ୍ନର ଗୃହଜନ ଭୋଜନ ଅନ୍ନ ଅଂଶର ହାଣ୍ଡି ଦିଆଯାଉଛି । ପ୍ରକୃତରେ ଏସବୁ ଭୌତିକ ବଳି ବା ଭୂତବଳି । ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମରେ ଏକ ଭୂତ ପୂଜାପାଏ, ଏକଥା କେମିତି କେମିତି ଲାଗୁଛି । ହେଲେ ଏ ଭୂତ କାହିଁ କେତେକାଳରୁ ରାଜା ପ୍ରତାପରୁଦ୍ରଙ୍କ ବେଳୁ ଆସ୍ଥାନ ଜମାଇ ପୂଜା ପାଉଛି । ଭୂତଗଣରେ ବେତାଳ, ପିଶାଚ, କୁଶ୍ମାଣ୍ଡ, ବ୍ରହ୍ମରାକ୍ଷସ ଆଦି ବର୍ଗୀକରଣରେ ଆସନ୍ତି । ଭୈରବ, ଯୋଗିନୀ ଏପରି ଶକ୍ତି ଅଛନ୍ତି ଡାକିନୀ, ଶାକିନୀ, ପୂତନା ଏହି ତାଲିକା ଅନ୍ତର୍ଭୁକ୍ତ । ଅସୁର ରାକ୍ଷସ ନାମ ଲୋକରେ ଏବେ ବି ଶୁଣାଯାଉଛି ଶ୍ରୀଚଣ୍ଡୀରେ ଏପରି ମନ୍ତ୍ର ଅଛି ଯହିଁରେ ଏ ଶକ୍ତିକୁ ପ୍ରଶମିତ କରାଯାଏ । ହନୁମାନ ଚାଳିଶା ବଜ୍ରଂଗବାଣରେ ଏହାକୁ ଶାନ୍ତି କରାଯାଇପାରେ । ଏମିତି ଦେବଦେବୀଙ୍କ କବଚରେ ଏସବୁ ଶାନ୍ତି ପାଇଁ ମନ୍ତ୍ରରେ ବର୍ଣ୍ଣନା ଅଛି । ଅପରାଜିତ ମାଳା ମନ୍ତ୍ରରେ ଶାନ୍ତିଭାବ ଦମନର ପ୍ରକ୍ରିୟା ଅଛି । ହେଲେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ପ୍ରଭୁ ବଡ଼ଦାଣ୍ଡରେ ଲୀଳାରେ ରହି ଗୁଣ୍ଡିଚାବାଡ଼ିରେ ରହିବା ଯେଉଁ ନଅ ଦିନ ଧାର୍ଯ୍ୟ ଅଛି, ଏହି ନଅ ଦିନ ବାଦ ବର୍ଷର ଅନ୍ୟଦିନ ଗୁଡ଼ିକ ଠାକୁରଙ୍କର ଏଇ ବାର୍ଷିକ ଗସ୍ତ କାଳ ବଙ୍ଗଳା ବାଡ଼ିକୁ ଏକ ଅଦୃଶ୍ୟ ଶକ୍ତି ଉପରେ ପଶିବା କାର୍ଯ୍ୟ ନ୍ୟସ୍ତ ଅଛି । ଏହାର ନାମ ବାବନାଭୂତ । ଏଇ ଭୂତ ଏକ ଭୟ ବାତାବରଣ ସୃଷ୍ଟି କରିବା କାରଣରୁ ଲୁଚି ଛପି ନିଶାଚରୀ ଚୋର ମାନଙ୍କର କାର୍ଯ୍ୟର ଏ ବାଧକ ସାଜିଥାନ୍ତି ।
ଫସଲ କ୍ଷେତ୍ରରେ ଏକ ହାଣ୍ଡିକୁ ଚିତ୍ରିତ କରି ଏକ ଦଣ୍ଡ ଉପରେ ସ୍ଥାପନ କରି ପୋତାଯାଇଥାଏ । ଏ ବି ଫସଲ କ୍ଷେତ୍ର ରକ୍ଷକ ତାକୁ ବି ବାବନାଭୂତ କୁହାଯାଏ । ଏହା ସହିତ ଶିଶୁମାନେ ଜନ୍ମ ଠାରୁ ବାର ବର୍ଷ ଯାଏ ଏକ ଭୂତ ଯାହା ଏବେ ଭୂତାଣୁ ଆକ୍ରମିତ ରୋଗରେ ଗଣତି ହେଉଛନ୍ତି । ଏହାକୁ ପୁତନା କୁହାଯାଏ । ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାରେ ଏ ପୁତନାର ନାମ ଜଡ଼ିତ । ଦିନ-ମାସ-ବର୍ଷରେ ଏକରୁ ବାର ବର୍ଷ ମଧ୍ୟରେ ଏପରି ବାର ପ୍ରକାର ପୁତନା ଆକ୍ରମଣ କରନ୍ତି । ଏସବୁର ଶାନ୍ତି ପ୍ରଭୁଙ୍କ କ୍ଷେତ୍ର ଅଧରପଣା କାର୍ଯ୍ୟ ହିଁ ସମ୍ପୂର୍ଣ୍ଣ ଶାନ୍ତି ପାଇଁ ଉଦ୍ଦିଷ୍ଟ । ପୂର୍ବେ ଶିଶୁ ଜନ୍ମ ପୂର୍ବରୁ ପରେ ବାପ-ମାଆମାନେ କ୍ଷେତ୍ର ଗମନ କରି ପ୍ରଭୁଙ୍କୁ ଦର୍ଶନ କରି ଲୀଳା ଭାଗୀ ହେଉଥିଲେ ବର୍ତ୍ତମାନ ଏସବୁକୁ ହେୟଜ୍ଞାନ କରାଯାଉଛି । ଯେଉଁ ଗୁରୁମାନେ ପୂର୍ବେ ଶିଷ୍ୟ କରୁଥିଲେ ତାକୁ ଲୀଳା କ୍ଷେତ୍ରକୁ ଯିବାକୁ ପ୍ରଭାବିତ କରୁଥିଲେ । ଯାହାକୁ ଏବେ ‘ଦିଅଁ ତାଙ୍କର ଆଶ୍ରମରେ ଅଛନ୍ତି’, ଏମିତି କହି କ୍ଷେତ୍ରପ୍ରତି ବିମୁଖ କରାଯାଉଛି ବା ଲୋକଙ୍କୁ ସମୟ ଓ ଅର୍ଥ କମ କରି ଦିଆଯାଉଛି ଯାହା କ୍ଷେତ୍ର ଦର୍ଶନ ହେଳା ହୋଇଯାଉଛି । ଶିଶୁରୋଗ ଚିନ୍ତା ଏବେ ବହୁ ଦମ୍ପତିଙ୍କର ହେଉଛି । ଗୃହରେ ଠିକ ପିତୃ ଶ୍ରାଦ୍ଧାଦିକର୍ମ କରାଯାଉଛି । ଠକିବା ଉତ୍କୋଚ ନେବା ଘରକୁ ଭୟ ଦେଖାଇବା, ଏସବୁ ପିଶାଚିକାଣ୍ଡ ଲୋକେ ଆପଣେଇ ଏପରି ପିଶାଚିଶକ୍ତି ହାବୁଡ଼ରେ ପଡ଼ିବା ଦିଗ ଖୋଳୁଛନ୍ତି । ବାବନାଭୂତ ଜାଗ୍ରତ ହୋଇ ତାର ସ୍ଥାନକୁ ଅନ୍ୟତମ ପଞ୍ଚସଖା ଯଶୋବନ୍ତ ଦାସ ତାଙ୍କର ପଦଯାତ୍ରାରେ ଡାକି ଗ୍ରାମ ଅଢ଼ଙ୍ଗରୁ ଶ୍ରୀକ୍ଷେତ୍ରକୁ ଆସିଲା ବେଳ ପଥରେ ପଥଚାରୀଙ୍କୁ ବଟି ଆଦାୟ କରି ଲୁଟ କରିବା ବ୍ରହ୍ମରାକ୍ଷସ, (ଯେଉଁମାନେ ଭାଇ ପୁଅ, ବାପା ଆଦି ସମ୍ବୋଧନରେ ତରଳନ୍ତି ନାହିଁ, ଅନୁନୟ ବିନୟ କାକୁତି ମିନତୀରେ ବଦଳନ୍ତି ନାହିଁ) ସେହିପରି ଏକ ବ୍ୟକ୍ତିକୁ ଯଶୋବନ୍ତ ଦାସ ତାଙ୍କର ଲୀଳାରେ ପ୍ରଭାବିତ କରି ତାଙ୍କ ସହିତ ଶ୍ରୀକ୍ଷେତ୍ରକୁ ନେଇ ଚାଲିଲେ ଶେଷରେ ସେହି ଗୁଣ୍ଡିଚାବତୀରେ ଠାକୁରଙ୍କର ସର୍ବଦର୍ଶନ କାଳରେ ବ୍ରହ୍ମରାକ୍ଷସଟିକୁ ଦର୍ଶନ କରାଇଲେ । ତାପରେ ସେହି ବ୍ରହ୍ମରାକ୍ଷସଟି ଶେଷରେ ସେ ଗୁଣ୍ଡିଚାବତୀରେ ଜୀବନ୍ତରେ ଥିଲା, ମୃତୁ୍ୟ ପରେ ହିଁ ବାବନାଭୂତରେ ସେହିଠାରେ ରହି ପ୍ରଭୁଲୀଳାରେ ସାଙ୍ଗ ହୋଇ ନିତ୍ୟ ଶ୍ରୀ ପ୍ରସାଦ ପାଇ ଜଗୁଆଳୀ ଅଛି । ଏହାକୁ ସେ ସ୍ଥାନର ଜଗୁଆଳୀ ରାଜା ପ୍ରତାପରୁଦ୍ର ଦେବ ହିଁ ଆଜ୍ଞାକରି କରାଇ ଅଛନ୍ତି ।
ମୋ : ୯୪୩୭୦୩୧୨୫୩