ଗ୍ରାମ୍ୟବ୍ୟାଙ୍କ ଡକାୟତି ଘଟଣାରେ ଦୁଇ ଗିରଫ
ସୋର: ସିମୁଳିଆ ଥାନା ବାଲିଖଣ୍ଡ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଚୋରିରେ ବ୍ୟବହୃତ ସାମଗ୍ରୀକୁ ଜବତ କଲା ସିମୁଳିଆ ପୁଲିସ । ଏ ବାବଦରେ ସୋର ଥାନାରେ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଗୋରାମାଟି ଗ୍ରାମର ଚିନ୍ମୟ କୁମାର ଦାସ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଅଂଚଳରେ କାମ କରୁଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟର ମୋଟବାରି ଥାନା ହମିଦପୁର ଚାର ଅଂଚଳର ଇଟୁ ମଣ୍ଡଳ ସହ ଦେଖା ହେବା ପରେ ଏକ ବ୍ୟାଙ୍କ ଚୋରି ପାଇଁ ଯୋଜନା କରିଥିଲେ । ପରେ ପଶ୍ଚିମବଙ୍ଗ ଅଂଚଳର ଆଉ ଦୁଇଜଣ ସହଯୋଗୀ ମୁନା ଚୌଧୁରୀ ଓ ରଞ୍ଜିତ ମଣ୍ଡଳ ଏବଂ ଝାରଖଣ୍ଡ ରାଜ୍ୟ ସାହେବଗଞ୍ଜ ଜିଲ୍ଲା ରାଜମହଲ ଥାନା ଅଧିନ ମହମ୍ମଦ ଜାମିଲ ଶେଖ ଓ ଅଜ୍ଜୁଲ ଶେଖଙ୍କ ସମ୍ପର୍କରେ ଆସିଥିଲେ । ପରେ ଦୁଇମାସ ପୂର୍ବରୁ ବାଲିଖଣ୍ଡ ଗ୍ରାମ୍ୟ ବ୍ୟାଙ୍କ ଲୁଟ ପାଇଁ ଯୋଜନା କରିଥିଲେ । ସେମାନେ ଭଦ୍ରକ ଅଂଚଳରେ ଭିନ୍ନ ଭିନ୍ନ ସ୍ଥାନରେ ହୋଟେଲ ରୁମରେ ରହିଥିଲେ । ଭଦ୍ରକ ବଜାରରୁ ଗ୍ୟାସ କଟର ଏବଂ ଅକ୍ସୀଜେନ ସିଲିଣ୍ଡର ସହ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ । ବ୍ୟାଙ୍କର ପଛପଟେ ଏକ ପଡିଆରେ ରାତି ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ପରେ ବ୍ୟାଙ୍କ ଭିତରକୁ ପ୍ରବେଶ କରି ଗ୍ୟାସ କଟର ସାହାଯ୍ୟରେ ଷ୍ଟ୍ରଙ୍ଗ ରୁମ କାଟିବା ପାଇଁ ଚେଷ୍ଟା କରି ସେଥିରେ ବିଫଳ ହେବା ପରେ ସେଠାରେ ଥିବା ସୁରକ୍ଷା କର୍ମୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ସେଠାରୁ ଫେରାର ହୋଇଯାଇଥିଲେ । ପୁଲିସ ତଦନ୍ତ ସମୟରେ ସାବରଙ୍ଗ ଅଞ୍ଚଳର ଅଭିଯୁକ୍ତ ଚିନ୍ମୟ ଦାସ ଓ ଝାଡ଼ଖଣ୍ଡ ଅଞ୍ଚଳର ଅଜୁଲ ଶେଖକୁ ଭଦ୍ରକ ରେଳ ଷ୍ଟେସନରୁ ଗିରଫ କରିଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟ ୫ଜଣ ଫେରାର ଅଛନ୍ତି । ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ଗୋଟିଏ ଛୋଟ ଗ୍ୟାସ ସିଲିଣ୍ଡର, ଦୁଇଟି ଅକ୍ସୀଜେନ ସିଲିଣ୍ଡର, ଦୁଇଟି ହାର୍ଡ ଡିସ୍କ ଓ କଟର ସାମଗ୍ରୀ ଜବତ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଓ ସିମୁଳିଆ ଥାନା ଏସଆଇ ଦିଲ୍ଲୀପ କୁମାର ସାମଲଙ୍କ ସମେତ ସୋର ଥାନାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।