ପାର୍କିଂ ଫି' ଆଦାୟ ଯୋଗୁ ଆକ୍ରମଣ, ୫ ଗିରଫ 

 ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁର ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ବ୍ରହ୍ମପୁର ଅଞ୍ଚଳର କିଛି ଯୁବକ କାର୍ ଯୋଗେ ଆସି ହିଞ୍ଜିଳିକାଟୁ ଠାରେ ପହଞ୍ଚିଥିଲେ  । ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ କାର୍ ପାର୍କିଂ କରିବା ପରେ ଲିଜ୍ଧାରୀ କିଛି ଯୁବକ କାରଗାଡି ନିକଟକୁ ଆସି ପାର୍କିଂ ଫି’ ବାବଦକୁ ଟଙ୍କା ମାଗିଥିଲେ  । କିନ୍ତୁ ଗାଡିରେ ଆସିଥିବା ଯୁବକ ମାନେ ପାର୍କିଂ ବାବଦକୁ ଆବଶ୍ୟକ ସ୍ଥାନ ନଥିବା ଦର୍ଶାଇ ଫି’ ଦେବାକୁ ମନା କରି ଦେଇଥିଲେ  । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବା ସହ ହାତାହାତି ହୋଇଥିଲା  । କିଛି ସମୟ ପରେ ହିଞ୍ଜିଳିକାଟୁ ଅଞ୍ଚଳର କିଛି ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା  । ଅନ୍ୟପକ୍ଷରେ ବ୍ରହ୍ମପୁରରୁ ଆସିଥିବା ଯୁବକ ମାନେ ବିଜେପି କର୍ମୀ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ବିଜେପି କର୍ମୀ ଘଟଣା ସ୍ଥଳରେ ପହଞ୍ଚିଥିଲେ  । ଉଭୟ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଆକ୍ରମଣ ଓ ପ୍ରତିଆକ୍ରମଣ  । ଫଳରେ ବସ୍ ଟର୍ମିନାଲ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା  ।  ଆକ୍ରମଣ ଓ ପ୍ରତିଆକ୍ରମଣରେ ୪ ଜଣ ଯୁବକ ଆହତ ହୋଇଥିଲେ  । ଖବର ପାଇ ହିଞ୍ଜିଳି ପୁଲିସ ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲା  । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶତାଧିକ ବିଜେପି କର୍ମୀ ହିଞ୍ଜିଳି ଥାନାରେ ପହଞ୍ଚି ଥାନା ଘେରିଥିଲେ  । ଘଟଣା ନେଇ ବ୍ରହ୍ମପୁର ଟାଉନଥାନା ଗେଟବଜାର ଅଞ୍ଚଳର ନାରାୟଣ ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ  । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୦୦୬/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା  । ଗତ ୧୧ ତାରିଖରେ ଘଟଣରେ ସଂପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।? ଘଟଣାରେ ଅନ୍ୟ କିଛି ଯୁବକ ସଂଶ୍ଳିଷ୍ଟ ଥାଇ ଫେରାର ହୋଇଯାଇଥିଲେ । ରବିବାର ଘଟଣାରେ ସଂପୃକ୍ତ ହିଞ୍ଜିଳି ଥାନା ଅଞ୍ଚଳର ଅନ୍ୟ ଜଣେ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ ।